ଦିଲ୍ଲୀ‌ରେ କେନ୍ଦ୍ର ମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର : ଆମ୍‌ ଆଦ୍‌ମି ସରକାରକୁ ସମାଲୋଚନା

ଭୁବନେଶ୍ବର: ଦିଲ୍ଲୀର ବିଧାନସଭା ନିର୍ବାଚନରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ୍ ପ୍ରଚାର କରିଛନ୍ତି। ଦଳର ତାରକା ପ୍ରଚାରକ ଭାବେ ଶ୍ରୀ ପ୍ରଧାନ ଆଜି ମୋତି ନଗର, ଆଦର୍ଶ ବସ୍ତି, ବସନ୍ତ ବିହାର, ଆର୍‌ କେ ପୁରମ୍‌ ଆଦି ଅଞ୍ଚଳରେ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ପ୍ରଚାର ସମୟରେ ଗଣମାଧ୍ୟମରେ ଆମ୍‌ ଆଦ୍‌ମୀ ଦଳକୁ କଠୋର ସମାଲୋଚନା କରି ସେ କହିଥିଲେ, ଆମ୍‌ ଆଦ୍‌ମୀ ଓ କଂଗ୍ରେସ ପରି ଦଳ ଦିଲ୍ଲୀରେ ତଥା ଦେଶଷର ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି। କିନ୍ତୁ ଏଠାକାର ଜନତା ଅରାଜକ ତତ୍ତ୍ବ ବିରୋଧରେ ଭୋଟ୍‌ ଦେବା ପାଇଁ ମନ ସ୍ଥିର କରୁଛନ୍ତି। ଚଳିତ ଥର ଦିଲ୍ଲୀରେ ବିଜେପି ସରକାର ହେବ।

ଶ୍ରୀ ପ୍ରଧାନ କହିଛନ୍ତି, ଆମ୍‌ ଆଦ୍‌ମି ଦଳ କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି। ଦିଲ୍ଲୀର କୌଣସି ବିକାଶ ବା ସକରାତ୍ମକ ପ୍ରସଙ୍ଗ ଦଳ ପାଖରେ ନାହିଁ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲେ ମଧ୍ୟ ଗତ ୫ ବର୍ଷରେ ଯେପରି ବିକାଶ ହେବା କଥା ହୋଇ ନାହିଁ। ଦେଶରେ ବିକାଶଶୀଳ ସରକାର ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହେଲା ପରେ ମଧ୍ୟ ଦିଲ୍ଲୀ ପଛୁଆ ରହିଛି। ସିଏଏକୁ ବିରୋଧ କରୁଥିବା ଲୋକମାନେ ମଧ୍ୟ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରୁଥିବାର ଦେଖାଯାଇଛି। ଏହି କାରଣରୁ ଦଳ ଉପରେ ଦିଲ୍ଲୀବାସୀ ଅତିଷ୍ଠ ଅଛନ୍ତି। ଆମ୍‌ ଆଦ୍‌ମୀ ଦଳ ସାଧାରଣ ଜନତାଙ୍କ ଭରସା ହରାଇ ସାରିଛି। ଦିଲ୍ଲୀରେ ଖରାପ ପାଣି କାରଣରୁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଥିବା ଦେଖାଯାଇଛି। ବିଜୁଳି ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ମିଛ କଥାରେ ଲୋକଙ୍କୁ ଅଧିକ ସମୟ ବୋକା ବନା ଯାଇପାରିବ ନାହିଁ। ବିଜେପି ସରକାର ହେଲେ ଭୂମିହୀନ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ମିଳିବ ବୋଲି ମୋଦୀ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀରେ ଥିବା ଓଡ଼ିଆମାନଙ୍କର ନରେନ୍ଦ୍ର ମୋଦୀଙ୍କ ପ୍ରତି ଆସ୍ଥା ବଢ଼ିଛି ଏବଂ ସେମାନେ ବିଜେପି ପ୍ରାର୍ଥୀଙ୍କୁ ‌ଜିତା‌ଇବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର