ବାଲିଆପାଳ, : ବିକାଶ ନାମରେ ବିନାଶ କରିବାକୁ ଷଡ଼୍‌ଯନ୍ତ୍ର ଚାଲିଛି। ଲୋକଙ୍କ ଭିଟାମାଟି ଓ ଶସ୍ୟଶ୍ୟାମଳା ଜମିକୁ ଛଡ଼ାଇ ନେଇ ବନ୍ଦର ଓ ବନ୍ଦରଭିତ୍ତିକ ଶିଳ୍ପ ପ୍ରତି‌ଷ୍ଠା ପାଇଁ ଉଦ୍ୟମ ହେଉଛି। ହେଲେ ଏହି ଉଦ୍ୟମକୁ ଗଣଆନ୍ଦୋଳନ ଦ୍ୱାରା ପ୍ରତିହତ କରାଯିବ। ଲୋକଙ୍କ ଭିଟାମାଟି ଓ ଜମିକୁ କେହି ସେମାନଙ୍କ ପାଖରୁ ଛଡ଼ାଇ ନେଇପାରିବେ ନାହିଁ। ବନ୍ଦର ହେଲେ ହଜାର ହଜାର ମତ୍ସ୍ୟଜୀବୀ ଜୀବିକା ହରାଇବେ। ଲୋକଙ୍କୁ ବାସହରା ଓ ଜୀବିକାହରା କରି ରାଜରାସ୍ତାରେ ଛିଡ଼ା କରାଇବା ଅଧିକାର କାହାର ନାହିଁ। ଏଭଳି ଜନମାରଣ ପ୍ରକଳ୍ପରୁ ସରକାର ଦୂରେଇ ଯାଆନ୍ତୁ। ଚୌମୁଖଠାରେ ବନ୍ଦର ପ୍ରତିଷ୍ଠା କରାନଯାଉ। ବାଲିଆପାଳ ଭିଟାମାଟି ସୁରକ୍ଷା ଆନ୍ଦୋଳନ ଭାରତବର୍ଷର ସବୁ ଜନଆନ୍ଦୋଳନକୁ ପ୍ରେରଣା ଯୋଗାଇଛି। ଏବେ ପୁଣି ସୁବର୍ଣ୍ଣରେଖା ବନ୍ଦର ବିରୋଧୀ ଆନ୍ଦୋଳନକୁ ଏହା ଦିଗ ଦେଉଛି ବୋଲି ଆଜି ଘାଟି ଆନ୍ଦୋଳନର ୩୮ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ଭାରତର ବିଶିଷ୍ଟ ଗାନ୍ଧିବାଦୀ ନେତା ପିଭି ରାଜଗୋପାଳ କହିଛନ୍ତି।

Advertisment

ବାଲିଆପାଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ରାଜଗୋପାଲଙ୍କ ସହ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବରିଷ୍ଠ ସିପିଆଇଏମ୍‌ ନେତା ଶିଶିର ହୁଇ, କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି, ବରିଷ୍ଠ କଂଗ୍ରେସ ନେତା ବିଜନ ନାୟକ, ଟିଏମ୍‌ସି ନେତା ନନ୍ଦନ ପାଲ, ସିପିଆଇ ନେତା ତପନ ଶିଖ, ଭିଟାମାଟି ସୁରକ୍ଷା କମିଟିର ସଭାପତି ସୁବାସ ଚୌଧୁରୀ ଯୋଗ ଦେଇ ବନ୍ଦର ପାଇଁ ଚୌମୁଖ ଉପଯୁକ୍ତ ଅଞ୍ଚଳ ନୁହେଁ ବୋଲି କହିଥିଲେ।

ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।