ଏସ୍‌ସିବି ପ୍ଲାଟିନମ୍‌ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ‘୭୫ ବର୍ଷ ଆମକୁ ସାହାଯ୍ୟ କରିଛି, ଏବେ ଫେରାଇବା’

କଟକ : ଗଲା ୭୫ ବର୍ଷ ଧରି ଏସ୍‌ସିବି ମେଡିକାଲ୍‌ର ଡାକ୍ତରମାନେ ନିଃସ୍ବାର୍ଥପର ସେବା ଯୋଗାଇ ଆସୁଛନ୍ତି। ଉଭୟ ଧନୀ ଓ ଗରିବ ରୋଗୀଙ୍କ ମଧ୍ୟରେ କୌଣସି ଭେଦଭାବ ନରଖି ସମସ୍ତଙ୍କୁ ସମାନ ଚିକିତ୍ସା କରି ଆସୁଛନ୍ତି। ଏସବୁ ଦିନମାନଙ୍କରେ ଏସ୍‌ସିବି ମେଡିକାଲ୍‌ କଲେଜ ଆମ ଓଡ଼ିଆଙ୍କ ପାଇଁ ଯେଉଁ ସାହାଯ୍ୟ ସହଯୋଗ କରିଛି, ବର୍ତ୍ତମାନ ୭୫ ବର୍ଷ ପରେ ଆମ ତରଫରୁ କିଛି ଏହି ବଡ଼ ମେଡିକାଲ୍‌କୁ ଫେରାଇବା ଦାୟିତ୍ବ ରହିବ। ଏଥିପାଇଁ ଏସ୍‌ସିବିର ନବକଳେବର କରାଯାଉଥିବାବେଳେ ଏହାକୁ ଏମ୍‌ସ ପ୍ଲସ୍‌ ଭାବେ ଗଢିତୋଳିବା ଆମର ଦାୟିତ୍ବ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ସଦୁପଯୋଗ କରାଯାଇ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିବି ମେଡିକାଲ୍‌ର ପ୍ଲାଟିନମ୍‌ ଜୁବୁଲି ପାଳନ ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ଘାଟନୀ ଭାଷଣରେ ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ସରକାରଙ୍କ ଦାୟିତ୍ବ ସ˚କ୍ରାନ୍ତରେ ସୂଚନା ଦେବାକୁ ଯାଇ କହିଥିଲେ ଯେ, ଓଡ଼ିଶାର ଲୋକମାନେ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ପାଇଁ ପୂର୍ବରୁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ। ହେଲେ ସେସବୁ ପ୍ରକାରର ଚିକିତ୍ସା ସୁବିଧା ଏବେ ବଡ଼ମେଡିକାଲ୍‌ରେ ଉପଲବ୍ଧ ହେଲାଣି। ଓଡ଼ିଶାର ଲୋକମାନେ ଉନ୍ନତମାନର ସେବା ପାଇବା ପାଇଁ ହକ୍‌ଦାର। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୯୬ଲକ୍ଷ ପରିବାର ଉପକୃତ ହେଉଛନ୍ତି। ସରକାର ମଧ୍ୟ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସବୁପ୍ରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନରେ ଏସ୍‌ସିବି ମେଡିକାଲ୍‌ କଲେଜ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା କେବଳ ଯେ ଶ୍ରେଷ୍ଠ ଚିକିତ୍ସାଳୟ ତାହା ନୁହେଁ ବର˚ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ମଧ୍ୟ ଏହି ମେଡିକାଲ କଲେଜର ଅବଦାନ ଭାରତରେ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏସ୍‌ସିବି ମେଡିକାଲ୍‌ ପରିସରରେ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ପୃଷ୍ଠପୋଷକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ, ମେଡିକାଲ୍‌ରେ କେବଳ ଭିତ୍ତିଭୂମି କରିଦେଲେ କିମ୍ବା କୋଠା ନିର୍ମାଣ କରିଦେଲେ ଏହାର ସୁନାମ ବଢେନି, ବର˚ ଡାକ୍ତରଙ୍କ ଭଲ ବ୍ୟବହାର ଓ ଚିକିତ୍ସା ସେବା ପାଇଁ ଏକ ଅନୁଷ୍ଠାନ ସବୁବେଳେ ରୋଗୀଙ୍କ ମନରେ ଘର କରିନିଏ। ଏଥିପାଇଁ ଏସ୍‌ସିବି ସବୁଠୁ ଆଗରେ ରହିଛି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୩ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଏସ୍‌ସିବିକୁ ବିଶ୍ବସ୍ତରୀୟ କରାଯାଉଛି। ଓଡ଼ିଶା ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁବର୍ଣ୍ଣ ଯୁଗ ଆସିଛି। ଦୀର୍ଘ ବର୍ଷ ଧରି ଯାହା ହେଉ ନଥିଲା, ତାହା ଏବେ ସମ୍ଭବ ହୋଇଛି।

ଅତ୍ୟତମ ସମ୍ମାନିତ ଅତିଥି ଭାବେ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ଏସ୍‌ସିବିର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ରୋଗୀ ସେବା ପାଇଁ କୃତଜ୍ଞତା ଜଣାଇଥିଲା ବେଳେ ଏସ୍‌ସିବି କେବଳ ଏକ ହସ୍‌ପିଟାଲ୍‌ ନୁହେଁ, ବର˚ ଏହା ଉପରେ ଲୋକମାନଙ୍କ ବିଶ୍ବାସ, ଆସ୍ଥା ଓ ଭରସା ରହିଛି। ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରୋଗୀଟିଏ ଜୀବନ ଫେରିପାଉଛି ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏସ୍‌ସିବି ମେଡିକାଲ୍‌ର ୭୫ ବର୍ଷର ଯାତ୍ରାର ସ୍ମାରକୀ ବହନ କରୁଥିବା କମ୍ପେନ୍‌ଡିୟମ ଓ ପ୍ଲାଟିନମ୍‌ ଜୁବୁଲି ସ୍ମାରକୀକୁ ଉନ୍ମୋଚନ କରିଥିଲେ। ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ସ୍ବାଗତ ଭାଷଣ ପ୍ରଦାନ କରିଥିଲାବେଳେ ମୁଖ୍ୟ ଉପଦେଷ୍ଟା ତଥା ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ସରକାରଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ଥିବା ଆଭିମୁଖ୍ୟ ସ˚କ୍ରାନ୍ତରେ ସୂଚନା ଦେଇଥିଲେ। ଶେଷରେ ଆବାହକ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏଥିପୂର୍ବରୁ ପୂର୍ବାହ୍ନରେ ୭୫ ବର୍ଷ ପାଳନ ଉପଲକ୍ଷେ ଏକ ଶୋଭାଯାତ୍ରା ମେଡିକାଲ୍‌ କଲେଜ ପରିକ୍ରମା କରିଥିଲା। ଏହାକୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଉଦ୍‌ଘାଟନ କରିଥିଲାବେଳେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ଅତିଥି ଭାବେ ଯୋଗଦେଇ ମେଡିକାଲ୍‌ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଶୁକ୍ରବାର ମଧ୍ୟାହ୍ନରେ ହୋଇଥିବା ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡାକ୍ତର ପି.କେ.ମିଶ୍ର ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ସରକାରଙ୍କ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଏହି ଆଲୋଚନାଚକ୍ରରେ ପ୍ରଫେସର ଡାକ୍ତର ଜୟଶ୍ରୀ ମେହେତା, ଡାକ୍ତର ଅଜୟ କୁମାର, ପ୍ରଫେସର ଡାକ୍ତର ବି.ଏନ୍‌. ମହାନ୍ତି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର