କେନ୍ଦ୍ର ପ୍ରସ୍ତୁତ କରୁଛି ଡାଟାବେସ୍: ଜୁଲାଇ ସୁଦ୍ଧା ଚାଷୀଙ୍କ ତଥ୍ୟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ପଞ୍ଜୀକୃତ ହେଲେଣି ୪୯ ଲକ୍ଷ, ୯୭ଟି ମାନକରେ ଦେଉଛନ୍ତି ତଥ୍ୟ

ଭୁବନେଶ୍ବର : ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଜୁଲାଇ ସୁଦ୍ଧା କୃଷକ ଓଡ଼ିଶା ପୋର୍ଟାଲରେ ସମସ୍ତ ଚାଷୀଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ୪୯ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୨୦୧୫ ମସିହାର ସର୍ଭେ ଅନୁସାରେ ଓଡ଼ିଶାରେ ୪୮.୬୬ ଲକ୍ଷ କୃଷି ପରିବାର ଅଛନ୍ତି। ତେଣୁ ଚାଷୀଙ୍କ ସଂଖ୍ୟା ଆହୁରି ଅନେକ ଅଧିକ। ପ୍ରଚାର ପ୍ରସାର ଅଭାବରୁ ଚାଷୀମାନେ ନିଜକୁ ପଞ୍ଜୀକୃତ କରୁନଥିବାରୁ ରାଜ୍ୟ କୃଷି ବିଭାଗର ଚିନ୍ତା ବଢ଼ିଛି।

ରାଜ୍ୟରେ ବଡ଼, କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀଙ୍କୁ ନେଇ ସରକାରଙ୍କ ପାଖରେ ସ୍ପଷ୍ଟ ଚିତ୍ର ନାହିଁ। ଏଥିଯୋଗୁଁ ଯୋଜନା ପ୍ରସ୍ତୁତ ବେଳକୁ ବିଭାଗକୁ ହଇରାଣ ହେବାକୁ ପଡ଼ିଥାଏ। ବିଶେଷକରି ଭାଗଚାଷୀଙ୍କୁ ସରକାର ପ୍ରକୃତ ଚାଷୀର ମାନ୍ୟତା ଦେଇଥିଲେ ମଧ୍ୟ ସେମାନେ ଆଜି ପର୍ଯ୍ୟନ୍ତ କୌଣସି ଯୋଜନାର ଲାଭ ପାଉ ନାହାନ୍ତି। ସେମାନଙ୍କ ସଂଖ୍ୟା ମଧ୍ୟ କାହା ପାଖରେ ନାହିଁ। ଚାଷୀ ସଂଖ୍ୟା ନେଇ ବିଧାନସଭାରେ ବିଭିନ୍ନ ସମୟରେ ପ୍ରଶ୍ନ ବେଳକୁ ମଧ୍ୟ ସରକାରଙ୍କୁ ଅପଦସ୍ଥ ହେବାକୁ ପଡ଼ିଥାଏ। କୃଷକ ଓଡ଼ିଶା ପୋର୍ଟାଲରେ ସମସ୍ତ ଚାଷୀ ପଞ୍ଜୀକୃତ ହୋଇପାରିଲେ ରାଜ୍ୟକୁ ମଧ୍ୟ ଚାଷୀଙ୍କ ସଂଖ୍ୟା ନେଇ ଚିତ୍ର ମିଳିପାରିବ। ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ, ରିହାତି ପ୍ରଦାନ ସହଜ ହେବ।

