ବାରିପଦା/ରାଇରଙ୍ଗପୁର : ଭାରତର ପ୍ରଥମ ଆଦିବାସୀ ତଥା ୧୫ତମ ରାଷ୍ଟ୍ରପତି ଭାବେ ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ସାରାଦେଶରେ ଉତ୍ସବର ମାହୋଲ୍ ସୃଷ୍ଟି ହୋଇଛି। ବିଶେଷ କରି ଦ୍ରୌପଦୀଙ୍କର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ବାସଭବନ, ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହୋଇଛି।
/sambad/media/post_attachments/wp-content/uploads/2022/07/may3a-750x424.jpg)
ଗୁରୁବାର ଦିନ ନିର୍ବାଚନ ଫଳାଫଳ ଘୋଷଣା ପରିପ୍ରେକ୍ଷୀରେ ସକାଳୁ ସକାଳୁ ରାଇରଙ୍ଗପୁରସ୍ଥିତ ଦ୍ରୌପଦୀଙ୍କ ବାସଭବନରେ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କ ଅନୁଗାମୀ, ଅଞ୍ଚଳବାସୀ, ବିଜେଡି, ବିଜେପି ଓ ଅନ୍ୟ ଦଳର ନେତୃବୃନ୍ଦ ଏକାଠି ହୋଇ ତାଙ୍କର ସଂପର୍କୀୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦ୍ରୌପଦୀଙ୍କ ବିଜୟ ଏକପ୍ରକାର ନିଶ୍ଚିତ ଥିବା ଜାଣି ସକାଳୁ ହିଁ ବିଜୟ ଉତ୍ସବ ପାଳନ ଆରମ୍ଭ ହୋଇଯାଇଥିଲା। ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, କରଞ୍ଜିଆ ଏନ୍ଏସି ଅଧ୍ୟକ୍ଷା ପପି ପୃଷ୍ଟି, ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ତଥା ବିଜେପି ବିଧାୟକ ନବଚରଣ ମାଝୀ ଓ ଅନ୍ୟ ନେତା ଓ କର୍ମୀମାନେ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ମାଦଳ, ଧୂମ୍ସା ଓ ଗୀତର ତାଳେ ତାଳେ ସମସ୍ତେ ନୃତ୍ୟ କରିଥିଲେ। ଡିଜେ ସାଉଣ୍ଡରେ ଯୁବକମାନେ ନାଚି ନାଚି ମତୁଆଲା ଥିଲେ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ; ସବୁବର୍ଗର ଲୋକ ରଙ୍ଗ ବୋଳାବୋଳି ହୋଇଥିଲେ। ଗତକାଲି ପ୍ରସ୍ତୁତ ହୋଇଥିବା ୩୦ ହଜାର ମିଠା ବଣ୍ଟାଯାଇଥିଲା। ପରସ୍ପର ମିଠା ଖୁଆଇବା ସହ କୋଳାକୋଳି ହୋଇଥିଲେ।
/sambad/media/post_attachments/wp-content/uploads/2022/07/may2.jpg)
ଟଲକପୋଖରୀ ପଞ୍ଚାୟତସ୍ଥିତ ଦ୍ରୌପଦୀଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁର ଖେଳପଡ଼ିଆରେ ଏକ ବଡ଼ଭୋଜିର ଆୟୋଜନ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରୁକ୍ମିଣୀ ମୁର୍ମୁ ପଞ୍ଚାୟତବାସୀଙ୍କ ସହ ମିଶି ୨୦ ହଜାରରୁ ଅଧିକ ଲୋକଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥିଲେ। ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଲୋକମାନେ ଭୋଜି ଖାଇବା ସହ ନାଚଗୀତରେ ମସ୍ଗୁଲ୍ ହୋଇଥିଲେ। ଦ୍ରୌପଦୀଙ୍କ ଘର ସହ ସହରର ବିଭିନ୍ନ ସ୍ଥାନ ରଙ୍ଗିନ ଆଲୋକମାଳାରେ ଝଲସିଥିଲା। ରାଇରଙ୍ଗପୁର ସହର ସାରା ବଡ଼ବଡ଼ ହୋର୍ଡିଂ ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ସଂଜ ନଇଁବା ସହ ନିର୍ବାଚନ ଫଳାଫଳ ଘୋଷଣା ସମୟ ପାଖେଇ ଆସୁଥିଲା। ଏହାସହିତ ସମସ୍ତଙ୍କ ଉତ୍ସାହ ବଢ଼ୁଥିଲା। ବାଜା, ବାଣ ଓ ରୋଷଣୀରେ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ସ୍ଥାନୀୟ ମାହୋଲ୍ ଏପରି ଥିଲା, ଲାଗୁଥିଲା ଯେମିତି ଦୀପାବଳି ପାଳନ ହେଉଛି। ରାଇରଙ୍ଗପୁର ଗୋଲେଇ ଛକରୁ ରେଳ ଫାଟକ ପର୍ଯ୍ୟନ୍ତ ସମସ୍ତଙ୍କ ଘର ଦୁଆରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ଖୁସିରେ ଆତ୍ମହରା ହୋଇଥିଲେ ଦ୍ରୌପଦୀଙ୍କ ଶୁଭେଚ୍ଛୁ ଓ ଗ୍ରାମବାସୀ। ଦ୍ରୌପଦୀଙ୍କ ବିଜୟ ପରେ ସ୍ବାଗତ ଅପେକ୍ଷାରେ ରାଇସିନା ହିଲ୍ ରହିଥିବା ବେଳେ ଏପଟେ ରାଇରଙ୍ଗପୁର ଦୁଲୁକିଛି।
/sambad/media/post_attachments/wp-content/uploads/2022/07/rairangapur-1-34.jpg)
ଦ୍ରୌପଦୀ ରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ସେ ଶପଥଗ୍ରହଣ କରିବେ। ଏହି ଉତ୍ସବରେ ଦ୍ରୌପଦୀଙ୍କ ଝିଅ, ଜ୍ବାଇଁ, ନାତୁଣୀଙ୍କ ସହ ସାନଭାଇ ଓ ଭାଉଜ ମଧ୍ୟ ଯୋଗଦେବେ। ଏଥିପାଇଁ ସେମାନେ ଆସନ୍ତା ୨୩ ତାରିଖରେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାଯାଇଛି।
/sambad/media/post_attachments/wp-content/uploads/2022/07/may1.jpg)
୨୦୦୦ ଲୋକଙ୍କ ପାଇଁ ରୋଷେଇ
ରାଇରଙ୍ଗପୁରସ୍ଥିତ ବାସଭବନ, ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହେଉଛି। ନିର୍ବାଚନ ଫଳ ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ଟଲକପୋଖରୀ ପଞ୍ଚାୟତସ୍ଥିତ ଦ୍ରୌପଦୀଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁର ଖେଳପଡ଼ିଆରେ ଏକ ବଡ଼ ଭୋଜିର ଆୟୋଜନ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରୁକ୍ମିଣୀ ମୁର୍ମୁ ପଞ୍ଚାୟତବାସୀଙ୍କ ସହ ମିଶି ୨୦୦୦ରୁ ଅଧିକ ଲୋକଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିଲେ। ଚିକେନ୍, ପନିର, ଖଟା, ଡାଲ୍ମା, ଘାଣ୍ଟ, ପାୟସ ଆଦି ପ୍ରସ୍ତୁତ କରା ଯାଇଥିଲା। ଲୋକମାନେ ଭୋଜି ଖାଇବା ସହ ନାଚଗୀତରେ ମସ୍ଗୁଲ୍ ହୋଇଥିଲେ।
/sambad/media/post_attachments/wp-content/uploads/2022/07/rairangapur-1-15-1.jpg)
ଖୁସି ବାଣ୍ଟିବାକୁ ପହଞ୍ଚିଲେ ବିଜେଡି ନେତା ଓ ନେତ୍ରୀ
ସଂଖ୍ୟା ଗଣିତ କହୁଥିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ନିଶ୍ଚିତ ବିଜୟୀ ହେବେ। ଆଉ ସେମିତି ହିଁ ହେଲା। ଏକ ବଡ଼ ବ୍ୟବଧାନରେ ଦ୍ରୌପଦୀ ବିଜୟୀ ହୋଇଛନ୍ତି। ତେବେ ନିର୍ବାଚନ ପାଇଁ ଦ୍ରୌପଦୀଙ୍କୁ ସମର୍ଥନ ଦେଇଥିବା ବିଜେଡିର ଅନେକ ନେତୃବୃନ୍ଦ ଆଜି ରାଇରଙ୍ଗପୁରରେ ପହଞ୍ଚିଲେ। ବିଜୁ ପଟ୍ଟନାୟକ ଛକରେ ସ୍ଥାନୀୟ ଲୋକଙ୍କ ସହ ମିଶି ଖୁସି ମନାଇଥିଲେ। ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, କରଞ୍ଜିଆ ଏନ୍ଏସି ଅଧ୍ୟକ୍ଷା ପପି ପୃଷ୍ଟି, ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି, ବିଜେଡି ଯୁବ ସାଧାରଣ ସମ୍ପାଦକ ରମାକାନ୍ତ ମହାନ୍ତ, ରାଜ୍ୟ ଯୁବ ଛାତ୍ର ସମ୍ପାଦକ ବିକାଶ ମହାନ୍ତ, ରାଜ୍ୟ ସମ୍ପାଦକ ମହେଶ ହେମ୍ବ୍ରମ, ଚକ୍ରଧର ହେମ୍ବ୍ରମ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ ପ୍ରମୁଖ ଦ୍ରୌପଦୀଙ୍କ ପରିବାର ଲୋକଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ଏହାସହିତ ସେମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼
ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ଦିନଠାରୁ ତାଙ୍କ ରାଇରଙ୍ଗପୁରସ୍ଥିତ ବାସଭବନ, ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁରେ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିରହିଥିଲା। ଆଜି ନିର୍ବାଚନ ଫଳ ପ୍ରକାଶ ପରିପ୍ରେକ୍ଷୀରେ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟା ଢେର ଅଧିକ ଥିଲା। ଡିଡି ନ୍ୟୁଜ୍, ଜି ମିଡିଆ, ଟାଇମ୍ସ ନାଓ, ଆଜତକ୍, ଏବିପି ନ୍ୟୁଜ୍, ଏନ୍ଡିଟିଭି, ଇଣ୍ଡିଆ ନ୍ୟୁଜ୍, ଟାଇମ୍ସ ନାଓ, ନ୍ୟୁଜ୍-୧୮ ପରି ପାଖାପାଖି ୨୦ଟି ରୁ ଅଧିକ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଦର୍ଶକଙ୍କ ପାଖରେ ରାଷ୍ଟ୍ରପତିଙ୍କ ଗାଁରେ ବିଜୟ ଉତ୍ସବର ଚିତ୍ର ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। କେବଳ ଜାତୀୟ ଗଣମାଧ୍ୟମର ପ୍ରତିନିଧି ନୁହନ୍ତି, ଓଡ଼ିଆ ତଥା ଅନ୍ୟ ଆଞ୍ଚଳିକ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଖବର ସଂଗ୍ରହରେ ଲାଗି ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/rairangapur-1-13-1.jpg)