କେନ୍ଦ୍ର କାଟିଦେଇଛି ୫୯ ହଜାର ୨୨୨ କୋଟି

ବିଧାନସଭାରେ ଅର୍ଥମନ୍ତ୍ରୀ ରଖିଲେ ଚିନ୍ତାଜନକ ତଥ୍ୟ

ଭୁବନେଶ୍ବର : ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ରାଜ୍ୟ ପ୍ରାପ୍ୟ କାଟି ଚାଲିଛନ୍ତି। ଗତ ୬ ବର୍ଷ ଭିତରେ କେନ୍ଦ୍ର ସରକାର ରାଜ୍ୟ ପାଇବାକୁ ଥିବା ୫୯ ହଜାର ୨୨୨ କୋଟି ଟଙ୍କା ଦେଇନାହାନ୍ତି। ଶନିବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପରେ ସାଧାରଣ ଆଲୋଚନା ଶେଷରେ ଏପରି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପୂର୍ବରୁ ରାଜ୍ୟ ସରକାର ୮ଟି ଯୋଜନାରେ କେନ୍ଦ୍ରଠାରୁ ଶତପ୍ରତିଶତ ହିସାବରେ ବାର୍ଷିକ ୧୮୫୪ କୋଟି ଅନୁଦାନ ପାଉଥିଲେ। କିନ୍ତୁ ଏନ୍‌ଡିଏ ସରକାର ଏହିସବୁ ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେଲେ। ସେହିପରି ଅନେକ ଜନକଲ୍ୟାଣକାରୀ ଯୋଜନାରେ ୯୦ ଓ ୧୦ ପ୍ରତିଶତ ବ୍ୟବସ୍ଥାରେ ପରିବର୍ତ୍ତନ କରି ୬୦ ଓ ୪୦ ପ୍ରତିଶତ କଲେ। ଫଳରେ ରାଜ୍ୟକୁ ବାର୍ଷିକ ଅଧିକ ୪ ହଜାର କୋଟିରୁ ଅଧିକ ବ୍ୟୟଭାର ବହନ କରିବାକୁ ପଡ଼ୁଛି।

ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ପୂଜାରୀ କହିଥିଲେ, ଧାନକିଣା ଦାୟିତ୍ବ ହେଉଛି ଏଫସିଆଇର। ଏବେସୁଦ୍ଧା ଧାନକିଣା ବାବଦରେ ରାଜ୍ୟ ସରକାର ଚାଷୀଙ୍କୁ ପ୍ରଦାନ କରିଥିବା ୮ ହଜାର ୩୭୭ କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି। କରୋନା ମହାମାରୀ ଯୋଗୁ ଦେଶର ଅଭିବୃଦ୍ଧି ହାର କମିଛି। ରାଜ୍ୟର ଅଭିବୃଦ୍ଧି ହାରରେ ମଧ୍ୟ ପ୍ରଭାବ ପଡ଼ିଛି। କିନ୍ତୁ ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ୨୦% କମିଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ପୋଷଣୀୟ ସ୍ତରରେ ରହିଛି। ଏଥରକ ବଜେଟ୍‌ରେ ୪୪ ହଜାର କୋଟି ଋଣ କରିବା ପାଇଁ ଯାହା ଆକଳନ କରାଯାଇଛି ସେ ନେଇ ବିରୋଧୀମାନେ ନାନା ଆଶଙ୍କା ପ୍ରକାଶ କରିଛନ୍ତି। ବିତ୍ତୀୟ ପରିଚାଳନା ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଋଣ ମୋଟ ଜିଏସ୍‌ଡିପିର ୨୦.୯ ପ୍ରତିଶତରେ ସୀମିତ ରହିଛି। ଓମ୍ବାଡ୍‌ସି ପାଣ୍ଠିରୁ ସରକାର ଋଣ ନେଇଥିଲେ। କିନ୍ତୁ ବର୍ଷକ ଭିତରେ ୨୩ ହଜାର କୋଟି ପରିଶୋଧ କରିସାରିଛନ୍ତି। ବାସ୍ତବରେ ଦେଖିଲେ ଓଡ଼ିଶା ସରକାରଙ୍କ ଋଣଭାର ୨୦ ହଜାର କୋଟି ହେବ। ଏଥିପାଇଁ ଚଳିତଥର ଗୋଟିଏ ଋଣ ବୁକ୍‌ଲେଟ୍‌ ବି ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଛି।

ଏସ୍‌ସିବି ମେଡିକାଲ କଲେଜ୍‌ ଗୋଟିଏ ଜୀବନ ରକ୍ଷକ ମେଡିକାଲ। ଏହାକୁ ଆହୁରି ଉନ୍ନତମାନର କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୩ ହଜାର ୫୦୦ କୋଟି ବ୍ୟୟ କରାଯିବ। ଏହାକୁ ଏମ୍‌ସ୍‌ ପ୍ଲସ୍‌ ଷ୍ଟାଣ୍ଡାର୍ଡ଼ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯,୧୬୪ କୋଟି ଟଙ୍କା ଓ ବଜେଟ୍‌ ବହିର୍ଭୁତ ସମ୍ବଳକୁ ମିଶାଇ ସ୍ବାସ୍ଥ୍ୟ କ୍ଷେତ୍ରରେ ସାମଗ୍ରୀକ ଭାବେ ୧୩ ହଜାର କୋଟି ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର