ଓଡ଼ିଶାର ଇସ୍ପାତ, ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟର ଇସ୍ପାତ, ତୈଳ ଏବଂ ଗ୍ୟାସ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଜାପାନ ରାଷ୍ଟ୍ରଦୂତଙ୍କ ଓଡ଼ିଶା ଗସ୍ତ ପରେ କଳିଙ୍ଗ ନଗରକୁ କିଭଳି ଇସ୍ପାତ ହବ୍‌ରେ ପରିଣତ କରାଯାଇ ପାରିବ ତାହାର ନକ୍ସା ପ୍ରସ୍ତୁତ କରିବା ଲାଗି ଦିଲ୍ଲୀରେ ଏହି ‌ବୈଠକ ହୋଇଥିଲା। ‌ବୈଠକ ପରେ ନିଜେ କେନ୍ଦ୍ରମନ୍ତ୍ରୀ ଏ ସଂକ୍ରାନ୍ତରେ ଟ୍ବିଟ୍ କରିଛନ୍ତି। ଜାପାନକୁ ସହଯୋଗୀ ଦେଶ ଭାବେ ନିଆଯାଇ ଇସ୍ପାତ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ବର ଏକ ହବ୍‌ରେ ପରିଣତ କରିବାକୁ ପ୍ରଚେଷ୍ଟା କରାଯାଉଛି। ଏଥିରେ କଳିଙ୍ଗ ନଗରର ପ୍ରମୁଖ ଭୂମିକା ରହିବ। ଏଥିଯୋଗୁ ଓଡ଼ିଶାରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ରାଜ୍ୟବାସୀଙ୍କ ଉନ୍ନତି ହୋଇପାରିବ।

ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତୈଳ ଏବଂ ଗ୍ୟାସ ପ୍ରକଳ୍ପର ମଧ୍ୟ ସମୀକ୍ଷା ମଧ୍ୟ କେନ୍ଦ୍ରମନ୍ତ୍ରୀ କରିଛନ୍ତି। ଏଥିରେ ପାରାଦୀପର ପ୍ଲାଷ୍ଟିକ ପାର୍କ, ସିଟି ଗ୍ୟାସ ବଣ୍ଟନ ନେଟୱାର୍କ ସମ୍ପ୍ରସାରଣ ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା। ଓଡ଼ିଶାର ସାମଗ୍ରିକ ବିକାଶ ଏବଂ ଲୋକଙ୍କ ଜୀବନ ଧାରଣମାନକୁ ଉନ୍ନତ କରିବା ପାଇଁ ମିଳିତଭାବେ ସକ୍ରିୟତାର ସହ କାର୍ଯ୍ୟ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ, ଓଡ଼ିଶା ସରକାର, ଟାଟା ‌ଷ୍ଟିଲ୍ ଏବଂ ଜିନ୍ଦଲ କମ୍ପାନିର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର