ଏବେ ମୁହଁ ଖୋଲିଲେ : ୟୁପିଏକୁ ବଳିଗଲା ଏନ୍‌ଡିଏ

ଉପା ସରକାରରେ ୩୪୨୨କୋଟି କମ୍‌ ମିଳିଥିଲା, ୨୭୯୮୯କୋଟି କମ୍‌ ଦେଇଛି ଏନ୍‌ଡିଏ, ବିପର୍ଯ୍ୟୟ କ୍ଷେତ୍ରରେ ବି ୬୨୧କୋଟି କମ୍‌ ମିଳିଛି

ଭୁବନେଶ୍ବର : ଉଭୟ ଉପା (ୟୁପିଏ) ଓ ଏନ୍‌ଡିଏ ସରକାର ଅର୍ଥ କମିସନଙ୍କ ସୁପାରିସ ତୁଳନାରେ ଓଡ଼ିଶାକୁ କମ୍‌ ଅର୍ଥ ପ୍ରଦାନ କରୁଛନ୍ତି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନେଇ ଏଯାଏଁ ଚୁପ୍‌ ଥିବା ରାଜ୍ୟ ସରକାର ଆଜି ବିଧାନସଭା ବ୍ୟୟ ମଞ୍ଜୁରି ଆଲୋଚନା ଉତ୍ତରରେ ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆଜି ପରିସଂଖ୍ୟାନ ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଉପା ସରକାରଙ୍କ ଅମଳରେ ତ୍ରୟୋଦଶ ଅର୍ଥ କମିସନ ୨୦୧୦-୧୧ରୁ ୨୦୧୪-୧୫ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ, ସ୍ବାୟତ୍ତ ଶାସନ ସଂସ୍ଥାଙ୍କ ପାଇଁ ଅନୁଦାନ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ରୀୟ ଅଂଶ ଆଦି ପାଇଁ ୭୮,୯୭୫କୋଟି ଟଙ୍କା ସୁପାରିସ କରିଥିଲେ। କିନ୍ତୁ ରାଜ୍ୟକୁ ୭୫,୫୫୩କୋଟି ଟଙ୍କା ମିଳିଛି। ଅର୍ଥାତ୍ କମିସନଙ୍କ ସୁପାରିସ ଠାରୁ ଓଡ଼ିଶା ଉପା ସରକାର ଅମଳରେ ୩୪୨୨କୋଟି ଟଙ୍କା କମ୍‌ ପାଇଛି।

ସେହିପରି ଏନ୍‌ଡିଏ ସରକାର ଅମଳରେ ଚତୁର୍ଦ୍ଦଶ ଅର୍ଥ କମିସନ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶା ପାଇଁ ୧ଲକ୍ଷ ୮୪ହଜାର ୭୦କୋଟି ଟଙ୍କା ସୁପାରିସ କରିଛନ୍ତି। କିନ୍ତୁ ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସରକାରଙ୍କ ବଜେଟ୍‌ ଆକଳନକୁ ଦୃଷ୍ଟିରେ ରଖି ହିସାବ କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟକୁ ୨୭ହଜାର ୯୮୯କୋଟି ଟଙ୍କା କମ୍‌ ମିଳିବ। ଅର୍ଥ ମନ୍ତ୍ରୀ କହିଛନ୍ତି ଦେଶରେ ଅର୍ଥନୀତିର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି କାରଣରୁ କେନ୍ଦ୍ର ସରକାରଙ୍କ ବଣ୍ଟନ ଯୋଗ୍ୟ ପାଣ୍ଠିରେ ବୃଦ୍ଧି ହେଲେ କେନ୍ଦ୍ରୀୟ ଟିକସରୁ ମିଳୁଥିବା ରାଜ୍ୟର ଅଂଶ ବଢ଼ିଥାଏ। ଓଡ଼ିଶା କ୍ଷେତ୍ରରେ କିନ୍ତୁ ଓଲଟା ପରିସ୍ଥିତି ସୃଷ୍ଟି ହୋଇଛି। ୪.୭୭% ଜାଗାରେ ୪.୬୪% ଅର୍ଥ ମିଳୁଛି।

ଏଠାରେ ପ୍ରକାଶ ଥାଉ କି ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ଓଡ଼ିଶାକୁ ୧ଲକ୍ଷ ୩୫ହଜାର ୮୨୦କୋଟି ଟଙ୍କା ମିଳିବା କଥା। କିନ୍ତୁ କେନ୍ଦ୍ର ସରକାର ୧ଲକ୍ଷ ୧୮ହଜାର ୫୨୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିଭଳି ୨୦୧୯-୨୦ରେ ୪୮,୨୫୦କୋଟି ଟଙ୍କା ରାଜ୍ୟର ହକ୍। ହେଲେ ବଜେଟ୍‌ ଆକଳନରେ ୩୭ ହଜାର ୫୬୦କୋଟି ଟଙ୍କା ରଖାଯାଇଛି।

ବିପର୍ଯ୍ୟୟ ପରିଚାଳନା ପାଣ୍ଠି କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନର ହିସାବ ରଖି ଅର୍ଥମନ୍ତ୍ରୀ କହିଥିଲେ, ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ହିସାବ ଅନୁସାରେ ଓଡ଼ିଶାକୁ ୬୨୧କୋଟି ଟଙ୍କା କମ୍‌ ପ୍ରଦାନ କରାଯାଇଛି। କମିସନ ଏହି ୪ବର୍ଷ ମଧ୍ୟରେ ୩୭୧୮କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରିବା ଲାଗି ସୁପାରିସ କରିଛନ୍ତି। ହେଲେ ରାଜ୍ୟକୁ ୩୦୯୭କୋଟି ଟଙ୍କା ମିଳିଛି। ଚଳିତବର୍ଷ କେନ୍ଦ୍ରୀୟ ଅଂଶ ୮୧୮କୋଟି ଟଙ୍କା ବଦଳରେ ୫୫୨କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ପାଦନ ଭିତ୍ତିକ ଅନୁଦାନ ସମ୍ପର୍କରେ ତଥ୍ୟ ରଖି ମନ୍ତ୍ରୀ କହିଥିଲେ ଏ ବାବଦରେ ଗ୍ରାମାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ୮୮୫କୋଟି ଟଙ୍କା ଓଡ଼ିଶାର ପ୍ରାପ୍ୟ। ସେହିଭଳି ସହରାଞ୍ଚଳ ସ୍ବାୟତ୍ତ ଶାସନ କ୍ଷେତ୍ରରେ ଏହାର ପରିମାଣ ୩୫୫କୋଟି ଟଙ୍କା। କିନ୍ତୁ କେନ୍ଦ୍ର ସରକାର ଗ୍ରାମପଞ୍ଚାୟତ କ୍ଷେତ୍ରରେ ୪୧୯କୋଟି ଟଙ୍କା କମ୍‌ ଦେଇଛନ୍ତି। ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା କ୍ଷେତ୍ରରେ ଏହାର ପରିମାଣ ୨୭୦ କୋଟି ଟଙ୍କା କମ୍‌।

ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ସମୟରେ ବିରୋଧୀ ଦଳ ନେତା ତାଙ୍କ ବକ୍ତବ୍ୟରେ କହିଥିଲେ ଉପା ସରକାର ତୁଳନାରେ ଏନ୍‌ଡିଏ ସରକାର ଅମଳରେ ଅଧିକ ଅର୍ଥ ମିଳୁଛି। ଏହି ଦାବିକୁ ଅର୍ଥ ମନ୍ତ୍ରୀ ପ୍ରତ୍ୟାଖାନ କରି କହିଥିଲେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ କେନ୍ଦ୍ରର ଅନୁଦାନ ନୁହେଁ। ଏହା କେନ୍ଦ୍ରର ଦୟାରେ ମିଳୁନାହିଁ। ବରଂ ରାଜ୍ୟର ଏକ ସାମ୍ବିଧାନିକ ଅଧିକାର।

୨୦୧୯-୨୦ ବଜେଟ୍‌ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ୟୁନିସେଫ୍ ସହାୟତାରେ ଶିଶୁ ବଜେଟ୍‌ କରିଛନ୍ତି। ବଜେଟ୍‌ରେ କାର୍ଯ୍ୟକ୍ରମ ପାଇଁ ୭୦ ହଜାର ୬୦୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଯାହା ମୋଟ୍‌ ବଜେଟର ୫୦%ରୁ ଅଧିକ। କୃଷି ବଜେଟ୍‌ର ପରିମାଣ ୨୦ହଜାର ୭୧୪କୋଟି ଟଙ୍କା ରଖାଯାଇଛି। ଯେଉଁଥିରୁ ୯୭୧୩କୋଟି ଟଙ୍କା ଜଳସେଚନ ଭିତ୍ତିଭୂମି ବାବଦରେ ଖର୍ଚ୍ଚ ହେବ। କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୫୬୧୧କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। କେବଳ ସେତିକି ନୁହେଁ ଚଳିତ ଆର୍ଥିକ ବର୍ଷରେ ୨ଲକ୍ଷ ୬୫ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି।

ଜନସାଧାରଣଙ୍କୁ ପାଇପ୍ ପାଣି ଯୋଗାଇବା ଲାଗି ବସୁଧା ଯୋଜନା, ଅନ୍ୟାନ୍ୟ ବଜେଟ୍ ଓ ବଜେଟ୍ ବର୍ହିଭୂତ ସମ୍ବଳକୁ ମିଶାଇ ପ୍ରାୟ ୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ କାର୍ଯ୍ୟକ୍ରମ ବଜେଟ୍‌ରେ ୨୩୭୬୦‌ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଚଳିତବର୍ଷ ମିସନ୍ ଶକ୍ତି ଗୃହ ନିର୍ମାଣ ପାଇଁ ୧୩୦କୋଟି ଟଙ୍କା ବରାଦ କରାଯାଇଛି।

ରାଜ୍ୟ ଅର୍ଥନୀତିର ସ୍ବାସ୍ଥ୍ୟ ସମ୍ପର୍କରେ ତଥ୍ୟ ରଖି ମନ୍ତ୍ରୀ କହିଥିଲେ ମହାଲେଖାକାରଙ୍କ ଠାରୁ ମିଳିଥିବା ପ୍ରାକ୍ ବାସ୍ତବିକ ହିସାବ ଅନୁଯାୟୀ, ୨୦୧୮-୧୯ ବର୍ଷ ଶେଷରେ ରାଜ୍ୟର ଋଣ ଓ ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୧୬.୮ପ୍ରତିଶତ ରହିଛି। ସେହିଭଳି ସୁଧ ଦେୟ ଓ ରାଜସ୍ବ ଆୟ ଅନୁପାତ ୫.୮%ରେ ସୀମିତ ରଖାଯାଇଛି। ୨୦୦୫-୦୬ ବର୍ଷ ଠାରୁ କ୍ରମାଗତ ଭାବେ ଓଡ଼ିଶା ରାଜସ୍ବ ବଳକା ସ୍ଥିତି ବଜାୟ ରଖିଥିବା ଅର୍ଥମନ୍ତ୍ରୀ କହିଥିଲେ।

ଏଥିସହ ଚଳିତ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୪୬ହଜାର ୬୧କୋଟି ୯ଲକ୍ଷ ୩୨ହଜାର ଟଙ୍କାର ବ୍ୟୟ ମଞ୍ଜୁରି ବିଲ୍‌-୨୦୧୯ ପାରିତ ହୋଇଛି। ଆସନ୍ତାକାଲି ଠାରୁ ସରକାର ରାଜକୋଷରୁ ଅର୍ଥ ଖର୍ଚ୍ଚ କରିପାରିବେ।

ସମ୍ବନ୍ଧିତ ଖବର