ସମ୍ବଲପୁର: ବୁର୍ଲାରେ ସିନ୍ଧି ଡାକ୍ତର ଭାବେ ପରିଚିତ ସମାଜସେବୀ ଚିକିତ୍ସକ ତଥା ସର୍ବୋଦୟ ନେତା ଡା. ଅମରନାଥ ବର୍ମା (ଆଜାଦ, ସିନ୍ଧି ଡାକ୍ତର)ଙ୍କର ୧୦୦ ବର୍ଷ ୭ ମାସ ବୟସରେ ପରଲୋକ ହୋଇଯାଇଛି। ୯ ଜାନୁଆରି ୧୯୨୨ରେ ପଞ୍ଜାବ ଜଳନ୍ଧର ନିକଟ ତଲୱଣ୍ଡି ଗାଁ’ରେ ଜନ୍ମିତ ଡା. ବର୍ମା ୧୯୫୭ ମସିହାରେ ହୀରାକୁଦ ବନ୍ଧ ବନ୍ଦୋବସ୍ତ ସମୟରେ ବୁର୍ଲା ଆସି ସ୍ଥାୟୀ ଭାବେ ବସବାସ କରିଥିଲେ।
ସେ ବୁର୍ଲା ବଜାରରେ ଏକ କ୍ଲିନିକ୍ କରି ରୋଗୀଙ୍କୁ ଦେଖିବା ସହ ଆବଶ୍ୟକ ସ୍ଥଳେ ସାଇକଲ୍ରେ ଆଖପାଖ ଗାଁ’କୁ ଯାଇ ବି ଲୋକଙ୍କ ସେବା କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ସିନ୍ଧି ଡାକ୍ତରଭାବେ ବେଶ ପରିଚିତ ଥିଲେ। ଡା. ବର୍ମା ନିଜ ଯୁବାବସ୍ଥାରେ ପଞ୍ଜାବରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ବାଧୀନତା ପରେ ସେ ବିନୋବା ଭାବେଙ୍କ ସଂସ୍ପର୍ଶରେ ଆସି ସର୍ବୋଦୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ଭୂଦାନ ଆନ୍ଦୋଳନରେ ଭାଗ ନେଇ ୧୯୫୩ରୁ ୧୯୫୬ ମଧ୍ୟରେ ବିନୋବାଙ୍କ ସହ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ। ସ୍ବାଧୀନ ଚେତନା ଓ ବିଚାରାଧାରା ରଖୁଥିବାରୁ ସେ ନିଜ ନାମ ସହ ଆଜାଦ ଯୋଡ଼ିଥିଲେ ଓ ନିଜକୁ ଅମରନାଥ ଆଜାଦ ବୋଲାଉଥିଲେ।
ସେ ମଧ୍ୟ ଜୀବନ ତମାମ ଖାଦି ପିନ୍ଧୁଥିଲେ। ପରବର୍ତ୍ତୀ ସମୟରେ ସେ ଜନସେବା ପାଇଁ ବୁର୍ଲାକୁ ନିଜ କର୍ମସ୍ଥଳ ବାଛିଥିଲେ। ୧୯୫୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୬୦ ବର୍ଷରୁ ଅଧିକ ସମୟ ଧରି ସେ ବୁର୍ଲାରେ ସକ୍ରିୟ ରୋଗୀ ସେବାରେ ଜଡ଼ିତ ଥିଲେ ଓ ଲକ୍ଷଲକ୍ଷ ରୋଗୀଙ୍କ ଚିକିତ୍ସା କରିଥିଲେ। ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନି ନିବାସୀ ଡାକ୍ତର ବର୍ମାଙ୍କର ମଙ୍ଗଳବାର ଦିନ ୧ଟା ବେଳେ ଏକ ନର୍ସିଂହୋମ୍ରେ ପରଲୋକ ହୋଇଥିଲା। ତାଙ୍କର ତିନି ପୁଅ ଜୟଭଗବାନ ବର୍ମା, ବାଳକୃଷ୍ଣ ବର୍ମା, ଡା. ସୁବାସ ଚନ୍ଦ୍ର ବର୍ମା, ତିନି ଝିଅ ସର୍ଣ୍ଣା ବର୍ମା, ରେଖା ବର୍ମା, ଭାରତୀ ବର୍ମା ଓ ଅନ୍ୟ ଆତ୍ମୀୟ ପରିଜନ ଅଛନ୍ତି। ଆସନ୍ତା ୨୬ ତାରିଖ ଦିନ ତାଙ୍କ ଦାହସଂସ୍କାର କରାଯିବ ବୋଲି ପୁତ୍ର ଡା. ସୁବାସ ବର୍ମା ସୂଚନା ଦେଇଛନ୍ତି।