ରାଜ୍ୟର ଘରୋଇ ହସ୍‌ପିଟାଲ୍‌ରେ ଟିକାକରଣ ପାଇଁ ଅନୁମତି ଦେଲା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାର ଘରୋଇ ହସ୍‌ପିଟାଲ୍‌ରେ ଟିକାକରଣ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ବିଜ୍ଞପ୍ତି ଜାରି କରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଟିକାକରଣ ନେଇ ଶ୍ରୀ ମହାପାତ୍ର ସବୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ୧୮୩ଟି ଘରୋଇ ହସ୍‌ପିଟାଲରେ କରୋନା ଟିକା ଦିଆଯିବ। ୬୦ ବର୍ଷରୁ ଅଧିକ ବ୍ୟକ୍ତି ଓ ବିଭିନ୍ନ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି ଜଣାଯାଇଛି।

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇ ନଥିବାରୁ ପ୍ରଥମେ ଟିକା ମିଳିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଚିଠି ପରେ ଏବେ ଏହି ଦ୍ବନ୍ଦ୍ବ ଦୂର ହୋଇଛି। ଆସନ୍ତା ମାର୍ଚ୍ଚ ୧ ତାରିଖ ଠାରୁ ହେବାକୁ ଥିବା ଟିକାକରଣ ଓଡ଼ିଶାର ଘରୋଇ ହସ୍‌ପିଟାଲରେ ବି ହେବ।

ରାଜ୍ୟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକରଣ ନେଇ ସମସ୍ୟା ଦେଖାଦେଇଛି । କାରଣ ଆମ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଲାଗୁ ହୋଇନାହିଁ  ଏବଂ ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଏସକେୱାଇରେ ସାମିଲ ୧୮୩ ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଥିଲା । କେନ୍ଦ୍ର ସରକାରଙ୍କ ତାଲିକା ଅନୁଯାୟୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକେନ୍ଦ୍ର କରିବାକୁ କୁହାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର