ବ୍ରହ୍ମପୁର/ପାତ୍ରପୁର/ଚିକିଟି: ‘ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଭୀମପୁର ଉନ୍ନୀତ ଉଚ୍ଚବିଦ୍ୟାଳୟ ତା’ର ଶତବାର୍ଷିକୀ ଉତ୍ସବ ପାଳନ କରୁଛି। ଯାହାକି ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ସୀମାନ୍ତ ଅଞ୍ଚଳ ସବୁ କ୍ଷେତ୍ରରେ ଅବହେଳିତ ବୋଲି କୁହାଯାଏ। କିନ୍ତୁ ଏହି ବିଦ୍ୟାଳୟ ଆଜି ଶତବାର୍ଷିକୀ ପାଳନ କରି ସୁଦୃଢ଼ ଶିକ୍ଷାଦାନ ବ୍ୟବସ୍ଥାର ଏକ ଉଦାହରଣ ସାଜିଛି। ଜଣେ ପାଶ୍ଚାତ୍ୟ ଦାର୍ଶନିକ କହିଥିଲେ, ‘ଜ୍ଞାନ ହିଁ ଶକ୍ତି’। ସେ ସମୟ ଅପେକ୍ଷା ବର୍ତ୍ତମାନ ଏହି ଉକ୍ତିର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ୨୦୩୬ରେ ଓଡ଼ିଶା ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି। ଏଣୁ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିକ୍ଷାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ବଦ୍ଧପରିକର।’ ଭୀମପୁର ଉନ୍ନୀତ ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ଭୀମପୁର ଉନ୍ନୀତ ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ
ଐତିହ୍ୟ ବିଦ୍ୟାଳୟରେ ସାମିଲ ହେବ ଭୀମପୁର ଉଚ୍ଚବିଦ୍ୟାଳୟ
ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ
୫-ଟି ସ୍କୁଲ୍ ବ୍ୟବସ୍ଥା ପ୍ରହସନ ଥିଲା

ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ବର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତା’ର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧି ଧରି ସୀମାନ୍ତ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି। ବ୍ରିଟିସ୍‌ ସରକାର ଦ୍ବାରା ପ୍ରଚଳିତ ଶିକ୍ଷାନୀତିରେ କେବଳ କିରାଣି ଓ ଅଧିକାରୀ ପ୍ରସ୍ତୁତ କରିବା ଲକ୍ଷ୍ୟ ରହିଥିଲା। ଜ୍ଞାନ ଆହରଣ ଓ ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନଥିଲା। ବର୍ତ୍ତମାନ ଶିକ୍ଷା ପଦ୍ଧତି ହେଉଛି ପାଠ ପଢ଼ାଇ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ି ସମାଜ ଗଠନର ଗୁରୁ ଦାୟିତ୍ବ ନ୍ୟସ୍ତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଶାସନଭାର ନେଲା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ୨୦୨୦ ମସିହାରେ ମୋଦୀଜୀଙ୍କ ଦିଗ୍‌ଦର୍ଶନରେ ନୂତନ ଶିକ୍ଷାନୀତି ଦେଶରେ ପ୍ରଣୟନ ହୋଇଥିଲା। ଦୁର୍ଭାଗ୍ୟର କଥା, ଆମ ରାଜ୍ୟରେ ଏହି ନୂତନ ଶିକ୍ଷାନୀତିକୁ ୫ବର୍ଷ ଧରି ଲାଗୁ କରାଯାଇ ନଥିଲା। ଆଜି ଆମ ସରକାର ଆସିବା ପରେ, ଏହାକୁ ଲାଗୁ କରାଯାଇଛି। ଏହାଦ୍ବାରା ନିଶ୍ଚିତଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ଏହାସହିତ ପୂର୍ବ ସରକାରଙ୍କ ୫-ଟି ସ୍କୁଲ୍ ବ୍ୟବସ୍ଥା ଏକ ପ୍ରହସନ ଥିଲା। ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୀମପୁର ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଖୁବ୍‌ଶୀଘ୍ର ଐତିହ୍ୟ ବିଦ୍ୟାଳୟରେ ସାମିଲ କରାଯିବ। ଏହାସହିତ ମୁଖ୍ୟମନ୍ତ୍ରୀ ସ୍କୁଲର ୪ ଜଣ ବର୍ଷୀୟାନ ପୁରାତନ ଛାତ୍ର ଏବଂ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ସଭାପତିତ୍ବରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ରାଧାକୃଷ୍ଣ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ପ୍ରଧାନଶିକ୍ଷକ ସନ୍ତୋଷ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ପାତ୍ରପୁର ବ୍ଲକ୍‌ ଅଧ୍ୟକ୍ଷା ୱାଇ. ସଂଯୁକ୍ତା, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ଜିଲ୍ଲା ପରିଷଦ ସଭ୍ୟ ଏମ୍‌. କାମରାଜୁ, ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍‌. ତ୍ରିପତି ଓ ସମିତିସଭ୍ୟ ପ୍ରଶାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ବ୍ରହ୍ମପୁର: ‘ସମ୍ବଲପୁର ଭଳି ଆଗାମୀ ଦିନରେ ବ୍ରହ୍ମପୁରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଆପଣଙ୍କ ନିକଟକୁ ସରକାର ଆସ‌ିବେ। ଆପଣମାନଙ୍କର ଯାହା ଅଭିଯୋଗ ରହିଛି, ତାହା ନିଶ୍ଚିତ ଭାବେ ସମାଧାନ କରାଯିବ’।  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଭୀମପୁର ଉନ୍ନୀତ ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଆଜି ମୁଖ୍ୟଅତିଥି ଭାବେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହାସହ ସଭାସ୍ଥଳରେ କିଛି ଲୋକଙ୍କଠୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ଖୁବ୍‌ଶୀଘ୍ର ସେ ଗୁଡ଼ିକର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ସରକାର ହେଉଛି ଲୋକଙ୍କ ସରକାର। ଗରିବ ଲୋକଙ୍କ ସାଙ୍ଗରେ ସବୁ ବେଳେ ଏହି ସରକାର ରହିଛି। ଲୋକଙ୍କ ଦାବି ଶୁଣିବା ପାଇଁ ଆମ ସରକାର ପ୍ରସ୍ତୁତ ଅଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରାଜଧାନୀ ଭୁବନେଶ୍ବରୁ ସମ୍ବଲପୁରକୁ ଯାଇଥିଲା। ସେଠାରେ ‌ଆମ ସରକାର ଲୋକଙ୍କ ଅଭିଯୋଗ ଶୁଣିଥିଲେ।‌ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୬ ହଜାରରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣାଯାଇଥିଲା। କିଛି ଅଭିଯୋଗର ତ୍ବରିତ ସମାଧାନ ସହ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନ‌ରେ ବ୍ରହ୍ମପୁରରେ ମଧ୍ୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।