ଭୁବନେଶ୍ବର,(ବିଶ୍ବଜିତ ଦାଶ): ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର କେଉଁ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ କି ଶିଳାନ୍ୟାସ କରିବେ ତା’ର ତାଲିକା ଦିଅ। ଗତ ମାସ ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏପରି ଏକ ଚିଠି ଆସିଛି ରାଜ୍ୟ ଜଳସଂପଦ ବିଭାଗକୁ। ଏପ୍ରିଲ ୨୫ରେ ଏହି ଚିଠି ଆସିଥିବା ବେଳେ ଏପ୍ରିଲ ୨୬ତାରିଖରେ ରିପୋର୍ଟ ଦେବାକୁ କୁହାଯାଇଥିଲା। କେନ୍ଦ୍ର ପକ୍ଷରୁ ପ୍ରଥମ ଥର ଲାଗି ଆସିଥିବା ଏଭଳି ପତ୍ରକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପାଇଁ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ଏଭଳି ରିପୋର୍ଟ ମଗାଯାଇଥିବା କୁହାଯାଉଛି। ଏହାକୁ ନେଇ ଜଳ ସମ୍ପଦ ବିଭାଗର ହୋସ୍ ଉଡ଼ିଯାଇଛି। ଏହି ଚିଠିର ଉତ୍ତର ତୁରନ୍ତ ଦେବାକୁ କୁହାଯାଇଥିଲେ ବି ବିଭାଗୀୟ ଅଧିକାରୀମାନେ ଚୁପ୍ ବସିଛନ୍ତି। ଏନେଇ କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ମୁଖ୍ୟ ଯନ୍ତ୍ରୀ (ପ୍ଲାନିଂ)ଙ୍କ ଠାରୁ ଆରମ୍ଭ କରି ସର୍ବୋଚ୍ଚ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଉତ୍ତର ଏବିଷୟରେ ଆମେ ଜାଣିନୁ। ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହାର ଠିକ୍ ଦୁଇ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଚିଠି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। ଏହି ପ୍ରସଙ୍ଗରୁ ହିଁ ବିଜେପି ୨୦୨୪ରେ ଓଡ଼ିଶା ଦଖଲ ପାଇଁ ଅଭିଯାନ କରିପାରେ ବୋଲି କୁହାଯାଉଛି।
ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟରେ କିଛି ବଡ଼ ଡ୍ୟାମ୍, ବ୍ୟାରେଜ୍ କେନ୍ଦ୍ର ସରକାରଙ୍କ ସହାୟତାରେ ନିର୍ମାଣ ହେଉଛି। ସୁବର୍ଣ୍ଣରେଖା, କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଭଳି ବଡ଼ ପ୍ରକଳ୍ପରେ କେନ୍ଦ୍ର ସରକାର ୩୦ରୁ ୪୦% ଅନୁଦାନ ଦେଉଥିବା ବେଳେ ପ୍ରକଳ୍ପ ବିଳମ୍ବ ହେବା ସହ ଖର୍ଚ୍ଚ ଅଟକଳ ବଢ଼ି ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ୁଛି। ତେଣୁ କେନ୍ଦ୍ର ସରକାର କେତେ ଅର୍ଥ ଦେଲେଣି, କେତେ କାମ ହେଲାଣି ତା’ର ହିସାବ ନେଇ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ପ୍ରଶ୍ନ ଉଠାଇ ପାରନ୍ତି। ।
ଏହାବାଦ୍ ଅନେକ ପ୍ରକଳ୍ପ ଆଗେଇ ପାରୁନଥିବାରୁ ସରକାର ଏହାର ରିପୋର୍ଟ ଦେବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏନେଇ କେହି ମୁହଁ ଖୋଲୁନାହାନ୍ତି। ପୂର୍ବରୁ କେବେବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଏହିଭଳି ପ୍ରକଳ୍ପ ତାଲିକା ମଗାଯାଇନଥିବାରୁ କେନ୍ଦ୍ର ସରକାର ଓଡ଼ିଶା ନେଇ କିଛି ଏଜେଣ୍ଡା ରହିଥିବା ଅନୁମାନ କରାଯାଉଛି।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ବହୁ ବୃହତ ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ବିଳମ୍ବ ହେବାରୁ ଗତ ଦୁଇ ଦଶନ୍ଧିରେ ପ୍ରକଳ୍ପ ଖର୍ଚ୍ଚ ୧୭ହଜାର କୋଟି ବଢ଼ିଯାଇଛି। ୧୪ଟି ବୃହତ୍ତ ଓ ମଧ୍ୟମ ପ୍ରକଳ୍ପ, ୧୩୨ଟି କ୍ଷୁଦ୍ର ପ୍ରକଳ୍ପ, ୭୭ଟି ଉଠା ଜଳସେଚନ ପ୍ରକଳ୍ପ ଧାର୍ଯ୍ୟ ସମୟ ଭିତରେ ସରିପାରିନି। ଏପରିକି ବଲାଙ୍ଗୀରେ ହେଉଥିବା ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୦୦୧ରେ ୨୧୭କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଏହା ଏବେ ୨୪୪୮କୋଟି ଟଙ୍କାରେ ପହଞ୍ଚିଲାଣି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୪୦ହଜାର ହେକ୍ଟର ଜମିକୁ ଜଳଯୋଗାଣ ହୋଇପାରିବ। ସେହିପରି ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ୨୦୦୫-୦୬ରେ ଆରମ୍ଭ ହେବାବେଳେ ଏହାର ଖର୍ଚ୍ଚ ଅଟକଳ ୫୮୧କୋଟି ଥିଲା। ଏବେ ଏହା ୨୯୯୯କୋଟି ଟଙ୍କାରେ ପହଞ୍ଚିଲାଣି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୬୦ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ଆଉ ଏକ ପ୍ରକଳ୍ପ ହେଲା କାନପୁର ଜଳସେଚନ ପ୍ରକଳ୍ପ ୨୦୦୨ରେ ଏହି ପ୍ରକଳ୍ପ ହେବା ବେଳେ ୪୨୮କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା। କିନ୍ତୁ ଏବେ ଏହାର ଖର୍ଚ୍ଚ ଅଟକଳ ୨୪୩୮କୋଟି ଟଙ୍କାରେ ପହଞ୍ଚିଲାଣି। ଏହାବାଦ୍ ସୁବର୍ଣ୍ଣରେଖା, ରେଙ୍ଗାଲି ଡାହାଣ ପାର୍ଶ୍ବ ବନ୍ଧ ପ୍ରକଳ୍ପ, ଦେଓ, ଛେଳିଗଦା, ହାଡୁଆ ଡ୍ୟାମ୍ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ପଡ଼ିରହିଛି। ଏଥିରେ ଆଖିଦୃଶିଆ ଅଗ୍ରଗତି ହୋଇନି।
ଅପରପକ୍ଷେ ବିଭାଗର ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନୁଦାନରେ ବହୁତ କମ୍ ପ୍ରକଳ୍ପ ଓଡ଼ିଶାରେ ହେଉଛି। କେଉଁ ପ୍ରକଳ୍ପର ସ୍ଥିତି କ’ଣ ଅଛି ତାହା ସେମାନେ ଜାଣିଛନ୍ତି। ଆମେ କାହିଁକି ତାଙ୍କୁ ଉତ୍ତର ଦେବୁ। ରାଜ୍ୟ ସରକାର ଜଳସେଚନ ପ୍ରକଳ୍ପ ହେବା ପାଇଁ ଜମି ଅଧିଗ୍ରହଣ, ଥଇଥାନ ନୀତି, କ୍ଷତିପୂରଣ ଦେବା ଆଦି ନିୟମରେ ବହୁ ପରିବର୍ତ୍ତନ ଆଣିଛନ୍ତି। ସବୁ ଉଦ୍ୟମ ରାଜ୍ୟ ସରକାରଙ୍କର। ତେଣୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ ପାଇଁ କାହିଁକି ତଥ୍ୟ ଦେବୁ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧୫ଟି ବଡ଼ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି, ୨୦୨୪ରେ ୭ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନ କରିବାକୁ ନିଷ୍ପତ୍ତି ହୋଇଛି।