ନେଉଛନ୍ତି ଅଧିକ, ଦେଉଛନ୍ତି କମ୍‌: ବିଜେଡି

୯ବର୍ଷରେ ଓଡ଼ିଶାରୁ ନେଲାଣି ୨ଲକ୍ଷ କୋଟିର ରାଜସ୍ବ

ଭୁବନେଶ୍ବର : ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୦୧୨କୋଟି ମିଳିବା ପରେ ଆଜି ବି‌େଜଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରେଳବାଇ ରାଜସ୍ବ ହିସାବରେ ଓଡ଼ିଶା ବାର୍ଷିକ ହାରାହାରି ୨୦ରୁ ୨୨ହଜାର କୋଟି ଟଙ୍କା ପ୍ରଦାନ କରିଥାଏ। ଏହି ହିସାବରେ ଗତ ୯ବର୍ଷରେ ରେଳବାଇ ଓଡ଼ିଶାରୁ ହାରାହାରି ୨ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇଥିବାବେଳେ ସେହି ଅନୁପାତରେ ଓଡ଼ିଶାକୁ ଅର୍ଥ ପ୍ରଦାନ କରୁନି। ଏପରିକି ରାଜ୍ୟର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଓ ଆଦିବାସୀ ଜିଲ୍ଲା ଲୋକେ ନୂତନ ରେଳ ସଂଯୋଗ ପାଇନାହାନ୍ତି।

୫ବର୍ଷରେ ଓଡ଼ିଶା ପାଇଁ କାହିଁକି ମଞ୍ଜୁର ହୋଇନି ନୂତନ ରେଳଲାଇନ୍

ସେହିପରି ଗତ ୫ବର୍ଷରେ ଗୋଟିଏ ହେଲେ ନୂତନ ରେଳ ଲାଇନ୍ ମଞ୍ଜୁର ହୋଇନାହିଁ। ଯାତ୍ରୀବାହୀ ଟ୍ରେନ୍ ସହିତ କୌଣସି ନୂତନ ଜିଲ୍ଲା ବି ସଂଯୋଗ ହୋଇନାହିଁ। କେବଳ ଗୋଟିଏ ଜିଲ୍ଲା ଯାହାକି ନୟାଗଡ଼ ଏବଂ ପ୍ରାୟ ୨୦୦ ଲୋକ ଖୋର୍ଦ୍ଧା ଯିବା ପାଇଁ ଏହି ଟ୍ରେନ୍ ବ୍ୟବହାର କରନ୍ତି। କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ଆରମ୍ଭ କରିବାର ଦୁଇ ବର୍ଷ ପରେ ମଧ୍ୟ ଓଡ଼ିଶାରୁ କୌଣସି ଯାତ୍ରୀ ଏଠାକୁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇପାରିନାହାନ୍ତି।

ଏହାସହ ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ, ଓଡ଼ିଶାକୁ ଗୋଟିଏ ହେଲେ ରେଳ କାରଖାନା ଆସିନଥିବାବେଳେ ଗଞ୍ଜାମରେ ମଞ୍ଜୁରୀପ୍ରାପ୍ତ ଶୀତଳାପଲ୍ଲୀ ୱାଗନ୍ କାରଖାନା କେଉଁଠି ଅଛି? ଏହି କାରଖାନାରେ କେତେ ଲୋକ ଚାକିରି ପାଇଛନ୍ତି? ପୁରୀ-କୋଣାର୍କ ରେଳଲାଇନ୍, ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ା ରେଳଲାଇନ୍, ଗୁଣୁପୁର-ଥେରୁବାଲି ଲାଇନ୍, ତାଳଚେର-ବିମଳାଗଡ଼ ରେଳଲାଇନ୍ ଏବେ କେଉଁଠାରେ ଅଛି? ଗତ ୯ବର୍ଷରେ ଗୋଟିଏ ବି ପ୍ରକଳ୍ପ କାହିଁକି ସଂପୂର୍ଣ୍ଣ ହୋଇନାହିଁ। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ଦେଶର ସବୁଠୁ ମନ୍ଥର ଗତିରେ କାର୍ଯ୍ୟକ୍ଷମ ରେଳଲାଇନ୍ ଭାବେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ବୋଲି ସେ କହିଛନ୍ତି।

ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ପ୍ରତିବର୍ଷ ୫ହଜାର, ୬ହଜାର, ୧୦ହଜାର କୋଟି ମଞ୍ଜୁର କରୁଛି ବୋଲି ରେଳ ମନ୍ତ୍ରୀ କହୁଛନ୍ତି। ହେଲେ ପାଣ୍ଠି କୁଆଡ଼େ ଯାଉଛି? ୯ବର୍ଷରେ କେବଳ କ’ଣ ୨୦୦ଜଣ ଯାତ୍ରୀଙ୍କୁ ରେଳ ସୁବିଧା ଯୋଗାଇବା ଆପଣଙ୍କ ସଫଳତା।ଏହା ଓଡ଼ିଶାବାସୀଙ୍କ ପ୍ରତି ଚରମ ଅନ୍ୟାୟ। ଏହି ଐତିହାସିକ ଅବହେଳା ହେତୁ ମୁଖ୍ୟମନ୍ତ୍ରୀ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ନିର୍ମାଣ ଖର୍ଚ୍ଚର ୫୦% ବହନ କରୁଛନ୍ତି। କୌଣସି ରାଜ୍ୟ ଏହା କରୁନାହାନ୍ତି। ହେଲେ ପଶ୍ଚିମ ଓଡ଼ିଶା ଏବଂ ଆଦିବାସୀ ଜିଲ୍ଲାର ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଓଡ଼ିଶା ଏହାର ରେଳ ସଂଯୋଗରେ ଉନ୍ନତି ଆଣିବା ପାଇଁ ଏହା କରିଛି।

ତେଣୁ ଆମେ ରାଜ୍ୟ ବିଜେପିର ସାଂସଦମାନଙ୍କୁ ଆନ୍ତରିକତାର ସହ ଅନୁରୋଧ କରୁଛୁ ଯେ, ସେମାନେ ଓଡ଼ିଶାର ଲୋକଙ୍କ ଅଧିକାର ପାଇଁ ଲଢ଼ନ୍ତୁ ଏବଂ ରାଜ୍ୟରୁ ୨ଲକ୍ଷ କୋଟି ଟଙ୍କା ନେବା ପରେ ଚୁପ୍ ରୁହନ୍ତୁ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଲେନିନ୍ ମହାନ୍ତି ଓ ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର