୨୦୨୧ ଜନଗଣନା ପାଇଁ ଜନଗଣନା ଅଧିକାରୀ ନିଯୁକ୍ତ

ଭୁବନେଶ୍ବର : ୨୦୨୧ ଜନଗଣନା ପାଇଁ ରାଜ୍ୟ ସରକାର ଜିଲ୍ଲା ଓ ପୌରାଞ୍ଚଳରେ ଜନଗଣନା ଅଧିକାରୀ ନିଯୁକ୍ତ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ମୁଖ୍ୟ ଜନଗଣନା ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ପୌରାଞ୍ଚଳ ଓ ମହାନଗର ଅଞ୍ଚଳରେ ସମ୍ପୃକ୍ତ କମିସନର ମୁଖ୍ୟ ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ସ୍ତରରେ ଜନଗଣନା କାର୍ଯ୍ୟର ତଦାରଖ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କୁ ଜିଲ୍ଲା ଜନଗଣନା ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଡେପୁଟି କଲେକ୍ଟରମାନେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଯୋଜନା ପରିସଂଖ୍ୟାନ ବିଭାଗ ଉପନିର୍ଦେଶକମାନେ ଅତିରିକ୍ତ ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ। ଉପଜିଲ୍ଲାପାଳମାନେ ସବ୍‌-ଡିଭିଜନାଲ ଜନଗଣନା ଅଧିକାରୀ ଭାବେ ସେମାନଙ୍କ ପରିସୀମା ଭିତରେ କାର୍ଯ୍ୟକରିବେ। ସହରାଞ୍ଚଳ ବ୍ୟତୀତ ଗୋଟିଏ ତହସିଲ ଅଞ୍ଚଳରେ ଜନଗଣନା ଅଧିକାରୀ ଭାବେ ସମ୍ପୃକ୍ତ ତହସିଲଦାର ଦାୟିତ୍ବ ତୁଲାଇବେ। ସେହିପରି ବ୍ଲକ୍ ସ୍ତରରେ ବିଡିଓମାନେ ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର