ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ: ଗାନ୍ଧୀଙ୍କୁ ଯେତେ ଭୁଲିବାକୁ ଚେଷ୍ଟା କରିବା ସେତେ ମନେପଡ଼ିବେ

ଭୁବନେଶ୍ବର : ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ମିଳିତ ସହଯୋଗରେ ରାଜ୍ୟ ସଂଗ୍ରହାଳୟ ପ୍ରେକ୍ଷାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂଚନା କମିସନର ଦିଲ୍ଲୀପ କୁମାର ବିଶୋୟୀ ଯୋଗ ଦେଇ କହିଲେ, ଭାରତ ସ୍ବାଧୀନତା ପାଇବା ପରଠାରୁ ଆମେ ଗାନ୍ଧୀଙ୍କୁ ଭୁଲିବାକୁ ଚେଷ୍ଟା କରୁଛେ। ଏହା ପୁଣି ଗତ କିଛି ଗତ ବର୍ଷ ହେଲା ଅତି ଦ୍ରୁତ ଗତିରେ ଭୁଲିବାକୁ ଚାହୁଁଛେ। କିନ୍ତୁ ଗାନ୍ଧୀଙ୍କର ଯେଉଁ ଆତ୍ମା ଭାରତବର୍ଷର ଯେଉ ପାଣିପବନରେ ଜଡ଼ିତ ହୋଇରହିଛି ତାକୁ ଆମେ ଭୁଲିବାକୁ ଚେଷ୍ଟା କଲେବି ଭୁଲି ପାରିବା ନାହିଁ। ଆଜି ଯଦି ଆମେ ଗାନ୍ଧୀଙ୍କ ଚିନ୍ତାଧାରାକୁ ଗ୍ରହଣ କରିବା ତେବେ ଆମେ ଆମ ଅଧିକାର ପାଇପାରିବା। ଗାନ୍ଧୀଙ୍କୁ ଯେତେ ଆମେ ଭୁଲିବାକୁ ଚେଷ୍ଟା କରିବା ଗାନ୍ଧୀ ସେତେ ମନେ ପଡ଼ିବେ ବୋଲି ଶ୍ରୀ ବିଶୋୟୀ କହିଛନ୍ତି।

ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ରମାଦେବୀ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ. ସଂଘମିତ୍ରା ଭଞ୍ଜ କହିଛନ୍ତି, ଗାନ୍ଧୀଙ୍କୁ ଆମେ ସବୁ ସଭାସମିତିରେ କେବଳ ମନେ ପକାଉ ମାତ୍ର, ତାଙ୍କ ଚେତନାର କଣିକା ବି ଆମେ ଗ୍ରହଣ କରିପାରିନାହେଁ। ସେ ଯାହା କରିଯାଇଛନ୍ତି ତାକୁ ଆମେ କେବେ ଭୁଲି ପାରିବା ନାହିଁ। ଗାନ୍ଧୀଙ୍କ ତତ୍ତ୍ବ ଓ ସିଦ୍ଧାନ୍ତକୁ ଆମେ ପାଳିବା ଦରକାର ବୋଲି ଡ. ଭଞ୍ଜ କହିଛନ୍ତି। ସମ୍ମାନିତ ଅତିଥି ଭାବେ ପ୍ରଫେସର ତନ୍ମୟ ପଣ୍ଡା ଯୋଗ ଦେଇ କହିଛନ୍ତି, ଗାନ୍ଧୀ କେବ​ଳ ମଣିଷ ନଥିଲେ ସେ ଦର୍ଶନ ଓ ଆଦର୍ଶ ଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଦେଶାତ୍ମ ସଂଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ସଂଗ୍ରହା​ଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିବା ବେଳେ ଡ. ଭାରତୀ ପାଲ୍ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର