ପୁରୀ: ଅନ୍ତର୍ଦ୍ବନ୍ଦ୍ବ ଯେବେ ମନକୁ ବିଚଳିତ କରେ, ସେବେ ସାଧୁଙ୍କ ସଙ୍ଗତ ଓ ଆଶ୍ରୟ ଜୀବନକୁ ସରସ ସୁନ୍ଦର କରେ। ଯେବେ ଲକ୍ଷ୍ୟ ସକାରାତ୍ମକ ହୁଏ, ସେବେ ସଫଳତା ସହଜ ହୋଇଯାଏ ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହର ଉଦ୍ଯାପନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଲେ, ମାନବ ସେବା ହିଁ ପୁରୁଷୋତ୍ତମ ସେବା। ସ୍ବାମୀ ପ୍ରଣବାନନ୍ଦ ଜୀ ମହାରାଜ ଆଧ୍ୟାତ୍ମିକ ମୂଲ୍ୟବୋଧ ସହ ସମାଜକୁ ସେବାର ମାର୍ଗ ଦେଖାଇ ଯାଇଛନ୍ତି। ବନ୍ୟା ସମୟରେ ବିପନ୍ନଙ୍କ ସେବା କରି ସେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ହାତ ଗଢ଼ା ଏହି ସଂଘ ସମାଜ ପାଇଁ ସେବା ଓ ଆଧ୍ୟାତ୍ମିକତା ମୂଲ୍ୟବୋଧର ଆଲୋକବର୍ତ୍ତିକା ସାଜିଛି।
ସାଧୁଙ୍କ ସଙ୍ଗତ ଓ ଆଶ୍ରୟ ଜୀବନକୁ ସରସ ସୁନ୍ଦର କରେ
ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହ
‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କହିଲେ, କୌଣସି ସଂଘ ଶହେ ବର୍ଷ ପୂର୍ତ୍ତି ପାଳନ କରିବା ଏକ ବିରାଟ ଉପଲବ୍ଧି। ନିରବଚ୍ଛିନ୍ନ ସେବା ମନୋଭାବର ଏହା ପ୍ରମାଣ। ଦେଶରେ ଦେଖାଦେଇଥିବା କୋଳାହଳ, ଦେଶ ଦେଶ ମଧ୍ୟରେ ଯୁଦ୍ଧର ବିଭୀଷିକା, ଅସହିଷ୍ଣୁତା ଓ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିଚାଲିଥିବା ବେଳେ ଏବେ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାକୁ ସମୟ ନାହିଁ। ପିତାମାତାମାନେ ଅନ୍ତତଃ ପିଲାମାନଙ୍କୁ ସେବା ସମ୍ପର୍କରେ ଅବଗତ କରାଇବା, କେବଳ ନିଜ କଥା ନଭାବି ଅନ୍ୟମାନଙ୍କ ପାଇଁ ଚିନ୍ତା କରାଇବାର ଅବସର ସୃଷ୍ଟି କରିବା ଏବଂ ସେବାମନସ୍କ ହେବାକୁ ପ୍ରେରିତ କରି ସୁନ୍ଦର ପୃଥିବୀଟିଏ ଗଢ଼ିବାରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଏଭଳି ସ୍ଥିତିରେ ଭାରତ ସେବାଶ୍ରମ ସଂଘ ଭଳି ଅନୁଷ୍ଠାନର ସବୁଠୁ ବେଶି ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ସଂଘର ସାଧାରଣ ସମ୍ପାଦକ ବିଶ୍ବାତ୍ମାନନ୍ଦଜୀ ମହାରାଜ କହିଲେ, ସେବା ହିଁ ଧର୍ମ। ସେବା ହିଁ କର୍ମ। ସେବାରେ ହିଁ ସୁଖ, ସମୃଦ୍ଧି ଓ ସାମାଜିକ କଲ୍ୟାଣ ସାଧିତ ହେବ। ଲକ୍ଷାଧିକ ହିନ୍ଦୁଙ୍କୁ ଧର୍ମାନ୍ତର କରାଯାଇଥିବା ବେଳେ ଆମ ସନାତନ ହିନ୍ଦୁ ସଂସ୍କୃତି ପାଇଁ ଜାଗ୍ରତ ହେବାକୁ ପଡ଼ିବ। ସଂଗଠିତ ହୋଇ କାମ କରିବାକୁ ପଡ଼ିବ ବୋଲି କହିଥିଲେ। ଡ. ପ୍ରଶାନ୍ତ ରାଉତ ଆଧ୍ୟାତ୍ମିକ ଓ ସେବା କ୍ଷେତ୍ରରେ ସଂଘର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ବାମୀ ପୂର୍ଣ୍ଣାତ୍ମାନନ୍ଦଜୀ ମହାରାଜ, ସଂଘର ଯୁଗ୍ମ ସମ୍ପାଦକ ସ୍ବାମୀ ଶୁଭ୍ରାନନ୍ଦଜୀ ମହାରାଜ, ସ୍ବାମୀ ସମ୍ବିଧାନନ୍ଦଜୀ ମହାରାଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂଘର ଶତବାର୍ଷିକୀ ସ୍ମରଣିକା ‘ଶ୍ରୀକ୍ଷେତ୍ର’ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଏହି ଅବସରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଙ୍କୋଲୋଜିଷ୍ଟ ଡାକ୍ତର ଚିନ୍ମୟ ପାଣି, କଳା କ୍ଷେତ୍ରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ, ସାହିତ୍ୟ କ୍ଷେତ୍ରରେ ଡ. ଗୌରହରି ଦାସ, କ୍ରୀଡ଼ା କ୍ଷେତ୍ରରେ ସୁନୀଲ କୁମାର, ସମାଜସେବା କ୍ଷେତ୍ରରେ ଦି ବେଲ୍ର ସିଦ୍ଧାର୍ଥ ରୟଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ତୋଷ କୁମାର ଦାସଙ୍କୁ ଗୋପବନ୍ଧୁ ସେବାରତ୍ନ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ସଂଘ ସମ୍ପର୍କରେ ହୋଇଥିବା ଆଲେଖ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଅନନ୍ୟା ରାଉତ, ସ୍ବରୂପ ପ୍ରସାଦ ଓ ନର୍ମଦା ରାଉତଙ୍କୁ ଯଥାକ୍ରମେ ୨୦ ହଜାର, ୧୫ ହଜାର ଓ ୧୦ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/17/gadgdgdgdg-2025-11-17-00-47-14.jpg)