ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ମିଳିବ: ଧର୍ମେନ୍ଦ୍ର

ଓଡିଶାକୁ କେନ୍ଦ୍ରର ୫,୧୨୨ କୋଟି ଜିଏସ୍‌ଟି ସହାୟତା ରାଶି ପ୍ରଦାନ ପ୍ରସଙ୍ଗ

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫,୧୨୨ କୋଟି ଟଙ୍କା ଜିଏସ୍‌ଟି ସହାୟତା ରାଶି ପ୍ରଦାନ କରାଯାଇଛି। ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସ୍‌ଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ କରିବ। ଏହା ସହ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟର ଅର୍ଥନୀତିକୁ ଗତି ଦେବାରେ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଚଳିତ ବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୬୫ ହଜାର ୩୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତାହା ମଧ୍ୟରୁ ଓଡ଼ିଶାକୁ ୫,୧୨୨ କୋଟି ଟଙ୍କା ଜିଏସ୍‌ଟି ସହାୟତା ରାଶି ପ୍ରଦାନ କରାଯାଇଛି। ବିଗତ ୩ ବର୍ଷ ଧରି ଓଡ଼ିଶା ପାଇଁ ଜିଏସ୍‌ଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି ହୋଇଛି। ୨୦୧୭-୧୮ରେ ୪,୦୭୪ କୋଟି, ୨୦୧୮-୧୯ରେ ୪,୮୬୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ଏବେ ଏହା ପୁଣି ୫.୨୩ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟଗୁଡ଼ିକର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ମୋଦୀ ସରକାର ସର୍ବଦା କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶା ସର୍ବଦା ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଅଧିକ ଲାଭବାନ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି। ଗତ କିଛି ମାସ ପୂର୍ବରୁ ଓଡ଼ିଶା ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ସଙ୍ଗେ ସଙ୍ଗେ ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିୟୁତରୁ କମ୍ ଲୋକ ବାସ କରୁଥିବା ସହର ଗୁଡ଼ିକର ପୌର ସଂସ୍ଥା(ନନ୍‌ମିଲିୟନ-ସିଟି) ପାଇଁ ଓଡ଼ିଶାକୁ ପ୍ରଥମ କିସ୍ତି ସ୍ୱରୂପ ଅଗ୍ରୀମ ଭାବରେ ୨୭୧.୭୫ କୋଟି ଟଙ୍କା ମିଳିଛି । ଜଳ ଜୀବନ ମିସନ୍ ଅଧୀନରେ ନିୟମିତ ଏବଂ ଦୀର୍ଘକାଳୀନ ଭିତ୍ତିରେ ଉତ୍ତମ ଗୁଣବତ୍ତା ସହ ଦୈନିକ ମୁଣ୍ଡ ପିଛା ୫୫ ଲିଟରର ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଓଡ଼ିଶାକୁ ୮୧୨ କୋଟି ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର