ଭୁବନେଶ୍ବରରେ ଖୋଲିଲା କାଜୁ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଆଞ୍ଚଳିକ କାର୍ଯ୍ୟାଳୟ

ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ପୁରୁଣା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ ଖୋଲିଲା କେନ୍ଦ୍ର ସରକାରଙ୍କ କାଜୁ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଆଞ୍ଚଳିକ କାର୍ଯ୍ୟାଳୟ। ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ରପ୍ତାନୀ ପାଇଁ କାଜୁର ମାନ ନିର୍ଦ୍ଧାରଣ କରିବାକୁ ପୂର୍ବରୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଭୁବନେଶ୍ବରରେ ଏହି କାର୍ଯ୍ୟାଳୟ ହେବା ପରେ ମାନ ନିର୍ଦ୍ଧାରଣ ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ମଙ୍ଗଳବାର ସ୍ଥାନୀୟ କୃଷି ଭବନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ଦ୍ବାରା ରପ୍ତାନୀ ହେବାକୁ ଥିବା କାଜୁର ମାନ ନର୍ଦ୍ଧାରଣ ଓଡ଼ିଶାରେ ହେବା ସହ ଅଧିକ ମୂଲ୍ୟଯୁକ୍ତ କରାଯାଇପାରିବ। ଏହି ଅବସରରେ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କୁମାର ଉପାଧ୍ୟାୟ କହିଥିଲେ, ଦେଶରେ କାଜୁ ଉତ୍ପାଦନରେ ଓଡ଼ିଶା ତୃତୀୟ ରାଜ୍ୟ। ସମଗ୍ର ଦେଶରେ ୧ ଲକ୍ଷ ୨୫ ହଜାର ମେଟ୍ରିକ୍ ଟନ୍ କାଜୁ ଆବଶ୍ୟକ ପଡ଼ୁଥିବାବେଳେ ବର୍ତ୍ତମାନ୍ ୫୧ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି। ରାଜ୍ୟରେ ୩୫୦ଟି ପ୍ରକ୍ରିୟାକରଣ ୟୁନିଟ୍ ଅଛି। ଗତ ଫନି ବାତ୍ୟାରେ ଅନେକ କାଜୁ ଗଛ ନଷ୍ଟ ହୋଇଛି। ସେଗୁଡ଼ିକର କ୍ଷତି ଭରଣା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଚଳିତ ବର୍ଷ ୨୨ ହଜାର ହେକ୍ଟର ଜମିରେ କାଜୁ ଚାଷ କରାଯାଇଛି। ବିଶେଷ କରି କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ କାଜୁ ଉତ୍ପାଦନ ହେଉଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର