ଯୁବପିଢ଼ି ଗାଁ ମନସ୍କ ହୁଅନ୍ତୁ: ସୌମ୍ୟରଂଜନ

କଣ୍ଟାପଡ଼ା : ଆଧୁନିକତାର ଦ୍ୱାହି ଦେଇ ଯୁବପିଢ଼ି ପରମ୍ପରାଠାରୁ ଦୂରେଇ ଯାଆନ୍ତୁ ନାହିଁ। ସେମାନେ ଆଧୁନିକ ଜୀବନଶୈଳୀ ଆପଣାନ୍ତୁ, ନୂଆ ନୂଆ ବୈଜ୍ଞାନିକ ଉପଲବ୍ଧିର ବ୍ୟବହାର କରନ୍ତୁ। କିନ୍ତୁ, ଶହଶହ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାଠାରୁ ମୁହଁ ଫେରାନ୍ତୁ ନାହିଁ। କଣ୍ଟାପଡ଼ା ବ୍ଲକ୍‌ ଅନ୍ତର୍ଗତ ସୁନ୍ଦର ଗ୍ରାମରେ ନିତାଇଗୌର ସମିତି ପକ୍ଷରୁ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ ଶତବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ି ପରମ୍ପରା ପ୍ରତି ବିମୁଖ ନହେବାକୁ ଆହ୍ବାନ ଦେଇଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପରମ୍ପରା ଗାଁରେ ବଞ୍ଚିଛି ବୋଲି କୁହାଯାଏ। ବର୍ତ୍ତମାନ ସମାଜର ଆହ୍ବାନ ହେଉଛି ଗାଁକୁ ଫେରି ଚାଲ। ସେହି ସମୟ ଆସୁଛି ବୋଲି ସେ ଅନୁଭବ କରୁଛନ୍ତି। ଯଦି ସୁନ୍ଦର ଗ୍ରାମରେ ପାଠ ପଢୁଆ ଯୁବକ ଯୁବତୀ ଇଣ୍ଟରନେଟ୍ ଓ ବିଭିନ୍ନ ଟେକ୍‌ନୋଲୋଜି ମାଧ୍ୟମରେ ଘରେ ବସି ଚାକିରି, ବେପାର ବାଣିଜ୍ୟ ଓ କାମ କରିପାରିବେ, ତେବେ ସେମାନେ କଟକ ଭୁବନେଶ୍ୱର କାହିଁକି ଯିବେ? ଏବେ ଗାଁ ଦାଣ୍ଡରେ ଆଉ କାଦୁଆ ନାହିଁ। ସବୁଠି ସିମେଣ୍ଟ୍‌, କଂକ୍ରିଟ୍‌ ରାସ୍ତା। ତେଣୁ ଯୁବ ପିଢ଼ି ଗାଁ ମନସ୍କ ହୁଅନ୍ତୁ। ବିଜ୍ଞାନର ଅଗ୍ରଗତି ଓ ଆଧୁନିକତା ଭିତରେ ମଧ୍ୟ ଆମ ସମାଜର ବହୁମୂଲ୍ୟ ପରମ୍ପରାଗୁଡ଼ିକୁ ଧରି ରଖନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ନିତାଇଗୌର ସମିତିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ତଥା ଗାନ୍ଧୀ ଶାନ୍ତି ଫାଉଣ୍ଡେସନ୍‌ର ସଭାପତି ମନୋରଞ୍ଜନ ମହାନ୍ତି ଯୋଗଦେଇ କହିଲେ ଯେ ଗୋଟିଏ ଅଞ୍ଚଳର ବିକାଶ ଓ ପରିଚୟ ସେ ଅଞ୍ଚଳର ବ୍ୟକ୍ତିବିଶେଷଙ୍କ ପ୍ରତିଷ୍ଠା, ପୂଜ୍ୟପୂଜ୍ୟା ଓ ପରମ୍ପରା ଉପରେ ନିର୍ଭର କରେ। ନିଜ ପରମ୍ପରା ପ୍ରତି ସୁନ୍ଦର ଗ୍ରାମବାସୀଙ୍କ ଭଲପାଇବା ରହିଛି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିଲେ ବି ସେମାନେ ଗାଁର ଦଶହରା ଜନ୍ତାଳ ଅଷ୍ଟପ୍ରହରୀକୁ ଆସନ୍ତି। ଏକାଠି ହୋଇ ପରସ୍ପର ସହ ଅନ୍ତରଙ୍ଗ ସଂପର୍କ ବଢ଼ାନ୍ତି। ସୁନ୍ଦରଗ୍ରାମର ଭାଇଚାରା ବେଶ୍ ପୁରୁଣା। ଏକଦା ଏଠାରେ ଥାନା ପ୍ରତିଷ୍ଠା ପ୍ରସ୍ତାବକୁ ଗ୍ରାମବାସୀ ପ୍ରତ୍ୟାଖ୍ୟାନ କରିଥିଲେ। ନିଜ କଥା ନିଜେ ସମାଧାନ କରିବେ ବୋଲି ଜଣାଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୌରୁଷର ସମ୍ପାଦକ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଅସିତ ମହାନ୍ତି ଯୋଗଦେଇ ଅଷ୍ଟପ୍ରହରୀ ନାମଯଜ୍ଞର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ଅଷ୍ଟପ୍ରହରୀ, ଦ୍ବାଦଶପ୍ରହରୀ, ଚବିଶପ୍ରହରୀ ପାଳନ ହୋଇ ଆସୁଛି। ଯଦିଓ କୁହାଯାଏ ଶ୍ରୀ ଚୈତନ୍ୟଙ୍କ ଦ୍ବାରା ବୈଷ୍ଣବ ଧର୍ମର ପ୍ରଚାର, ପ୍ରସାର ପରେ ଏହି ନାମଯଜ୍ଞ ଲୋକପ୍ରିୟତା ଲାଭ କରିଛି। କିନ୍ତୁ ଅସଲରେ ଉତ୍କଳୀୟ ଧର୍ମଧାରାରେ ଏହା ବହୁ ପ୍ରାଚୀନ କାଳରୁ ରହି ଆସିଛି। ବ୍ୟାସକୃତ ଶ୍ରୀମଦ୍‌ଭାଗବତରେ ନବଧା ଭକ୍ତିର କଥା କୁହାଯାଇଛି। ସେଥିରେ ଶ୍ରବଣ ଓ କୀର୍ତ୍ତନ ଅନ୍ତର୍ଭୁକ୍ତ। ପୁନଃନିର୍ମାଣ ପରେ ଶ୍ରୀ ଜଗନ୍ନାଥଙ୍କ ଦାରୁବିଗ୍ରହକୁ ଶ୍ରୀମନ୍ଦିରକୁ ଅଣାଯିବା ସମୟରେ ସଂକୀର୍ତ୍ତନ କରାଯାଇଥିବା ପ୍ରମାଣ ରହିଛି। ଏହା ଓଡ଼ିଆ ଅସ୍ମିତାର ଅଂଶବିଶେଷ।

ଅଷ୍ଟପ୍ରହରୀ ଶତବାର୍ଷିକ ଉପଲକ୍ଷେ ଧୃତିକାମ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକା ‘ଶତବିଭା’କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ଜିତେନ୍ଦ୍ର କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶ୍ୟାମାପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ନିତାଇଗୌର ସମିତିର ଫନିଭୂଷଣ ମହାନ୍ତି, ରାମପ୍ରସାଦ ମହାନ୍ତି ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜଣାଶୁଣା ସାହିତ୍ୟିକ ତଥା ଭାଷାବିତ୍ ଡକ୍ଟର ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିଲେ। ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଓ ସାଥୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର