ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଆହୁରି ଅନେକ ବର୍ଷ ଲାଗିଯିବ। ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଉପାନ୍ତ ମାଲକାନଗିରି ଜିଲ୍ଲାକୁ ରେଳପଥ ଆସିପାରିଲା ନାହିଁ। ୨୦୧୬-୧୭ ମସିହାରୁ ରେଳ ଲାଇନ ପାଇଁ ପ୍ରସ୍ତାବ ଗୃହୀତ ହେବା ସହ କେନ୍ଦ୍ର ସରାକରଙ୍କ ସହ ରାଜ୍ୟ ସରକାର ଏମଓୟୁ କରିଥିଲେ। ମାଲକାନଗିରିବାସୀ ରେଳ ଚାଲିବ ନେଇ ଯେଉଁ ଆଶା କରିଥିଲେ, ତାହା ପୂରଣ ହେବାକୁ ଆହୁରି ଅନେକ ବର୍ଷ ଲାଗିଯିବ।
ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ କେନ୍ଦ୍ର ସରକାର ଜୟପୁର-ମାଲକାନଗିରି ରେଳପଥ ପାଇଁ ୨୮ କୋଟି ଟଂକା ମଂଜୁର କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୪ଶହ କୋଟି ଟଂକା ଖର୍ଚ୍ଚ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ପୁଣି ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲାକୁ ଅବହେଳା କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାଂସଦ ରମେଶ ଚନ୍ଦ୍ର ମାଝି ଏହାକୁ କଳା ବିଲ ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରତି ସବୁବେଳେ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରିଆସିଛନ୍ତି ବୋଲି ସେ କହିଛନ୍ତି। ଜୟପୁର-ମାଲକାନଗିରି ୧୩୦ କିଲୋମିଟର ରେଳପଥ ପାଇଁ ଏବେ ପର୍ଯ୍ୟନ୍ତ ଜମି ଚିହ୍ନଟ ପ୍ରକ୍ରିୟା ସରିନଥିବା ବେଳେ ଏହା କେବେ ପୂରଣ ହେବ ଏବଂ କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା।
ପ୍ରକାଶ ଥାଉକି ୧୩୦ କିଲୋମିଟର ରାସ୍ତା ମଧ୍ୟରେ ୪୬୪.୧୬୪ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବାକୁ ଥିବା ବେଳେ ବଳକା ସରକାରୀ ଜମି ଉପରେ ଏହି ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଘରୋଇ ଜମିଗୁଡିକର ଚିହ୍ନଟ ଏବଂ ଏହି ଜମିଗୁଡିକ ରେଳ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜୟପୁର ମାଲକାନଗିରି ରେଳ ଲାଇନ ପାଇଁ ୨୩୪୩.୬୪ କୋଟି ଟଂକା ଖର୍ଚ୍ଚ ହେବାକୁ ଥିବା ବେଳେ ୨୦୧୯-୨୦ ମସିହାରେ ୭୦ କୋଟି ଟଂକା ବର୍ଦ୍ଧିତ ହୋଇଛି। ଏଥିପାଇଁ ଓଡିଶା ସରକାର ୨୫ ପ୍ରତିଶତ ଟଂକା ଖର୍ଚ୍ଚ କରିବାକୁ ଥିବା ବେଳେ କେନ୍ଦ୍ର ସରକାର ୭୫ ପ୍ରତିଶତ ଟଂକା ଖର୍ଚ୍ଚ କରିବେ ବୋଲି ଜଣାପଡିଛି। ତେବେ ଚଳିତ ବଜେଟରେ ମାତ୍ର ୨୮ କୋଟି ଟଂକା ବ୍ୟୟବରାଦ କରାଯାଇଥିବା ବେଳେ କିପରି ଏହି ରେଳ ଲାଇନ ପ୍ରକ୍ରିୟା ଆଗକୁ ଯିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Ramesh-Majhi.jpg)