ସ୍ବାଧୀନତା ଦିବସରେ ବଡ଼ ସଭା ଆୟୋଜନ ନ କରିବାକୁ କେନ୍ଦ୍ରର ନିର୍ଦେଶ

୫୩୮ ପଜିଟିଭ୍, ଜଣେ ମୃତ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଖସିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୫ଶହକୁ ଖସି ଆସିଛି। ତେବେ ଦେଶ‌ରେ ସଂକ୍ରମଣ ବୃଦ୍ଧି ପାଉଛି। ଆଉ ୨ଦିନ ପରେ ସ୍ବାଧୀନତା ଦିବସ ଆସୁଥିବାରୁ ସେହିଦିନ ବଡ଼ ସଭା ଆୟୋଜନ ନ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଜାରି ଚିଠିରେ କୁହାଯାଇଛି ଯେ ଦେଶ‌ରେ କୋଭିଡ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ, ସାମାଜିକ ଦୂରତା, ହାତ ଧୋଇବାକୁ ଜାରି ରଖିବା ଜରୁରୀ। କୋଭିଡକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌କୁ ପାଳନ କରିବାକୁ କୁହାଯାଇଛି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩୮ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୧୩୭, ଖୋର୍ଧା ୭୭, ମୟୂରଭଞ୍ଜ ୪୦, ବଲାଙ୍ଗୀର ୩୬, କଳାହାଣ୍ଡି ୩୯, ସମ୍ବଲପୁର ୨୨ ଓ ଷ୍ଟେଟ୍‌ ପୁଲରୁ ୧୭ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୨୧,୭୮୦କୁ ବୃଦ୍ଧି ପାଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ୭୫ବର୍ଷର ଜଣେ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ୯୧୫୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୪୪ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୫୬୩କୁ ଖସି ଆସିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୯୦୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର