୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ଶନିବାର ରାଜଧାନୀ ଭୁବନେଶ୍ୱରରେ ୭୦ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।

ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ୧୨୦ ଟିଏ ବାଟାଲିଅନଠାରୁ ଆରମ୍ଭ କରି ଏନସିସି, ସ୍କାଉଟ, ଅଗ୍ନିଶମ, ସିଆରପିଏଫ, ବିଏସଏଫ୍, ଏନଏସ୍‌ଜି, କମିସନରେଟ ପୁଲିସ, ଟ୍ରାଫିକ୍, ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ପାଖାପାଖି ୫୩ଟି ଦଳ ଅଂଶଗ୍ରହଣ କରିଥିଲେ। ମହର୍ଷି ଡେୟାର ଡେଭିଲ୍‌ ଟିମ୍ ପରେଡ୍‌ରେ ନିଜ ଚମତ୍କୃତ କୌଶଳ ଦେଖାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହାଛଡ଼ା ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଗତବର୍ଷ ଭଳି ଚଳିତ ବର୍ଷ ଆନ୍ଧ୍ର ପୁଲିସର ଏକ ଦଳ ପରେଡ୍‌ରେ ଅଂଶଗ୍ରହଣ କରିଥିଲେ।

କମିସନରେଟ ପୁଲିସ ପକ୍ଷରୁ ପରେଡ୍‌ କାର୍ଯ୍ୟକ୍ରମ ବେଳେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ସମୁଦାୟ ୩୧ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫୦ଜଣ ପୁଲିସ ଅଫିସର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ଗାନ୍ଧୀ ମାର୍ଗର ଉଭୟ ପାର୍ଶ୍ବରେ ବାଉଁଶ ବାଡ଼ ଦିଆଯିବା ସହ ସବୁଜ ରଙ୍ଗର ତାର ଜାଲି ମଧ୍ୟରେ ରଖାଯାଇଥିଲା। ଏସଓଜି ଟିମ୍, ସ୍ବତନ୍ତ୍ର ଟାକଟିକା‌ଲ ୟୁନିଟ୍‌, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟକାରୀ ଦଳ, ସାଦା ପୋଷାକଧାରୀ ପୁଲିସ ଗାନ୍ଧୀମାର୍ଗ‌ରେ ନିୟୋଜିତ ହୋଇଥିଲେ। କୌଣସି ପ୍ରକାର ଅଘଟଣ ଉପରେ ନଜର ରଖିବାକୁ ଗାନ୍ଧୀ ମାର୍ଗରେ ୬୦ରୁ ଅଧିକ ସିସି କ୍ୟା‌ମେରା ଖଞ୍ଜା ଯାଇଥିଲା। ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ ସାହୁ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରେଡର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର