ବିଜେଡି କାର୍ଯ୍ୟାୟରେ ମହିଳା ଦିବସ

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ

ଭୁବନେଶ୍ୱର : ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ। ୫୦ ପ୍ରତିଶତ ପଞ୍ଚାୟତରେ ମା’ମାନେ ଗାଁର ବିକାଶ ଦାୟିତ୍ୱ ନେଇଛନ୍ତି। ମମତା ଓ ମିସନ୍‌ ଶକ୍ତି ଆଦି କାର୍ଯ୍ୟକ୍ରମରେ ମା’ମାନଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତିକରଣକୁ ଜୋର୍‌ଦାର୍‌ କରାଯାଇଛି। ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଦଳୀୟ କର୍ମୀମାନଙ୍କୁ ଆହ୍ଵାନ ଦେଇ ସେ କହିଥିଲେ, ମହିଳାମାନଙ୍କ ସମ୍ପୂର୍ଣ୍ଣ ସଶକ୍ତିକରଣ ଆମର ଲକ୍ଷ୍ୟ। ବିଜେଡିର ସଂଗଠନକୁ ଦୃଢ଼ କରିବାରେ ମା’ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଆପଣମାନେ ସହର ଓ ଗାଁର ପ୍ରତି ପରିବାର ସହ ଯୋଡ଼ି ହୁଅନ୍ତୁ, ମା’ମାନଙ୍କ ପାଇଁ ଥିବା ଯୋଜନା ଓ ସୁବିଧା ସମ୍ପର୍କରେ ସେମାନଙ୍କୁ ସଚେତନ କରାନ୍ତୁ। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟୁକୁନି ସାହୁ ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମହିଳାମାନଙ୍କ ବିକାଶ, ସୁରକ୍ଷା ଓ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ପ୍ରତିବଦ୍ଧତାକୁ ମହିଳା ସମାଜ ନିକଟରେ ପହଞ୍ଚାଇବାକୁ ବିଜୁ ମହିଳା ଜନତା ଦଳର ପ୍ରତ୍ୟେକ ସଦସ୍ୟ ଆନ୍ତର୍ଜାତିକ ମହିଳା ଦିବସରେ ଶପଥ ନେବାକୁ ବକ୍ତାମାନେ ଆହ୍ଵାନ ଦେଇଥିଲେ।

ବିଜେପି କାର୍ଯ୍ୟାଳୟରେ ମହିଳା ଦିବସ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଆଜି ପାଳିତ ହୋଇଯାଇଛି। ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ଦେଶ ତଥା ରାଜ୍ୟର ବିକାଶରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ମହିଳାମାନଙ୍କ ସହଭାଗିତା ନିହାତି ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମହିଳାଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ।

ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମାଳବିକା ରାୟ ଯୋଗ ଦେଇଥିଲେ। ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସିମନ୍ତିନୀ ଜେନା ଓ ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ମହିଳା ମୋର୍ଚ୍ଚାର ସାଂଗଠନିକ କ୍ଷେତ୍ରରେ ଦକ୍ଷତା ରଖିଥିବା ୫ ପୂର୍ବତନ ରାଜ୍ୟ ସଭାନେତ୍ରୀ, ୫ ଜିଲ୍ଲା ସଭାନେତ୍ରୀ ଓ ୫ ମଣ୍ଡଳ ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ପୂର୍ବତନ କଟକ ମେୟର ନିବେଦିତା ପ୍ରଧାନ, ବିଜୟଲକ୍ଷ୍ମୀ ମିଶ୍ର, ଗାୟତ୍ରୀ ଦାଶ ଓ ଜୟନ୍ତୀ ପଢ଼ିଆରୀ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକଙ୍କୁ ‘ଅନନ୍ୟା ପ୍ରତିଭା’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର