ଭୁବନେଶ୍ୱର: ମହାଦେବି ବେଟିଂ ଆପ୍ ଲୁଟ୍‌ ଟଙ୍କାରେ କଂଗ୍ରେସ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ୁଛି ବୋଲି ବିଜେପି ଅଭିଯୋଗ ଆଣିବା ପରେ ଆଜି କଂଗ୍ରେସର ବରିଷ୍ଠ ନେତା‌ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କର ସତ୍‌ସାହାସ ଅଛି ତେବେ ମହାଦେବ ଅନଲାଇନ୍ ବେଟିଂ ଆପକୁ ତୁରନ୍ତ ସମଗ୍ର ଦେଶରେ ବ୍ୟାନ କରାଯାଉ। ଏହାର ମୁଖ୍ୟ କିଙ୍ଗପିନ୍ ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକରକୁ ଗିରଫ କରାଯାଉ। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ ମହାଦେବ ଆପ୍ ସାର୍ବଜନୀନ ଏବଂ ସାରା ଦେଶରେ ପରିଚାଳିତ ହେଉଛି। ଛତିଶଗଡ଼ ହେଉଛି ପ୍ରଥମ ରାଜ୍ୟ ଯିଏ ମହାଦେବ ଆପ୍ ବିରୋଧରେ ୭୦ ରୁ ଅଧିକ ମାମଲା ରୁଜୁ କରିଛି। ଛତିଶଗଡ଼ ପୁଲିସ ୪୫୦ ଜଣଙ୍କୁ ଗିରଫ କରିବା ସହ ୧୯୧ଟି ଲାପଟପ୍, ୮୬୫ଟି ମୋବାଇଲ,୧.୫ କୋଟିରୁ ଅଧିକ ମୂଲ୍ୟର ସମ୍ପତି, ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ୧୬ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ଏପରିକି ମାର୍ଚ୍ଚ ୩୦, ୨୦୨୨ରେ ଛତିଶଗଡ଼ରେ ପ୍ରଥମ ମାମଲା ରୁଜୁ ହୋଇଥିବାବେଳେ ଛତିିଶଗଡ଼ ପୁଲିସ ମଧ୍ୟପ୍ରଦେଶ, ଓଡ଼ିଶା, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ଚଢ଼ଉ କରି ଅନେକଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ମହାଦେବ ଆପ୍‌ ପାଇଁ ଛତିଶଗଡ଼ରେ କୌଣସି ଶାଖା କିମ୍ବା ଅପରେସନ୍ ବେସ୍ ନାହିଁ। ଏହି ଆପ୍‌ର ମାଷ୍ଟରମାଇଣ୍ଡ ଓ କିଙ୍ଗପିନ୍ ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକର ଦୁବାଇରୁ ଆପ୍ ପରିଚାଳନା କରୁଥିବା ଜଣାପଡ଼ିବା ପରେ ଛତିଶଗଡ଼ ପୁଲିସ ଜୁଲାଇ,୨୦୨୩ରେ ଲୁକ୍ ଆଉଟ୍‌ ନୋଟିସ ଜାରି କରିଥିଲା। ମହାଦେବ ଆପ୍‌କୁ ଛତିଶଗଡ଼ରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହିତ ସମଗ୍ର ଦେଶରେ ଏହାର ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ଏବଂ ଏହାର ସମ୍ପ୍ରସାରଣ ରୋକିବାକୁ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଏସବୁ ସତ୍ୱେ ଏହି ଆପ୍‌ ଏବେ ବି କାର୍ଯ୍ୟକ୍ଷମ ରହିଛି।

Advertisment

ଏହାସହ ଶ୍ରୀ କାନୁନ୍‌ଗୋ ବିଜେପିକୁ ତିନିଟି ପ୍ରଶ୍ନ କରିଛନ୍ତି ଯେ ବିଜେପି କାହିଁକି ଅନ୍‌ଲାଇନ୍ ଜୁଆଖେଳ ଉପରେ ୨୮% ଜିଏସ୍‌ଟି ଲାଗୁ କରି ତାକୁ ବୈଧତା ପ୍ରଦାନ କରିଛି? ମହାଦେବ ବେଟିଂ ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ଦୁବାଇରୁ କାହିଁକି ଗିରଫ କରାଯାଇନାହିଁ? ମହାଦେବ ବେଟିଂ ଆପ୍‌କୁ କେନ୍ଦ୍ର ସରକାର ବର୍ତମାନ ସୁଦ୍ଧା ସମଗ୍ର ଦେଶରେ କାହିଁକି ନିଷେଧ କରିନାହାନ୍ତି? ଏ ସମସ୍ତ ପ୍ରକ୍ରିୟାକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଛତିଶଗଡ଼ ରାଜ୍ୟ ନିର୍ବାଚନରେ ନିଜର ପରାଜୟକୁ ନେଇ ଭୀତତ୍ରସ୍ତ ହୋଇପଡ଼ିଥିବା ବିଜେପି କଂଗ୍ରେସ ସରକାରକୁ ବଦନାମ କରିବା ଏବଂ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରିବା ପାଇଁ ଇଡିର ସହାୟତା ନେଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମୀୟ ପାଣ୍ଡବ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ।