ଭୁବନେଶ୍ବର : ଆର୍ଥିକ, ସାମାଜିକ ଏବଂ ରାଜନୈତିକ କାରଣ ଯୋଗୁଁ ବିସ୍ଥାପନ ହୋଇଛି। ଏହା ସ୍ଥାୟୀ କିମ୍ବା ଅସ୍ଥାୟୀ ହୋଇପାରେ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିସ୍ଥାପନ ନେଇ କୌଣସି ଷ୍ଟଡି ରିପୋର୍ଟ ଆସି ନାହିଁ। ଫେବ୍ରୁଆରି ୭ ତାରିଖରେ ଲୋକସଭାରେ ସାଂସଦ ଡ. ଶ୍ରୀକାନ୍ତ ଏକନାଥ ସିନ୍ଧେ, ଡ.ହୀନା ଗଭିଟ୍ଙ୍କ ଅଣତାରକା ପ୍ରଶ୍ନରେ ପରିବେଶ, ଜଙ୍ଗଲ ବିଭାଗ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି ଉତ୍ତର ଆଶ୍ଚର୍ଯ୍ୟଜନକ ବୋଲି ସାଧାଣରେ ମତପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପନ ପ୍ରଥମେ ଓଡ଼ିଶାରେ ହୋଇଛି। ରାଜ୍ୟର ଅନେକ ସ୍ଥାନ ପ୍ରତିବର୍ଷ ଅସ୍ଥାୟୀ ସ୍ଥାନାନ୍ତରଣ ହୁଏ। ତେଣୁ କେନ୍ଦ୍ର ପକ୍ଷରୁ ଏହି ସମସ୍ୟାକୁ ଗୁରୁତ୍ବ ଦିଆନଯିବା ଓଡ଼ିଶା ପାଇଁ ଚିନ୍ତାର କାରଣ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକଳ୍ପ, ହିଂସାକାଣ୍ଡ କିମ୍ବା ଦାରିଦ୍ର୍ୟ ଯୋଗୁଁ ବିସ୍ଥାପନ ହୋଇଥାଏ। ବାତ୍ୟା, ବନ୍ୟା ହେଲେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅସ୍ଥାୟୀ ଭାବେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଆନ୍ତି। କିନ୍ତୁ ୨୦୦୮ ମସିହାରେ ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା, ପେଣ୍ଠ, କାହ୍ନୁପୁର ଜଳବାୟୁ ପରିବର୍ତ୍ତନ ଯୋଗୁଁ ୫୭୧ ପରିବାର ବିସ୍ଥାପିତ ହୋଇଥିଲେ। ଏହା ଦେଶରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଥମ ବିସ୍ଥାପନ ବୋଲି କୁହାଯାଏ। ସମୁଦ୍ର ଜଳପତ୍ତନ ବୃଦ୍ଧି ଯୋଗୁଁ ୧୯୮୦ରୁ ୯୦ ମସିହା ମଧ୍ୟରେ ସାତଭାୟା ପଞ୍ଚାୟତର ଅନେକ ଗାଁ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ସରକାରଙ୍କ ପକ୍ଷରୁ ପୁନର୍ବାସ କଲୋନି ପ୍ରତିଷ୍ଠା କରାଯାଇଥିଲା। ଏପରିକି ୨୦୧୧ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ପୁନର୍ବାସ ଏବଂ ଥଇଥାନ ନେଇ ସ୍ବତନ୍ତ୍ର ନୀତି ମଧ୍ୟ ପ୍ରସ୍ତୁତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପନର ଦୁଃଖ ଏତିକିରେ ସୀମିତ ନୁହେଁ, ପୁରୀ ଜିଲ୍ଲାର ବଳିଆପଣ୍ଡା ନୋଳିଆ ସାହି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି। ଅନେକେ ସ୍ଥାନ ଛାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳବାୟୁ ଆକ୍ସନ୍ ପ୍ଲାନ୍ ବି ପ୍ରସ୍ତୁତ ହୋଇଛି। ପରିବେଶ ସୁରକ୍ଷା ପାଇଁ ଆହୁରି କିଛି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
ଗ୍ରିନ୍ ଫଣ୍ଡ, ସିସୋର୍ ମ୍ୟାନେଜମେଣ୍ଟର ନୀତି କାର୍ଯ୍ୟକାରୀ ହେଲେ, ଜଳବାୟୁ ପରିବର୍ତ୍ତନ ବିସ୍ଥାପନଜନିତ ସମସ୍ୟାର ମୁକାବିଲା ଆହୁରି ଭଲ ଭାବେ ହୋଇପାରିବ ବୋଲି ବିଶେଷଜ୍ଞମାନେ କୁହନ୍ତି। ଜଳବାୟୁ କେବଳ ଜଳପତ୍ତନ ବୃଦ୍ଧି କିମ୍ବା ବାତ୍ୟା ଯୋଗୁଁ ନୁହେଁ, ମରୁଡ଼ି ମଧ୍ୟ ବିସ୍ଥାପନର ଅଦୃଶ୍ୟ କାରଣ ବୋଲି କୁହାଯାଏ। ଯେଉଁ ବର୍ଷ ମରୁଡ଼ି ଅଧିକ ହୁଏ, ରୋଜଗାର ଅନ୍ବେଷଣରେ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାନ୍ତି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏପରି ସମସ୍ୟା ଦେଖାଦେଇଥାଏ। ମାତ୍ର ଏହାକୁ ବିସ୍ଥାପନ ଭାବେ ଗ୍ରହଣ କରାନଯିବା ଦୁର୍ଭାଗ୍ୟଜନକ ବୋଲି ପରିବେଶବିତ୍ମାନେ ମତ ଦିଅନ୍ତି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ, କେତେବେଳେ ବର୍ଷା ଅଭାବରୁ ଫସଲ କ୍ଷତି ହେଉଛି ତ କେତେବେଳେ ଅତ୍ୟଧିକ ବର୍ଷାରେ ଫସଲ ଉଜୁଡ଼ି ଯାଉଛି। ଜଳବାୟୁ ପରିବର୍ତ୍ତନ ଏବଂ ବିସ୍ଥାପନକୁ କେନ୍ଦ୍ର ସରକାର ଠିକ୍ ଭାବେ ବୁଝି ଏ ସଂକ୍ରାନ୍ତରେ ନିରାକରଣ ପଦକ୍ଷେପ ନନେଲେ, ଏହା ଆହୁରି ଜଟିଳ ହେବ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୮ଟି ରାଜ୍ୟ ସର୍ବାଧିକ, ୧୦ଟି ମଧ୍ୟମ ଏବଂ ୧୧ଟି ରାଜ୍ୟ ସର୍ବନିମ୍ନ ପ୍ରଭାବିତ ଅଞ୍ଚଳ। ୧୯୭୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୨ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।