ଅନୁଗୁଳ : ଗୋଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳବାସୀଙ୍କ ପାଇଁ ଆଜି ୧୪୯୨କୋଟି ଟଙ୍କାର ନୂଆ ପ୍ରକଳ୍ପ ଅଜାଡ଼ି ଦେଇଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ୧୪ଶହ କୋଟି ଟଙ୍କାର ନୂଆ କରିଡର୍‌ ସ୍ବପ୍ନ ଦେଖାଇଛନ୍ତି। ଯାହାର ନାଁ ରହିଛି ‘ଏନର୍ଜି କରିଡର୍‌’।

Advertisment

ଏହି କରିଡ଼ରର ଫୋକସ୍‌ ପଏଣ୍ଟ ହେଉଛି ଅନୁଗୁଳ ଏବଂ ତାଳଚେର। ବିଦ୍ୟୁତ୍‌ କ୍ଷେତ୍ରଠାରୁ ଆରମ୍ଭ କରି କୋଇଲା, ରେଳ ବିଭାଗକୁ ନେଇ ଏ କରିଡର୍‌ ହେବ। ଗତିଶକ୍ତି ବିଶ୍ବବିଦ୍ୟାଳୟ ଅଧୀନରେ ତାଳଚେରରେ ଏକ ଲଜିଷ୍ଟିକ୍‌ କ୍ୟାମ୍ପସ୍‌, ସପ୍ଟଓୟାର ପାର୍କ ଆଦି ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ ସେଥିରେ ସ୍ଥାନିତ ହେବ। କରିଡର୍‌ ଅନୁଗୁଳ ଏବଂ ତାଳଚେର ଅଞ୍ଚଳର କେବଳ ଆର୍ଥିକ ସୁପର ପାୱାର ହେବ ନାହିଁ, ବରଂ ଭାରତକୁ ବିଶ୍ବ ଦରବାରରେ ଆର୍ଥିକ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଏ ଯୋଜନାରେ ତାହା ଚରିତାର୍ଥ କରିବ।

ଗୋଟିଏପଟେ ମୁଖ୍ୟମନ୍ତ୍ରୀ ୭୯୫ଟି ପ୍ରକଳ୍ପର ଶିଳାନ୍ୟାସ କରି ଲୋକଙ୍କ ମନ ଜିଣିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏନର୍ଜି କରିଡର୍‌ ଅନୁଗୁଳ ରାଜନୀତିକୁ ସରଗରମ କରିଛି। ।

ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ-୨ର ସ୍ଥାୟୀ କ୍ୟାମ୍ପସ ନିର୍ମାଣର ଭିତ୍ତିପ୍ରସ୍ତର ଅବସରରେ ଏ ସଭା ଅନୁଷ୍ଠିତ ହୋଇଥିଲା। ରେଲୱେ କଲୋନିରେ ଆୟୋଜିତ ଏହି ସଭାରେ ତିନିଜଣ ଯାକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଜିଲ୍ଲାର ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ସରକାର ୧୪ଶହ କୋଟି ଟଙ୍କାର କରିଡର୍‌ ବ୍ଲୁ-ପ୍ରିଣ୍ଟ୍‌ ତିଆରି କରିଥିବା କହିଥିଲେ। ମଞ୍ଜୁରି ମିଳିଲା ପରେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ୨୦୧୪ମସିହା ପୂର୍ବରୁ ଓଡ଼ିଶା ସରକାରଙ୍କର ବାର୍ଷିକ ଖଣି ରୟାଲିଟି ଯେଉଁଠି ୫ହଜାର କୋଟିରେ ସୀମିତ ରହୁଥିଲା, ଆଜି ତାହା ୧୦ଗୁଣ ବୃଦ୍ଧି ପାଇ ୫୦ହଜାର କୋଟିରେ ପହଞ୍ଚିଛି। କେନ୍ଦ୍ର ସରକାର ଜିଲ୍ଲା ଖଣିଜ ପାଣ୍ଠି ତିଆରି କରି ଖଣି ଥିବା ଜିଲ୍ଲାକୁ ପ୍ରତିବର୍ଷ ପ୍ରାୟ ହଜାରେ କୋଟି ଟଙ୍କା ଯୋଗାଉଛନ୍ତି। ଖଣି ସମ୍ପଦଭରା ରାଜ୍ୟ ଓଡ଼ିଶାକୁ ରେଳ ବଜେଟ୍‌ରେ ଯେଉଁଠି ବାର୍ଷିକ ୮ଶହ କୋଟି ମିଳୁଥିଲା, ଆଜି ତାହା ୧୦ହଜାର କୋଟିକୁ ଛୁଇଁଛି।

କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲାଦ ଯୋଶୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ, ସମାନ କଥା ଦୋହରାଇଥିଲେ। ସେ କହିଥିଲେ, ପୂର୍ବରୁ ତାଳଚେରରୁ ବର୍ଷକୁ ୧୬୦ମିଲିୟନ ଟନ୍‌ କୋଇଲା ଉତ୍ତୋଳନ ହେଉଥିଲା। ଏବେ ତାହା ୧୯୦ମିଲିୟନ୍‌ ଟନ୍‌କୁ ଯାଇଛି। ତେବେ, କୋଇଲା ଉତ୍ତୋଳନ ବାର୍ଷିକ ୨୦୦ମିଲିୟନ୍‌ ଟନ୍‌ କରିବାକୁ ପଡ଼ିବ ବୋଲି ଶ୍ରୀ ଯୋଶୀ କହିଛନ୍ତି। ‌ସେଠାରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରେଳ ଏବଂ କୋଇଲା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମ୍‌ସିଏଲ୍‌ର ସିଏମ୍‌ଡି ଓ ପି ସିଂହ, ଏମ୍‌ସିଏଲ୍ ନିର୍ଦ୍ଦେଶକ କେଶବ ରାଓ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍‌ସିପାଲ୍ ସୁସ୍ମିତା ପ୍ରଧାନ, ବିଜେପି ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ପ୍ରତାପ ପ୍ରଧାନ, ସଞ୍ଜୟ ସାହୁ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ସମେତ ବିଜେପି ନେତାମାନେ ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ରେଳୱେ ଖୋର୍ଦ୍ଧା ଡିଭିଜନର ଡିଆର୍‌ଏମ୍‌ ରିଙ୍କେସ୍‌ ରୟ ସ୍ବାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଡେପୁଟି କମିସନର୍‌ ଶିହାରାନ୍ ବୋଷ ଧନ୍ୟବାଦ ଦେଇଥିଲେ।