ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ, ନୂଆଦିଲ୍ଲୀ ପକ୍ଷରୁ ଆଜି ହୋଟେଲ କଳିଙ୍ଗ ଅଶୋକରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୮ତମ ପୁଣ୍ୟତିଥି ପାଳିତ ହୋଇଛି। ଫକୀରମୋହନ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ମିହିର କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବ୍ୟାସକବିଙ୍କ ‘ରାଣ୍ଡିପୁଅ ଅନନ୍ତା’ ଗଳ୍ପ ଆଧାରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’ର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ, ଅନନ୍ତାର ମା’ ଭୂମିକାରେ ଥିବା ଜ୍ୟୋତିର୍ମୟୀ ପଣ୍ଡା, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ଶ୍ରୀଦେବ ଏବଂ  ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ, ପ୍ରଫେସର ବସନ୍ତ କୁମାର ପଣ୍ଡା, ‘ପ୍ରମେୟ’ର ସମ୍ପାଦକ ଗୋପାଳ ମହାପାତ୍ର, ‘ପୌରୁଷ’ ପତ୍ରିକାର ସମ୍ପାଦକ ଅସିତ ମହାନ୍ତି ଓ କବି ନିରାକାର ଦାସଙ୍କୁ ରଜ ବେଭାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

ଫାଉଣ୍ଡେସନର ସଭାପତି ପ୍ରଫେସର ମନିକା ଦାସ ଫାଉଣ୍ଡେସନ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ଫକୀରମୋହନଙ୍କ ସାହିତ୍ୟ, ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ  ବିଶେଷ କରି ତରୁଣମାନଙ୍କ ମନ ଓ ପ୍ରାଣକୁ ଛୁଇଁଲା ପରି କାର୍ଯ୍ୟକ୍ରମ ସବୁ ଜାରି ରଖିବା ଫାଉଣ୍ଡେସନ୍‌ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। କାଳଜୟୀ ସାହିତ୍ୟକୁ ନେଇ ଆହୁରି ଅଧିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଲେ ଓଡ଼ିଆ ଚଳଚ୍ଚିତ୍ର ତା’ର ପୂର୍ବ ଜନପ୍ରିୟତା ଲାଭ କରିବା ସହିତ ସାହିତ୍ୟିକମାନଙ୍କୁ ଶ୍ରେଷ୍ଠ ସମ୍ମାନ ଦିଆଯାଇପାରିବ ବୋଲି ଉପସ୍ଥିତ ଥିବା ବହୁ ସାହିତ୍ୟିକ ଓ ସିନେ ଆଲୋଚକମାନେ ମତ ରଖିଥିଲେ। ଫାଉଣ୍ଡେସନ୍‌ର ସଚିବ ଦେବାନନ୍ଦ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନାୟକ ସବ୍ୟସାଚୀ ମିଶ୍ରଙ୍କ ମା’ କବି ସୁଷମା ମିଶ୍ର, ପିତା ସୁରେନ୍ଦ୍ର ପ୍ରସାଦ ମିଶ୍ର ଓ ଫାଉଣ୍ଡେସନ୍‌ର ଟ୍ରଷ୍ଟି ଉଦୟନାଥ ଦାସ ପ୍ରମୁଖ ବହୁ ସାହିତ୍ୟିକ ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଯୋଗ ଦେଇଥିଲେ।