କୃଷକ ପୋର୍ଟାଲରେ କୃଷି, ଉଦ୍ୟାନ, ମତ୍ସ୍ୟଜୀବୀ, କ୍ଷୀର ଚାଷୀ, ଫୁଲ ଚାଷୀ, ଗୋପାଳକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଚାଷୀ ନିଜ ନାମ, ଠିକଣା, ପେସା, ଜମି ପରିମାଣ ସମେତ ୯୭ଟି ମାନକରେ ତଥ୍ୟ ଦେଉଛନ୍ତି। ବଡ଼, କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ, ନଦୀ, ପୋଖରୀ, ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ସମେତ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ ପ୍ରତ୍ୟେକ ଛୋଟ-ବଡ଼ ବ୍ୟକ୍ତି ଏଥିରେ ସାମିଲ ହେଉଛନ୍ତି। ଏପରିକି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ମଧ୍ୟ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିଲେ ପଞ୍ଜୀକରଣ କରିବେ। ଜଣେ ବ୍ୟକ୍ତି କୃଷି, ଉଦ୍ୟାନ, ମତ୍ସ୍ୟଜୀବୀ, ଗୋପାଳନ, କ୍ଷୀରଚାଷୀ ଆଦି ସବୁ କାର୍ଯ୍ୟ କରୁଥିଲେ ସେମାନେ ସ୍ବତନ୍ତ୍ର ଭାବରେ ମାତ୍ର ୨୦-୨୦ ଟଙ୍କାରେ ସବୁଥିରେ ପଞ୍ଜୀକରଣ କରିବେ। ଏଥିପାଇଁ ଖର୍ଚର ୫୦ ଭାଗ ନିଜେ ରାଜ୍ୟ ସରକାର ଦେବେ। ଚାଷୀ କିମ୍ବା ମୋ ସେବା କେନ୍ଦ୍ରରେ ଏହି ପଞ୍ଜୀକରଣ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀଙ୍କୁ କୃଷକ ପରିଚୟ ପତ୍ର ଦିଆଯାଏ। ଅନେକ ଚାଷୀଙ୍କ ପାଖରେ ଏହି ପରିଚୟ ପତ୍ର ମଧ୍ୟ ରହିଛି। ଏହା ସତ୍ତ୍ବେ ଓଡ଼ିଶା କୃଷକ ପୋର୍ଟାଲରେ ସମସ୍ତେ ପଞ୍ଜୀକରଣ କରିବାକୁ ବିଭାଗ କହିଛି। ଆଧାର କାର୍ଡ ଭଳି ଆଗାମୀ ଦିନରେ ଏହା ଚାଷୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ଏହି ପୋର୍ଟାଲରେ ପଞ୍ଜୀକୃତ ଚାଷୀଙ୍କୁହିଁ ପ୍ରକୃତ ଚାଷୀର ମାନ୍ୟତା ଦିଆଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ଡିବିଟିରେ ସବୁ କୃଷି ଯୋଜନାର ରିହାତି, ନେଟୱର୍କ ନଥିବା ଅଞ୍ଚଳକୁ ଅଡ଼ୁଆ ବିହନ ଭଳି ସବୁ କୃଷି ଯୋଜନାର ରିହାତି ଡିବିଟି ପ୍ରକ୍ରିୟାରେ ହେବ। ଅର୍ଥାତ ଗୋସୁଗମ ପୋର୍ଟାଲରେ ଆବେଦନ କରି ଇ-ରୁପି ଭାଉଚରରେ ଜେନେରେଟ ହେବ। ଏହାପରେ ଚାଷୀଙ୍କ ଆକାଉଣ୍ଟରେ ବିଭିନ୍ନ ଯୋଜନାର ରିହାତି ଟଙ୍କା ଜମା ହେବ। ବିହନ ଭଳି ସାର, କୀଟନାଶକ, ଅଣୁସାର, କୃଷି ଯନ୍ତ୍ରପାତି, ବାୟୋପେଷ୍ଟିସାଇଡ ଭଳି ବିଭିନ୍ନ ଯୋଜନାରେ ଚାଷୀଙ୍କୁ ରିହାତି ମିଳେ। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ କିଛି ଯୋଜନାରେ ଆହୁରି ସୁବିଧା ରହିଛି। ପୂର୍ବରୁ ପ୍ୟାକ୍ସ କିମ୍ବା ପଞ୍ଜୀକୃତ ବିକ୍ରୟ କେନ୍ଦ୍ରରୁ ଚାଷୀ ଏହା କ୍ରୟ କରୁଥିଲା। ମାତ୍ର ଅନେକ ସମୟରେ ବିଭାଗ ପକ୍ଷରୁ ଚାଷୀଙ୍କୁ ଦିଆଯାଉଥିବା ରିହାତି ଟଙ୍କା ହଡ଼ପ ହେଉଥିବା ନେଇ ଅଭିଯୋଗ ହେଉଥିଲା। ତେଣୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ରିହାତି ପ୍ରଦାନ ପାଇଁ ସରକାରୀ ବ୍ୟବସ୍ଥା ଆରମ୍ଭ ହୋଇଛି। ୨୦୧୬ ମସିହାରୁ ପୂର୍ବରୁ ଓଡ଼ିଶା ଏହା କାର୍ଯ୍ୟକାରୀ କରି ବନ୍ଦ କରି ଦେଇଥିଲା। ବର୍ତ୍ତମାନ ଏହା ପୁନର୍ବାର ଆରମ୍ଭ ହୋଇଛି। ନେଟୱର୍କ ସିଷ୍ଟମ ଏବଂ ଅନେକ ଚାଷୀଙ୍କ ପାଖରେ ମୋବାଇଲ ନଥିବାରୁ ସେମାନଙ୍କ ପାଇଁ ଏହି ଯୋଜନା ଅଡ଼ୁଆ ସୃଷ୍ଟି କରିବ। ଏହାର ଝଲକ ସରକାରୀ ବିହନ ବିହନ ବିକ୍ରି ବେଳକୁ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟରେ ପ୍ରାୟ ୬ ହଜାରରୁ ଉର୍ଧ୍ବ ଗାଁରେ ନେଟୱର୍କ ନାହିଁ। ଆହୁରି ଅନେକ ଚାଷୀଙ୍କ ମୋବାଇଲ ନାହିଁ ସେମାନଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର