ଏ ଯାଏଁ ଦାବିପତ୍ର ଦେଇନାହାନ୍ତି ରାଜ୍ୟ ସରକାର

୧ରେ କେନ୍ଦ୍ରୀୟ ବଜେଟ୍‌, ସେଥିରେ ରହିବ ରେଳ ବ୍ୟୟବରାଦ

ଭୁବନେଶ୍ୱର: ଫେବ୍ରୁଆରି ୧ ତାରିଖରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଉପସ୍ଥାପନ କରିବେ ସାଧାରଣ ବଜେଟ୍‌। ଏଥିରେ ରେଳ ବିଭାଗ ପାଇଁ ବ୍ୟୟବରାଦ ରହିବ। ସ୍ୱତନ୍ତ୍ର ଭାବେ ଆଉ ରେଳ ବଜେଟ୍‌ ଉପସ୍ଥାପିତ ହେବନାହିଁ। କେନ୍ଦ୍ରୀୟ ବଜେଟ୍‌ ପାଇଁ ଆଉ ମାତ୍ର ୧୫ ଦିନ ବାକି। ଇତି ମଧ୍ୟରେ ରେଳ ବୋର୍ଡ ଓ ମନ୍ତ୍ରାଳୟ ପକ୍ଷରୁ ରେଳ ବିକାଶ ନିମନ୍ତେ ବ୍ୟୟବରାଦ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତିବର୍ଷ ପରି ଏଥର ଓଡ଼ିଶା ପକ୍ଷରୁ ବିଭିନ୍ନ ରେଳ ପ୍ରକଳ୍ପ, ନିର୍ମାଣାଧୀନ ପ୍ରକଳ୍ପ, ନୂଆ ଟ୍ରେନ୍‌, ଯାତ୍ରୀ ସୁବିଧା ଆଦି ନେଇ ବିସ୍ତତ ପ୍ରସ୍ତାବ ବା ସ୍ମାରକପତ୍ର ଅଦ୍ୟାବଧି କେନ୍ଦ୍ର ସରକାରଙ୍କୁ ଦିଆଯାଇନାହିଁ। ପୂର୍ବରୁ ରେଳ ବଜେଟ୍‌ ଫେବ୍ରୁଆରି ଶେଷାର୍ଧରେ ଉପସ୍ଥାପନ କରାଯାଉଥିଲା। ଡିସେମ୍ବର ମାସ ଶେଷ ଆଡ଼କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବିପତ୍ର ଦିଆଯାଉଥିଲା। ଏଥର ଅହେତୁକ ବିଳମ୍ବ ଘଟିଲାଣି। ଏଥର କେବେ ଦାବିପତ୍ର ଦିଆଯିବ; ସେହି ପ୍ରସ୍ତାବ, ଦାବିଗୁଡ଼ିକୁ କିପରି ରେଳ ମନ୍ତ୍ରାଳୟ କିପରି ବଜେଟ୍‌ରେ ସ୍ଥାନ ଦେଇପାରିବ ସେ ନେଇ ସଂଶୟ ସୃଷ୍ଟି ହୋଇଛି।

ଓଡ଼ିଶାରେ ରେଳ ବିକାଶ ପାଇଁ ରେଳ ମନ୍ତ୍ରାଳୟର ବ୍ୟୟବରାଦ ନେଇ ବଡ଼ ଧରଣର ଚଞ୍ଚକତା ଚାଲିଥିବା ସାମ୍ନାକୁ ଆସିଛି। ଏଭଳି ଚଞ୍ଚକତା ଚାଲିଛି ଗତ ଦୁଇବର୍ଷ ଧରି। ଏହାର ଏକ ଦୃଷ୍ଟାନ୍ତ ହେଉଛି ଗତ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ରେଳ କ୍ଷେତ୍ରରେ ବ୍ୟୟବରାଦ। ଗତବର୍ଷ ରାଜ୍ୟ ସରକାର ୫୮୭୦ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ ରେଳ ବଜେଟ୍‌ରେ ୫୧୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହାକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ବିଜେପି ନେତାଏଁ ଖୁସିରେ ଗଦ୍‌ ଗଦ୍‌ ହୋଇଯାଇଥିଲେ। ଏଭଳି ବ୍ୟୟବରାଦରେ ରେଳ ମନ୍ତ୍ରାଳୟର ଚଞ୍ଚକତା ଥିଲା। ଉପରକୁ ସିନା ୫୧୦୨ କୋଟି ସର୍ବକାଳୀନ ରେକର୍ଡ ଭାବେ ଦେଖାଯାଉଛି, ଏଥିରୁ ରେଳ ବିଭାଗର ପୁଞ୍ଜିବିନିଯୋଗ ବା କ୍ୟାପିଟାଲ୍‌ ବିନିଯୋଗ ରାଶି କେତେ ଶୁଣିଲେ ଏହା ଜାଲିଆତିଠାରୁ କିଛି କମ୍‌ ନୁହେଁ ପ୍ରତୀୟମାନ ହେବ। ୫୧୦୨ କୋଟିର ବ୍ୟୟବରାଦ ମଧ୍ୟରୁ ପାଖାପାଖି ୩ ହଜାର କୋଟି ଟଙ୍କା ମିଳିଛି ଓଡ଼ିଶାକୁ। ଅବଶିଷ୍ଟ ଦୁଇ ହଜାର କୋଟି ରେଳ ବିଭାଗ ବରାଦ କରିଛି ବ୍ୟବସ୍ଥା କରିଛି ଏକ୍ସଟ୍ରା ବଜେଟ୍‌ ରିସୋସେର୍ସ(ଇବିଆର୍‌) ଏବଂ ଆନୁଷ୍ଠାନିକ ଅର୍ଥଲଗାଣ(ଇନ୍‌ଷ୍ଟିଚ୍ୟୁନାଲ୍‌ ଫାଇନାନ୍‌ସିଂ) ସୂତ୍ରରୁ। ଏଥିରେ ରାଜ୍ୟ ସରକାରଙ୍କ ବଡ଼ ଧରଣର ଅଂଶଧନ ବି ରହିଛି। ପରୋକ୍ଷରେ ଏହାର ଅର୍ଥ ହେଉଛି ରାଜ୍ୟରେ ରେଳ ଜୋନ୍‌ ଯେତେ ରାଜସ୍ୱ ଆଦାୟ କରୁ ପଛେ, ସେହି ରାଜ୍ୟରେ ରେଳ ବିକାଶ ନିମନ୍ତେ ରାଜ୍ୟର ଅଂଶଧନ ବିନିଯୋଗ କରିବାକୁ ହେବ।

