ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପରେଡ ଆୟୋଜିତ ହୋଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ କଟକଣା ଭିତରେ ଆୟୋଜିତ ଏହି ଉତ୍ସବର ସୋସିଆଲ ମିଡିଆରେ ସିଧାପ୍ରସାରଣ କରାଯାଇଛି।
ରାଜ୍ୟସ୍ତରୀୟ ପରେଡରେ ୧୦ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ପ୍ରଥମଥର ପାଇଁ ବିଏସ୍ଏଫ୍ ରାଜ୍ୟସ୍ତରୀୟ ପରେଡ୍ରେ ଅଂଶଗ୍ରହଣ କରିଛନ୍ତି। ତେବେ ପରେଡରେ କୌଣସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନାହାନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି।
ଏଣେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ କମିସନର ସାଧାରଣତନ୍ତ୍ର ଉତ୍ସବ ପାଳନ ଲାଗି ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫ ଜଣ ଉପସ୍ଥିତ ରହିପାରିବେ।
ଅପରପକ୍ଷରେ କ୍ଲବ୍, ବେସରକାରୀ ଅନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯିବ। ଜାତୀୟ ପତାକା ଉତ୍ତୋଳନ ବେଳେ ମାସ୍କ ପିନ୍ଧିବା, ସାନିଟାଇଜ୍ କରାଯିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ସବୁ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/st.png)