ଜଗତସିଂହପୁର: ‘ଦେଶର ସେବକ ହୁଅ, ଦେଶ ପାଇଁ କାମ କର।’ ଲୋକଙ୍କୁ ଏଭଳି ପରାମର୍ଶ ଦେଇ ଆସୁଥିବା ଜଗତସିଂହପୁର ଜିଲ୍ଲାର ଶେଷ ଶତାୟୁ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ (୧୦୬ ବର୍ଷ) ଆଉ ନାହାନ୍ତି। ୮ ଦିନ ହେଲା କଟକ ଏସ୍‌ସିବି ମେଡିକାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେ ଚିରନିଦ୍ରା ଯାଇଛନ୍ତି। ଏହି ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯିବା ସମୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।  ଗ୍ରାମ ଶ୍ମଶାନରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ରବୀନ୍ଦ୍ର କୁମାର ଦାସ ଅସୁସ୍ଥ ଥିବାରୁ ମଝିଆ ପୁଅ ନରେନ୍ଦ୍ର କୁମାର ଦାସ ମୁଖାଗ୍ନି ଦେଇଥିଲେ।

Advertisment

ବାଲିକୁଦା ବ୍ଲକ ଅନ୍ତର୍ଗତ ଭଗବାନ ସିଣ୍ଢୋଲ ଗ୍ରାମରେ ୧୯୧୭ ମସିହା ଜୁନ୍ ୧୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୬ ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଝାସ ଦେଇଥିଲେ। ମହାତ୍ମାଗାନ୍ଧୀଙ୍କ ‘କର ବା ମର’କୁ ଜୀବନର ପାଥେୟ କରି ସ୍ୱାଧୀନତା ସଂଗ୍ରାମ ପଥରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିହାରୀ, ମାଗୁଣି ରାଉତ, ନିତ୍ୟାନନ୍ଦ କାନୁନଗୋ, ନବକୃଷ୍ଣ ଚୌଧୁରୀଙ୍କ ସହ ସାମିଲ୍‌ ହୋଇଥିଲେ। ଏଥିପାଇଁ ଦୁଇଥର ଜେଲ୍ ଯାଇଥିଲେ। ଏରସମା ଥାନା ପୋଡ଼ିର ସେ ଥିଲେ ପ୍ରତ୍ୟକ୍ଷଦର୍ଶୀ। ୨୦୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୨୦ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଦ୍ୱିତୀୟ ଥର ସମ୍ବର୍ଦ୍ଧିତ ହୋଇଥିଲେ। ସେହିପରି ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ୭ ଥର ପୁରସ୍କୃତ ହୋଇଛନ୍ତି। ଅନେକ ସଂଗଠନ ଅନେକ ସଂସ୍ଥା ଦ୍ୱାରା ସମ୍ମାନିତ ହେଇଥିବା ଏହି ବର୍ଷୀଆନ୍ ସ୍ୱାଧୀନତା ସଂଗ୍ରାମୀ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ। କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅହିଂସା ରଥ ସମ୍ବର୍ଦ୍ଧନାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୀବନରେ କେବେ ବି ମେଡିକାଲରେ ଭର୍ତ୍ତି ହୋଇ ନ ଥିବା ସଂଗ୍ରାମୀ ବିଶ୍ୱନାଥ ଦାସ ଗତ ୨୩ ତାରିଖ ରବିବାର ନିଜ ବାସଭବନରେ ଅସୁସ୍ଥ ହୋଇପଡ଼ିଥିଲେ। ଜିଲ୍ଲପାଳ ପାରୁଲ ପଟ୍ଟୱାରୀଙ୍କ ତତ୍ତ୍ବାବଧାନରେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।