ପୁରୀ: ସତସଙ୍ଗ ଆଜି ଦେଶର ଏକ ବଡ଼ ଆଧ୍ୟାତ୍ମିକ ଏବଂ ସାମାଜିକ-ସଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି। ସତସଙ୍ଗର ଲକ୍ଷଲକ୍ଷ ଅନୁମାଗୀ ସମାଜ କଲ୍ୟାଣ ଲାଗି କାମ କରୁଛନ୍ତି। ଶ୍ରୀଶ୍ରୀଠାକୁରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତୁ ଏକ ସୁନ୍ଦର ଓଡ଼ିଶା ଓ ସୁନ୍ଦର ଭାରତ ଗଠନ ଲାଗି ଏକାଠି ହୋଇ କାମକରିବା ବୋଲି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ପୁରୀଠାରେ ଅନୁଷ୍ଠିତ ହେଉଥିବା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୧ତମ ଉତ୍କଳ ଆଗମନୀର ସ୍ମୃତି ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଉପସ୍ଥିତ ସତସଙ୍ଗୀ ଓ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି ପ୍ରଥମେ ଜୟ ଜଗନ୍ନାଥ ଓ ଜୟଗୁରୁ ବୋଲି କହିଥିଲେ । ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶହେ ବର୍ଷ ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଆଗ୍ରହ କ୍ରମେ ଶ୍ରୀଶ୍ରୀଠାକୁର ଭକ୍ତମାନଙ୍କ ସହ ପୂର୍ବବଙ୍ଗରୁ ଓଡ଼ିଶା ଆସିଥିଲେ। ଏହାର ସ୍ମୃତିରେ ପାଳନ ହେଉଥିବା ଉତ୍ସବର ଏହି ସ୍ବର୍ଣ୍ଣିମ ମୁହୁର୍ତ୍ତରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।
ରବିବାର ପୁରୀର ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗ ଦେଇଛନ୍ତି। ଏହି ଅବସରରେ ନିଜର ଅଭିଭାଷଣରେ ଜଷ୍ଟିସ ମିଶ୍ର ଜୀବନରେ ଗୁରୁଗ୍ରହଣର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ସେ କହିଥିଲେ ଯେ ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ, ତାଙ୍କଠାରେ ଭୁଲ ଦେଖାଯାଏ ନାହିଁ । ଶ୍ରୀଶ୍ରୀଠାକୁରଙ୍କ ଭଳି ଜଣେ ଗୁରୁ ଲାଭ କରିଥିବା ପ୍ରତ୍ୟେକ ବ୍ୟକ୍ତି ଗର୍ବିତ ଅନୁଭବ କରିବା ଉଚିତ। ଯଦି କେହି ଗର୍ବିତ ଅନୁଭବ କରୁ ନଥାନ୍ତି ତେବେ ସେ ଠିକ ମାର୍ଗରେ ନାହାନ୍ତି।
ସାଧାରଣ ସଭା ପ୍ରାରମ୍ଭରେ ମହୋତ୍ସବ କମିଟିର ଆବାହକ ଡକ୍ଟର ବିନାୟକ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ସତସଙ୍ଗର ବରିଷ୍ଠ କର୍ମକର୍ତ୍ତା ଡ. ନୃସିଂହ ତ୍ରିପାଠୀ, ଯତୀନ୍ଦ୍ରନାଥ ମହାନ୍ତି ଓ ଡମ୍ବରୁଧର ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏଥିରେ ସାରା ରାଜ୍ୟରୁ ୭୦ ହଜାରରୁ ଅଧିକ ଅନୁଗାମୀ ଯୋଗ ଦେଇଛନ୍ତି।
ବିଧାୟକ ଦେବୀ ପ୍ରସାଦ ମିଶ୍ର ଉଦବୋଧନ ଦେଇ ନେତାଜୀଙ୍କ ପିତା ଜାନକୀନାଥ ବୋଷ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କୁ ପୁରୀ ଆସିବାକୁ ନିମନ୍ତ୍ରଣ କରିଥିଲେ। ତାଙ୍କର ଆଗ୍ରହକ୍ରମେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପୁରୀ ଆସିଥିଲେ। ଆଜି ଏକବିଂଶ ଶତାବ୍ଦୀରେ ବି ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କର ବାଣୀ ସମସ୍ତଙ୍କୁ ପ୍ରଭାବିତ କରୁଛି। ଭଲ ମଣିଷ ତିଆରି ଲାଗି ଶ୍ରୀଶ୍ରୀ ଠାକୁରଙ୍କ ବାଣୀ ପ୍ରେରଣାଦାୟୀ ହୋଇ ରହିଛି।
ଦିନ ୧୧ଟା ୨୫ରେ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସାଢ଼େ ୧୧ ଟାରେ ସଭାସ୍ଥଳରେ ପହଞ୍ଚି ପ୍ରଥମେ ଶ୍ରୀଶ୍ରୀଠାକୁରଙ୍କ ପ୍ରତିକୃତିରେ ପୁଷ୍ପଅର୍ଘ୍ୟ ପ୍ରଦାନ କରିଥିଲେ ଓ ଉଦବୋଧନ ଦେଇ ସଭା ପରିତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଥିଲା।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜାନୁୟାରୀ ମାସର ଦ୍ୱିତୀୟ ରବିବାର ପୁରୀଠାରେ ଶ୍ରୀଶ୍ରୀଠାକୁରଙ୍କ ଉତ୍କଳ ଆଗମନୀ ସ୍ମୃତି ଉତ୍ସବ ପାଳନ କରାଯାଏ। ସତସଙ୍ଗ ସହ ଜଡ଼ିତ ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୋଇଥାନ୍ତି ।