ରେଳ ବିଭାଗର ଜଣେ ବରିଷ୍ଠ ପଦାଧିକାରୀ କହିବାନୁସାରେ ଗତ ଦୁଇବର୍ଷ ଧରି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ଆର୍ଥିକ କୌଶଳ ଅବଲମ୍ବନ କରାଯାଉଛି। ଯଦିଓ ରେଳ କେନ୍ଦ୍ରୀୟ ବିଷୟ, ଏଥିରେ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗକୁ ଅଂଶୀଦାର ଭାବେ ବିବେଚନା କରାଯାଇଛି। କେବଳ ରାଜ୍ୟ ସରକାର ନୁହେଁ, ଆନୁଷ୍ଠାନିକ ଅର୍ଥ ଲଗାଣ(ଇନ୍‌ଷ୍ଟିଚ୍ୟୁନାଲ୍‌ ଫାଇନାନ୍ସିଂ)କୁ ପ୍ରୋତ୍ସାହିତ କରାଯାଇଛି। ସୂଚନାଯୋଗ୍ୟ ଯେ, ଖୋର୍ଧା-ବଲାଙ୍ଗୀର ରେଳପଥ ନିମନ୍ତେ ଗତ ବଜେଟ୍‌ରେ ପ୍ରାୟ ୭୦୦ କୋଟି ଟଙ୍କାର ବରାଦ କରାଯାଇଥିଲା। ଏଥିମଧ୍ୟରୁ ରେଳ ବିଭାଗର ଅଂଶ ମାତ୍ର ୨୦୦ କୋଟି। ଏହାର ସିଂହଭାଗ ଅର୍ଥାତ୍‌ ୫୦୦ କୋଟି ହେଉଛି ରାଜ୍ୟର ନିଜସ୍ୱ ସମ୍ବଳରୁ ବିନିଯୋଗ ହୋଇଛି। ଅନୁଗୁଳ-ଡୁବୁରୀ-ସୁକିନ୍ଦା ରୋଡ୍‌ ରେଳ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ସେହି ଅର୍ଥଭାର ଲଦି ଦିଆଯାଇଥିଲା ରାଜ୍ୟ ସରକାରଙ୍କ ମୁଣ୍ଡରେ। ସେହିପରି ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ୨୦୦ କୋଟି ବହନ କଲେ ରାଜ୍ୟ ସରକାର। ଏହି ୨ଟି ହେଉଛି ଇବିଆର। ଏ ବାବଦରେ ରେଳ ବିଭାଗର ବ୍ୟୟବରାଦ ଶୂନ। ତେବେ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ୨୫୦ କୋଟିର ବ୍ୟୟବରାଦ ରେଳ ମନ୍ତ୍ରାଳୟ ନିଜେ ବହନ କରିଥିଲା। ଇବିଆର, ଆଇଏଫ୍‌ ବାବଦରେ ରେଳ ମନ୍ତ୍ରାଳୟର ବୋଝ କମୁଛି, ରାଜ୍ୟ ସରକାରଙ୍କ ପୁଞ୍ଜି ବିନିଯୋଗ ହାର ବଢ଼ୁଛି। ବଜେଟ୍‌ରେ ଯେତେ ପରିମାଣର ବ୍ୟୟବରାଦ ହେଉଛି, ଡିସେମ୍ବର ମାସ ବେଳକୁ ସେହି ପରିମାଣ ଯଥେଷ୍ଟ ହ୍ରାସ କରାଯାଉଛି। ଜଣେ ରେଳ ବିଭାଗ ଅଧିକାରୀଙ୍କ କହିବାନୁସାରେ ଚଳିତ ବର୍ଷ ପୂର୍ବତଟ ରେଳ ପକ୍ଷରୁ ପ୍ରାୟ ୨୫୦୦ କୋଟି ଟଙ୍କା ଖର୍ଚ ହେବା ଏକପ୍ରକାର ନିଶ୍ଚିତ।

ସମ୍ବନ୍ଧିତ ଖବର