ଓଡ଼ିଶାରେ ବିଦେଶ ଭବନ : ଭୁବନେଶ୍ୱରରେ ଜମି ଯୋଗାଇ ଦେବାକୁ କେନ୍ଦ୍ରର ଅନୁରୋଧ

ଭୁବନେଶ୍ୱର :କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଓଡ଼ିଶାରେ ଏକ ବିଦେଶ ଭବନ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ଓଡ଼ିଶାରେ ବିଦେଶ ଭବନ କାର୍ଯ୍ୟକାରୀ ହେଲେ ରାଜ୍ୟରୁ ବିଦେଶ ଯାଉଥିବା ବ୍ୟକ୍ତିମାନଙ୍କର ସମସ୍ୟା ସବୁ ସେହିଠାରେ ହିଁ ସମାଧାନ ହୋଇପାରିବ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଫଳଶ୍ରୁତି ସ୍ୱରୂପ ଏହି ନୂତନ ଦପ୍ତର ଓଡ଼ିଶାରେ ଖୋଲିବାକୁ ଯାଉଛି। ଇତିମଧ୍ୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବ ବି.ଏନ୍‌ ମୁଲ୍ଲେ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖି ଓଡ଼ିଶାରେ ବିଦେଶ ଭବନ ନିର୍ମାଣ ପାଇଁ ଭୁବନେଶ୍ୱରରେ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖନୀୟ ଯେ ଆରବ ଦେଶ ସମୂହ ସହିତ ବିଦେଶର ଅନ୍ୟାନ୍ୟ ରାଷ୍ଟ୍ରକୁ ଯାଉଥିବା ଓଡ଼ିଶାର ଲୋକେ ଯେତେବେଳେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନ ଲାଗି ସେମାନଙ୍କୁ ନୂଆଦିଲ୍ଲୀ କିମ୍ବା ଅନ୍ୟ ରାଜ୍ୟର ସହରକୁ ଦୌଡ଼ିବାକୁ ପଡ଼ୁଛି। କିନ୍ତୁ ଭୁବନେଶ୍ୱରରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ଏକ ଆଞ୍ଚଳିକ ଶାଖା ଦପ୍ତର ଭାବେ ବିଦେଶ ଭବନ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଲୋକେ ସେମାନଙ୍କ ସମସ୍ୟା ସେହି ଦପ୍ତରରେ ହିଁ ସମାଧାନ କରାଇପାରିବେ। ଏହି ବିଦେଶ ଭବନ ମାଧ୍ୟମରେ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ଦପ୍ତର ସହ ମଧ୍ୟ ସହଜରେ ଯୋଗାଯୋଗ କରିହେବ।

ବିଦେଶ ଯାଉଥିବା ଭାରତୀୟମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ଲାଗି କେନ୍ଦ୍ର ସରକାର ଦେଶର କେତେକ ରାଜ୍ୟରେ ‘ଆଉଟ୍‌ ରିଚ୍‌ ପ୍ରୋଗ୍ରାମ୍‌’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର କେତେକ ପ୍ରମୁଖ ରାଜଧାନୀରେ ବିଦେଶ ଭବନ ଖୋଲିବାକୁ ଅଛି। ତେଣୁ ଏଥିରୁ ଓଡ଼ିଶା ଫାଇଦା ଉଠାଇପାରେ। ଏହି ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହଯୋଗରେ ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡ. ଭି.କେ ସିଂହ ତାଙ୍କ ମନ୍ତ୍ରାଳୟର ନେତୃତ୍ୱ ନେଇ ଓଡ଼ିଶା ସରକାରଙ୍କ ପ୍ରତିନିଧିମାନଙ୍କ ସଙ୍ଗେ ମତ ବିନିମୟ କରିବେ। ଏଥିଲାଗି କେନ୍ଦ୍ର ସରକାର ରାଜ୍ୟର ସହଯୋଗ ଲୋଡ଼ିଛନ୍ତି। ବୈଦେଶିକ ବ୍ୟାପାର ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଯେତେଶୀଘ୍ର ଓଡ଼ିଶା ସରକାର ବିଦେଶ ଭବନ ପାଇଁ ଏକ ଭଲ ଜାଗା ଯୋଗାଇଦେବେ ସେତେଶୀଘ୍ର ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର