ଅନୁଗୁଳ : ମିସନ ଶକ୍ତି ଜରିଆରେ ମହିଳାମାନେ ଏବେ ବେଶ୍‌ ସଫଳତା ପାଇଛନ୍ତି। ଏହି ମହିଳାମାନେ ତାଙ୍କୁ ଭେଟିବାକୁ ଆସି ତାଙ୍କ ସଫଳତା ସଂପର୍କରେ କହୁଛନ୍ତି। ମା’ମାନଙ୍କ ଏହି ସଫଳ କାହାଣୀ ତାଙ୍କୁ ବେଶ୍‌ ଆନନ୍ଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମାମାନଙ୍କୁ ସେ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହୁଛନ୍ତି। ସେଥିପାଇଁ ଆଗାମୀ ୫ ବର୍ଷରେ ମିସନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଅନୁଗୁଳ ଷ୍ଟାଡିୟମ୍‌ରେ ମିସନ ଶକ୍ତି ମା’ମାନଙ୍କ ପାଇଁ ୨୪୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଜିଲ୍ଲାର ୭୩୭୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୭୫ ହଜାର ମହିଳା ଏହାଦ୍ବାରା ଉପକୃତ ହେବେ। ଏହାପରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିସନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ପରିଣତ କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ସମୁଦାୟ ୩୧୩ କୋଟି ଟଙ୍କାର ୭୪୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲା ବେଳେ ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି। ଏହାସହିତ ଅନୁଗୁଳରେ ୩୫୦ କୋଟି ଟଙ୍କାରେ ଦୁଇଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ଦୁଇଟିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଦେଇସାରିଛି ବୋଲି ସେ କହିଥିଲେ। ଏହାଦ୍ବାରା ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ର ୪୮ଟି ପଞ୍ଚାୟତର ଲୋକ ପାନୀୟ ଜଳ ପାଇପାରିବେ।

ମୁଖ୍ୟମନ୍ତ୍ରୀ ନିଜ ସରକାରଙ୍କ ସଫଳତା କହିଥିଲା ବେଳେ କେନ୍ଦ୍ର ବିରୋଧରେ ପାଟି ଖୋଲି ନ ଥିଲେ। କିନ୍ତୁ, ଉପବାଚସ୍ପତି ରଜନୀକାନ୍ତ ସିଂହ, ସାଂସଦ ମହେଶ ସାହୁ ଓ ବିଧାୟକ ବ୍ରଜକିଶୋର ପ୍ରଧାନ ନିଜନିଜର ଅଭିଭାଷଣରେ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରିଥିଲେ। ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସ୍ବାଗତ ଭାଷଣ ଦେଇଥିଲାବେଳେ ଶେଷ‌ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନ ବିହାରୀ ଦାସ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।