ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଓଡ଼ିଶାରେ ହର୍ଷୋଲ୍ଲାସ, ବିଜେଡି-ବିଜେପି ପାଳିଲେ ଉତ୍ସବ

ଭୁବନେଶ୍ବର/ମାଲକାନଗିରି/ରାଇରଙ୍ଗପୁର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବର ମା‌େହୋଲ ଦେଖାଯାଇଛି। ଦ୍ରୌପଦୀଙ୍କ ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହୋଇଛି। ଦ୍ରୌପଦୀଙ୍କ ଗାଁରେ ଉଭୟ ବିଜେପି ଓ ବିଜେଡି କର୍ମୀମାନେ ଉତ୍ସବ ପାଳନ କରିଛନ୍ତି। ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ ହୋଇଛି। ଏତଦ୍‌ ବ୍ୟତୀତ କେନ୍ଦ୍ରାପଡ଼ାରେ ମଧ୍ୟ ଦ୍ରୌପଦୀଙ୍କ ପାଇଁ ବିଜୟ ଉତ୍ସବ ପାଳନ ହୋଇଛି।

ମାଲକାନଗିରି ବିଜେଡି ଆଜି ଏକ ସାଧାରଣ ସଭା କରି ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ କେକ୍‌ କାଟି ବିଜୟ ଉତ୍ସବ ପାଳନ କରିଥିବା ବେଳେ ସମସ୍ତ ମନରେ ଖୁସିର ଲହରି ଖେଳିଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଜେଡି ଏ ମାଟିର ଝିଅ ପାଇଁ ଭୋଟ ଦେଇ ନିଜକୁ ଧନ୍ୟ ମନେ କରିବା ସହ ବିଜୟୀରେ ଭାଗିଦାର ହୋଇଛି। ବିଜେଡିର ସମସ୍ତ କର୍ମୀ ଆଜି ଟାଉନ ହଲରେ ଏକତ୍ରୀତ ହୋଇ ଏହି ଦିବସକୁ ଉତ୍ସାହର ପାଳନ କରିଥିଲେ। ଏହା ବିଜେଡିର ବିଜୟ ବୋଲି କୁହାଯାଇଛି। ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ରାଷ୍ଟ୍ରପତି ହେବା ଗୌରବ ଓଡିଶା ପାଇଥିବାରୁ ଏହାକୁ ନେଇ ସାରା ରାଜ୍ୟ ଗର୍ବ ଅନୁଭୁତ କରୁଥିବା କୁହାଯାଇଛି।କେବଳ ମାଲକାନଗିରି ନୁହେଁ ବରଂ ଜିଲ୍ଲାର କୋଣ ଅନୁକୋଣରେ ଆଜି ଦ୍ରପୌଦୀ ମୁର୍ମୁଙ୍କର ଏହି ବିଜୟକୁ ହର୍ଷଉଲ୍ଲାସଲ ସହ ପାଳନ କରିଛି।ଓଡିଆଙ୍କ ପାଇଁ ଏହା ଏକ ସ୍ବପ୍ନ ଭଳି ଲାଗୁଥିଲେ ମଧ୍ୟ ଏହା ସତ୍ୟରେ ପରିଣତ ହୋଇଛି।

ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ବ୍ଲକର ଶତାଧିକ ବିଜେପି କର୍ମୀ ଏହି ଅବସରରେ ସ୍ଥାନୀୟ ବୀରଖମ୍ବ ବ୍ରିଜ ନିକଟରୁ ଏକ ପଟୁଆରରେ ବାହାରିଲେ। ବାଜା ରୋଷଣୀ ସହ ସହିଦ୍ ଲକ୍ଷ୍ମଣ ନାୟକ ଛକ ଠାରେ ପହଞ୍ଚି ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ତେବେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାର ଆଦିବାସୀ ସଂପ୍ରଦାୟରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଦ୍ରୈପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ନିମନ୍ତେ ନିର୍ବାଚିତ ହୋଇଥିବାରୁ ସାଧାରଣରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ହୋଇଛନ୍ତି। ଦ୍ରୌପଦୀ ଓଡ଼ିଶାର ଝିଅ ହୋଇଥିବାରୁ ଓଡ଼ିଶା ଅଧିକ ଉତ୍ସବ ମୁଖରିତ ହୋଇଛି। ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଯୁବ ମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ଯୁବ ମୋର୍ଚ୍ଚା ରାଜ୍ୟ ଆଇଟି ସେଲ୍ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ ପ୍ରମୂଖ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରି ପରସ୍ପର ତଥା ଜନ ସଧାରଣଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ ଏବଂ ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ବନ୍ତ ନିକଟସ୍ଥ ଆଦିବାସୀ ବସ୍ତିକୁ ଯାଇ ବିଜୟ ଉତ୍ସବ ପାଳିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ପକ୍ଷରୁ ବସ୍ତିରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମହିଳା ଓ ଛୋଟ ଛୋଟ ପିଲାଙ୍କୁ ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା କିପରି ସେମାନଙ୍କ ପାଇଁ ଗର୍ବ, ଗୌରବ ଏବଂ ଉଦାହରଣର ବିଷୟ ବୋଲି ବୁଝାଇଥିଲେ ହରପ୍ରିୟା ସାହୁ।

ଜୟପୁରରେ ଉତ୍ସବର ମାହୋଲ ଦେଖାଦେଇଥିଲା। ଉଭୟ ବିଜେଡି ଓ ବିଜେପିର ନେତା ଓ କର୍ମୀମାନେ ବିଜେପି କାର୍ଯ୍ୟାଳୟରୁ ବାହାରି  ରାଜନଅର ପର୍ଯ୍ୟନ୍ତ  ଦ୍ର‌ୌପଦୀ ର୍ମୁମୁ ଜିନ୍ଦାବାଦ୍ ନାରା ଦେଇ ସହର ପରିକ୍ରମା କରିଥିଲେ। ବିଜେପି ପକ୍ଷରୁ ମିଷ୍ଠାନ୍ନ ବିତରଣ କରାଯାଇଥିଲା। ବିଜେପିର ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ ଓ ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି ଅଂଜଳୀ ମିଶ୍ର, ସଂପାଦିକା ସୁରଭି ପାଣି, ସୁଶମା ଶୁକ୍ଳ, ଭବାନୀ ରେଡ୍ଡୀ, ନଗର ସଭାପତି ରାଧାଶ୍ୟାମ ପରିଡ଼ା, ଜିଲ୍ଲା ମିଡିଆ ସଂଯୋଜକ ସଂଜୟ ବେହେରା ପ୍ରମୁଖଙ୍କ ସହ ବହୁ ମହିଳା  କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ। ସେଭଳି ବିଜେଡ଼ି ପକ୍ଷରୁ ସ୍ଥାନୀୟ ରଘୁନାଥ ମନ୍ଦିର ସମ୍ମୁଖରୁ ଶୋଭାଯାତ୍ରା କରିବା ସହ ଭଉଣୀର ଇଜ୍ଜତ ଭାଇ ନବୀନ ରଖିଲେ ବୋଲି ‌ସ୍ଲୋଗାନ ଦେଇଥିଲେ।

ସମ୍ବନ୍ଧିତ ଖବର