ପୁରୀ ବିମାନବନ୍ଦର ପାଇଁ କେନ୍ଦ୍ର ରାଜି

ପୁରୀରେ ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ, ପିପିପି ମୋଡ୍‌ ନେଇ ଖୁବ୍‌ ଶୀଘ୍ର କରାଯିବ ନିଷ୍ପତ୍ତି

ଭୁବନେଶ୍ୱର : ପୁରୀରେ ଐତିହ୍ୟ କରିଡର ପ୍ରକଳ୍ପ ବିକାଶ କାର୍ଯ୍ୟ ବିଧିବଦ୍ଧ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ପୁରୀରେ ସୋମବାରଠାରୁ ମହାଯଜ୍ଞ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ। ଠିକ୍ ଏମିତି ସମୟରେ ଏହି ପ୍ରକଳ୍ପର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଉଥିବା ପୁରୀ ଶ୍ରୀଜଗନ୍ନାଥ ଧାମରେ ଅନ୍ତର୍ଜାତୀୟ ବିମାନ ବନ୍ଦର କ୍ଷେତ୍ରରେ ଏକ ବଡ ଖବର ଆସିଛି। କେନ୍ଦ୍ର ସରକାର ପୁରୀର ସିପସରୁବାଲିରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ସ୍ତରର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ଲାଗି ହଁ ମାରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆଧାରରେ କେନ୍ଦ୍ରୀୟ ଟିମ୍ ଯେଉଁ ସର୍ଭେ ରିପୋର୍ଟ ଦେଇଥିଲା ତାହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇତିମଧ୍ୟରେ ଅନୁମୋଦନ କରିଛି। ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୈଷୟିକ ରିପୋର୍ଟ ମାଗିଛି, ଏହା ମିଳିବା ପରେ ଆମେ ଆଗେଇବୁ ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି।

ସୋମବାର ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆୟୋଜିତ ଉଡ଼ାନ୍ ଉତ୍ସବରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ପୁରୀ ଠାରେ ଏକ ଗ୍ରିନ୍‌ଫିଲ୍‌ଡ୍‌ ବିମାନବନ୍ଦର ନିର୍ମାଣ କରାଯିବ। କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିମାନବନ୍ଦର ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ବେସମାରିକ ବିମାନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରାୟ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଡିପିଆର୍ ପ୍ରସ୍ତୁତ କରିଥିଲୁ। ଏହା‌କୁ ଭିତ୍ତି କରି କେନ୍ଦ୍ରୀୟ ଟିମ୍ ବିମାନବନ୍ଦର ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେମାନେ କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରଣାଳୟରେ ଫିଜିବିଲିଟି ରିପୋର୍ଟ ଦାଖଲ କରିଥିଲେ। ଏହାକୁ ସବୁଜ ସଂକେତ ମିଳିଛି। ଏହାପରେ ଆମକୁ ‌ବୈଷୟିକ ରିପୋର୍ଟ ମଗାଯାଇଛି। ଏନେଇ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଛି। ଏଥିରେ ବିମାନବନ୍ଦର ପାଇଁ କ’ଣ ବାଧକ ଅଛି, କ’ଣ ସୁବିଧା ଅଛି, ଏୟାରଷ୍ଟ୍ରିପ୍ କେଉଁଠି ହେବ, କେତେ ଜମି ଆବଶ୍ୟକ, ଟର୍ମିନାଲ ବିଲଡିଂ କେଉଁ ଦିଗରେ ହେବ, ରନୱେ କେଉଁ ଦିଗରେ ଓ କେତେ ଲମ୍ବର ହେବ, ବିମାନ ପାର୍କିଂ ଅଞ୍ଚଳ କେଉଁଠି ହେବ, ଏଟିସି ଟାୱାର କେଉଁ ଦିଗରେ ଓ କେଉଁଠି ନିର୍ମାଣ ହେବ, ପବନର ଦିଗ ଓ ବେଗ କେଉଁଠି କେତେ ରହୁଛି ‌‌ଇତ୍ୟାଦି ବିଷୟ ଉପରେ ମାସେ ମଧ୍ୟରେ ରିପୋର୍ଟ ‌ଦିଆଯିବ।

କେନ୍ଦ୍ରର ମଞ୍ଜୁରୀ ମିଳିବା ପରେ ବିମାନବନ୍ଦରକୁ ପିପିପି ମୋଡରେ ନିର୍ମାଣ କରାଯିବ କି ରାଜ୍ୟ ସରକାର ନିଜ ଅର୍ଥରେ ନିର୍ମାଣ କରିବେ ସେନେଇ ନିଷ୍ପତ୍ତି ହେବ। ଏ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ତେଣୁ ଆମେ ଏବେ କେବଳ କେନ୍ଦ୍ରର ନୀତିଗତ ମଞ୍ଜୁରୀକୁ ଅପେକ୍ଷା କରିଛୁ। ଏହା ମିଳିଲେ ଯଥାସମ୍ଭବ ଶୀଘ୍ର ପୁରୀରେ ଏକ ଅନ୍ତର୍ଜାତୀୟ ମାନର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର