ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ନବୀନ ନିବାସ ଓ ଯୁବ ବିଜେଡି କାର୍ଯ୍ୟାଳୟରେ ଉତ୍ସବ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ଶିବିରରେ ଉତ୍ସାହ ଖେଳିଯାଇଛି। ଫଳାଫଳ ପ୍ରକାଶ ପାଇବାର କିଛି ସମୟ ପରେ ନବୀନ ନିବାସ ଓ ବିଜୁ ଯୁବ ଜନତା ଦଳର କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଯୁବ କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଏକାଠି ହୋଇ ବାଜା ବଜାଇ ଧୁମ୍‌ ନାଚିଥିଲେ। ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ। କର୍ମୀମାନଙ୍କ ନାଚ, ଗୀତରେ ସ୍ଥାନୀୟ ଅଞ୍ଚଳ କମ୍ପିଥିଲା। ନବୀନ ନିବାସକୁ ମଧ୍ୟମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାମାନଙ୍କ ସୁଅ ଛୁଟିଥିଲା।

ବିଶେଷ କରି ପଦ୍ମପୁର ନିର୍ବାଚନମଣ୍ଡଳୀରେ ଦାୟିତ୍ବରେ ଥିବା ନେତାମାନେ ବହୁ ସଂଖ୍ୟା‌ରେ କର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ଧ୍ବନିରେ ମୁଖରିତ ହୋଇଥିଲା ନବୀନ ନିବାସ ପରିସର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସି ସମସ୍ତଙ୍କ ହାତ ହଲାଇ ଖୁସି ମନାଇଥିଲେ। କୋଭିଡ୍‌ ପରଠାରୁ ଗଣମାଧ୍ୟମକୁ ନବୀନ ନିବାସ ଭିତରକୁ ସାଧାରଣତଃ ଛଡ଼ାଯାଉ ନଥିଲା ବେଳେ ଆଜି କଟକଣା ଉଠାଇ ଦିଆଯାଇଥିଲା। ବାହାରେ ଅପେକ୍ଷା କରିଥିବା ସବୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ୟାମେରା ସହ ଭିତରକୁ ଯିବାକୁ ଅନୁମତି ମିଳିଥିଲା। ସେଠାରେ ମଧ୍ୟ ନେତା ଓ କର୍ମୀମାନେ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର