ପୁନେ, କୋଲକାତା ପରେ ଦେଶରେ ତୃତୀୟ : ଏସ୍‌ସିବିରେ ଖୋଲିଲା ଭୂତାଣୁ ନିଦାନ ଗବେଷଣା କେନ୍ଦ୍ର

କଟକ :  ଦେଶରେ ପୁନେ, କୋଲକାତା ପରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲିଛି ବିଭିନ୍ନ ଭୂତାଣୁ ସମ୍ପର୍କରେ ଗବେଷଣା ଓ ତା’ର ନିଦାନ କେନ୍ଦ୍ର। ଏଥିରେ ଗବେଷଣା ପରୀକ୍ଷାଗାର, ତାଲିମ ବା  ପ୍ରଶିକ୍ଷଣ ସହ ସୂଚନା କେନ୍ଦ୍ର ମଧ୍ୟ ରହିଛି। ୯୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଉଦ୍‌ଘାଟନ କରିବା ସହ ରାଜ୍ୟର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ଏକ ନୂତନ ସମ୍ଭାବନା ଓ ଆଶା ସଞ୍ଚାର କରିଛି ବୋଲି କହିଛନ୍ତି। ଏହି କେନ୍ଦ୍ର ବର୍ତ୍ତମାନ କୋଭିଡ- ୧୯ ମୁକାବିଲା ଓ ଗବେଷଣା ପାଇଁ ମଧ୍ୟ ଏକ ନୂଆ ସୁଯୋଗ ସୃଷ୍ଟି କରିଛି।

କୋଲକାତା ଓ ପୁନେ ସହରରେ ଆଇସିଏମ୍‌ଆର୍‌ ଅଧୀନରେ ଏହି ଲାବ୍ରୋଟୋରୀ କାର୍ଯ୍ୟ କରୁଛି। ଓଡିଶାରେ ଏହିଭଳି ଲାବ୍ରୋଟୋରୀ ନିର୍ମାଣ ଫଳରେ ଭୂତାଣୁ ପ୍ରଭାବର ମୁକାବିଲା କରିବା ପାଇଁ ଏଠାରେ ଗବେଷଣା ହେବା ସହ ଏହାର ରୂପ ଓ ଗୁଣର ନିଦାନ ବ୍ୟବସ୍ଥା ହୋଇପାରିବ। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ସାଂସଦ ପାଣ୍ଠିର ସହଯୋଗରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଏହି ପରୀକ୍ଷାଗାରରେ ଗବେଷଣା ନିମନ୍ତେ ସ୍ଥାୟୀ ବ୍ୟବସ୍ଥା ହୋଇ ପାରିଛି।

ଏଠାରେ ସୂଚନାଯୋଗ୍ୟ ଏହି ମାଇକ୍ରୋବାଇଓଲୋଜି ବିଭାଗ ଅଧୀନସ୍ଥ ଭାଇରାଲ ରିସର୍ଚ୍ଚ ଡାଇଗୋନାଷ୍ଟିକ ଲାବୋରେଟୋରୀ  (ଭିଆର ଡିଏଲ)ଠାରେ କୋଭିଡ-୧୯ ସମ୍ବନ୍ଧୀୟ ସୂଚନା ଓ ତାଲିମ ପ୍ରଦାନ କରାଯିବା ପାଇଁ  ଏକ କେନ୍ଦ୍ର ଖୋଲିବାକୁ ଜିଲ୍ଳାପାଳ ସାଂସଦ ଶ୍ରୀ ମହତାବଙ୍କୁ ସାଂସଦ ପାଣ୍ଠିରୁ ଖର୍ଚ୍ଚ ନିମନ୍ତେ ଅନୁରୋଧ କରିଥିଲେ। ସିଏମ୍‌ସି ଓ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାଡରେ ନିୟୋଜିତ ଥିବା ଅଧିକାରୀ ମାନଙ୍କ ଦ୍ୱାରା ହସ୍ପିଟାଲ ପରିସରରେ ଜବରଦଖଲରେ ଥିବା  ଗୃହକୁ ଅବୋରାଧ ମୁକ୍ତ କରି ଏଠାରେ କୋଭିଡ-୧୯ ସମ୍ବନ୍ଧୀୟ ସୂଚନା ଓ ତାଲିମ ପ୍ରଦାନ କେନ୍ଦ୍ର ସ୍ଥାପନ କରଯାଇଛି। ସାଂସଦ ଆଞ୍ଚଳିକ ପାଣ୍ଠିରୁ  ୨୦ ଲକ୍ଷ ଓ ବିଭିନ୍ନ ଅନୁଦାନକୁ ମିଶାଇ ୯୧ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ଖୋଲାଯାଇଛି।

ଆଜିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ  ଆରଡିସି  ଅନିଲ କୁମାର ସାମଲ, ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନନ୍ୟା ଦାସ, ଏସସିବି  ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା,  ଅଧିକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କୋଭିଡ ଟେଷ୍ଟିଂର ନୋଡ଼ାଲ ଅଫିସର ନିରୂପମା ଚୟନି, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର,  ପଲମୁନାରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ରୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଦ୍ୟୁତ ଦାସ, ମେଡ଼ିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା,  ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟ ରାଉତରାୟ, ପ୍ରଫେସର ଡାକ୍ତର ତୁଷାର କର,  ଆସୋସିଏଟ ପ୍ରଫେସର ଡାକ୍ତର ରୋମା ରତନ, ଡାକ୍ତର ଭୁବନାନନ୍ଦ ମହାରଣା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତିଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର