ଭୁବନେଶ୍ବର: ୨୦୩୬ରେ ଓଡ଼ିଶା ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ। ସେତେବେଳକୁ ରାଜ୍ୟର ପ୍ରଜନନ ହାର ହ୍ରାସ ପାଇବା ସହ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଥିବ। ପ୍ରକୃତ ଶ୍ରମଶକ୍ତି କୁହାଯାଉଥିବା ଯୁବବର୍ଗଙ୍କ ସଂଖ୍ୟା ମଧ୍ୟ ବହୁ ପରିମାଣରେ ବଢ଼ିଥିବ। ରାଜ୍ୟର ୨୭ ଜିଲ୍ଲାରେ ଜଣେ ମହିଳାରେ ପ୍ରଜନନ ହାର ଦୁଇ ସନ୍ତାନରୁ କମ୍ ରହିବାକୁ ଥିବା ବେଳେ ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରଜନନ ହାର ଜାତୀୟ ହାରଠାରୁ ଅଧିକ ରହିବ। ୨୦୧୧ରେ ଓଡ଼ିଶାରେ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୯.୩% ରହିଥିଲା। ୨୦୨୧ରେ ଏହା ୧୧.୫%କୁ ବୃଦ୍ଧି ପାଇଛି। ୨୦୩୬ ବେଳକୁ ତାହା ୧୭%ରେ ପହଞ୍ଚିଥିବ। ସେହି ତୁଳନାରେ ଦେଶରେ ବୟସ୍କଙ୍କ ସଂଖ୍ୟା ୨୦୨୧ ତୁଳନାରେ ୫% ବଢ଼ିବା ନେଇ ସିୱାଇଏସ୍‌ଡି ଦ୍ବାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ହୋଇଛି। ଅନ୍ୟପକ୍ଷରେ ପୁରୁଷ-ମହିଳା ଅନୁପାତ ବଢ଼ିବା ନେଇ ଆକଳନ କରାଯାଇଛି। ୨୦୨୧ରେ ୧୦୦୦ ବୟସ୍କ ପୁରୁଷଙ୍କ ମଧ୍ୟରେ ୧୦୪୨ଜଣ ମହିଳା ରହିଛନ୍ତି। ୨୦୩୬ ବେଳକୁ ତାହା ୧୦୮୨ରେ ପହଞ୍ଚିବ।

Advertisment

୨୭ ଜିଲ୍ଲାରେ ପ୍ରଜନନ ହାର କମିବ
ଗଞ୍ଜାମରେ ସର୍ବାଧିକ, ଦେବଗଡ଼ରେ ସର୍ବନିମ୍ନ ରହିବ
ଶିକ୍ଷାରେ ଉପକୂଳ ଓଡ଼ିଶା ସ୍ଥିତି ଭଲ

ରିପୋର୍ଟରେ କୁହାଯାଇଛି, ବର୍ତ୍ତମାନ ଓଡ଼ିଶାର ୧ଲକ୍ଷ ୫୫ ହଜାର ୭୦୭ ବର୍ଗ କିମିରେ ୪.୬ କୋଟି ଲୋକ ବସବାସ କରୁଛନ୍ତି। ଅର୍ଥାତ୍‌ ପ୍ରତି ବର୍ଗ କିମିରେ ୨୯୨ ଜଣ ରହୁଛନ୍ତି। ୨୦୩୬ ବେଳକୁ ଓଡ଼ିଶାର ଜନସଂଖ୍ୟାରେ ଆଉ ୩୦ ଲକ୍ଷ ଲୋ‌କ ଯୋଡ଼ି ହେବା ଦ୍ବାରା ଜନସଂଖ୍ୟା ୪.୯ କୋଟି ଅର୍ଥାତ୍‌ ୫ କୋଟିରେ ପହଞ୍ଚିବ। ସେତେବେଳକୁ ଦେଶର ଜନସଂଖ୍ୟା ୧୫୦ କୋଟି ଟପିଥିବ। ୨୦୧୧ରୁ ୨୦୨୧ ମଧ୍ୟରେ ଓଡ଼ିଶା ଜନସଂଖ୍ୟା ବୃଦ୍ଧି ୧୦%ରୁ କମ୍‌ ରହିଛି। ୨୦୨୧ରେ ୦-୪ ବର୍ଷ ବୟସ ଶିଶୁଙ୍କ ସଂଖ୍ୟା ୭.୬% ରହିଛି, ଯାହାକି ୨୦୩୬ରେ ୬%କୁ ହ୍ରାସ ପାଇଥିବ। ସେହିପରି ୫ରୁ ୧୪ ବର୍ଷ ବୟସଙ୍କ ସଂଖ୍ୟା ୧୬.୧%ରୁ ୧୨.୯%, ୧୫ରୁ ୨୪ ବର୍ଷ ବୟସଙ୍କ ସଂଖ୍ୟା ୧୭.୬%ରୁ ୧୩.୮%କୁ କମିଥିବ। ମାତ୍ର ୨୫ରୁ ୫୯ ବର୍ଷ ବୟସଙ୍କ ସଂଖ୍ୟା ୪୭.୩%ରୁ ୫୦.୩% ଏବଂ ୬୦ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୧୧.୫%ରୁ ୧୭%କୁ ବଢ଼ିବା ନେଇ ଆକଳନ କରାଯାଇଛି। ୨୦୩୬ ବେଳକୁ ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ସର୍ବାଧିକ ୪୩ ଲକ୍ଷ ୫୧ହଜାର ୧୫୯ରେ ପହଞ୍ଚିଥିବ, ଯେତେବେଳେ କି ଦେବଗଡ଼ର ଜନସଂଖ୍ୟା ସର୍ବନିମ୍ନ ୩ ଲକ୍ଷ ୮୬ହଜାର ୮୪୭ ରହିଥିବ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାର ରାୟଗଡ଼ାରେ ସର୍ବାଧିକ ୧୦୩୮ ରହିବ ବୋଲି ଆକଳନ କରାଯାଇଛି ଓ ନୟାଗଡ଼ରେ ସର୍ବନିମ୍ନ ୯୬୯ ରହିବ। ଜନସଂଖ୍ୟା ସାନ୍ଦ୍ରତା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୫୯ ଓ କନ୍ଧମାଳରେ ସର୍ବନିମ୍ନ ୧୧୭ ରହିବା ନେଇ ରିପୋର୍ଟରେ ଉଲ୍ଲେଖ ହୋଇଛି।

ସେପଟେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ହେଉଥିବା କୁହାଯାଇଛି। ଗତ ୪ ଦଶନ୍ଧି ମଧ୍ୟ‌ରେ ରାଜ୍ୟର ସାକ୍ଷରତା ହାର ଜାତୀୟ ହାର ପାଖାପାଖି ପହଞ୍ଚିଛି। ୨୦୧୧ରେ ସାକ୍ଷରତା ହାର ୭୨.୮୭% ରହିଥିଲା, ଯାହାକି ଜାତୀୟ ହାର ୭୨.୯୯%ଠାରୁ ସାମାନ୍ୟ କମ୍‌। ୨୦୧୯-୨୧ର ଏନ୍‌ଏଫ୍‌ଏଚ୍‌ଏସ୍‌ ଅନୁଯାୟୀ ଓଡ଼ିଶା ଜନସଂଖ୍ୟାର ୭୮.୮% ସାକ୍ଷର। ୭ରୁ ୧୪ ବର୍ଷ ବୟସଙ୍କ ସାକ୍ଷରତା ହାର ୯୮%ରୁ ଅଧିକ ଥିବା ବେଳେ ୩୦ ବର୍ଷ ବୟସରୁ ଅଧିକ ବୟସଙ୍କ କ୍ଷେତ୍ରରେ ସାକ୍ଷରତା ହାର ୬୬.୩% ରହିଛି। ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ମହିଳାଙ୍କ ସାକ୍ଷରତା ହାର ବହୁତ ଭଲ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷା ଗ୍ରହଣ କରୁଛନ୍ତି। ଛାତ୍ରୀଙ୍କ ଉପସ୍ଥାନ ଭଲ ଥିବା ବେଳେ ଡ୍ରପ୍‌ଆଉଟ୍‌ ରେଟ୍‌ ଏବେ ଓଡ଼ିଶା ଅଧିକ ରହିଛି। ସ୍କୁଲ ଛାଡ଼ିବା ପରେ ଛାତ୍ରୀମାନେ ଘର କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ସର୍ଭେ ରିପୋର୍ଟରେ କୁହାଯାଇଛି।