କୋଭିଡ୍‌ ପରୀକ୍ଷା ବଢ଼ାଅ, ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ବ ଦିଅ

ଭୁବନେଶ୍ବର : କୋଭିଡ୍‌ ପରୀକ୍ଷା ବଢ଼ାଇବା ସହିତ ଅନୁମୋଦିତ ପରୀକ୍ଷାଗାରଗୁଡ଼ିକୁ ସଂପୂର୍ଣ୍ଣ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍‌ଆର। କେତେକ ରାଜ୍ୟରେ ଅନୁମୋଦନ ପରୀକ୍ଷାଗାର ଗୁଡ଼ିକ ଆବଶ୍ୟକ ସଂଖ୍ୟକ କୋଭିଡ୍‌ ପରୀକ୍ଷା କରୁ ନ ଥିବା ‌ନଜରକୁ ଆସିଛି। ତେଣୁ ସମସ୍ତ କୋଭିଡ୍‌ ପରୀକ୍ଷାଗାରକୁ ବ୍ୟବହାର କରି ପରୀକ୍ଷାକୁ ବଢ଼ାଇବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ‌କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଟେଷ୍ଟ-ଟ୍ରାକ୍-ଟ୍ରିଟ୍‌ ଜରୁରୀ ଥିବାରୁ ରାଜ୍ୟ ସରକାର କୋଭିଡ୍‌ ପରୀକ୍ଷା ବଢ଼ାନ୍ତୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ଓ ଆଇସିଏମ୍‌ଆରର ସଚିବ ପ୍ରଫେସର ବଳରାମ ଭାର୍ଗବ ଆଜି ଏଭଳି ଚିଠି ଲେଖିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ୧୦୪୯ଟି କୋଭିଡ୍‌ ପରୀକ୍ଷାଗାରକୁ ଅନୁମତି ଦିଆଯାଇଛି। ତହିଁରେ ୭୬୧ଜଣ ସରକାରୀ ଓ ୨୮୮ଜଣ ଘରୋଇ ପରୀକ୍ଷାଗାର ରହିଛି। ତେବେ କେତେକ ଘରୋଇ ପରୀକ୍ଷାଗାର ଧାର୍ଯ୍ୟ କ୍ଷମତାଠାରୁ କମ୍ ପରୀକ୍ଷା କରୁଛନ୍ତି। ତେଣୁ କୋଭିଡ୍‌ ପରୀକ୍ଷା କିଭଳି ବଢ଼ିବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। କେତେକ ରାଜ୍ୟରେ କୋଭିଡ୍‌ ପରୀକ୍ଷା ପାଇଁ ସରକାରୀ ଡାକ୍ତରଙ୍କ ଦସ୍ତଖତ ଥିବା ପ୍ରେସକ୍ରିପସନ୍‌ ଆବଶ୍ୟକ ପଡ଼ୁଥିବା ନଜରକୁ ଆସିଛି। ଆଇସିଏମ୍‌ଆର ପକ୍ଷରୁ କେଉଁ ବ୍ୟକ୍ତିମାନଙ୍କ ପରୀକ୍ଷା କରାଯିବ ସେଥିପାଇଁ ନିର୍ଦେଶାବଳୀ ଜାରି କରାଯାଇଛି। ସରକାରୀ ପରୀକ୍ଷାଗାର ଗୁଡ଼ିକରେ ବହୁ ସଂଖ୍ୟାରେ ନମୁନା ପରୀକ୍ଷା ହେଉଥିବାରୁ ଘରୋଇ ପରୀକ୍ଷାଗାରମାନେ ସଂପୃକ୍ତ ବ୍ୟକ୍ତିମାନଙ୍କ କୋଭିଡ୍‌ ପରୀକ୍ଷା ପାଇଁ ଆଗେଇ ଆସିବା ଦରକାର। ଯାହାଫଳରେ ଭୂତାଣକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ। ଏହାସହ ସମସ୍ତ କୋଭିଡ୍‌ ପରୀକ୍ଷାଗାରଗୁଡ଼ିକ ଆଇସିଏମ୍‌ଆର ଡାଟାବେସ୍‌ରେ ପରୀକ୍ଷା ସହ କଣ୍ଟାକ୍ଟ ଟ୍ରେସିଂ ତଥ୍ୟ ଅପଲୋଡ୍‌ କରିବା ପାଇଁ କୁହାଯାଇଛି।

ଏହା ସହ ଆଇସିଏମ୍‌ଆର ପକ୍ଷରୁ ନିକଟରେ ରାପିଡ୍ ଆଣ୍ଟିଜେନ୍‌ ପରୀକ୍ଷାକୁ ଅନୁମତି ଦିଆଯାଇଛି। ସଂକ୍ରମଣ ଅବରୋଧ ଅଞ୍ଚଳ ଓ ହସ୍ପିଟାଲଗୁଡ଼ିକରେ ଏହି ପରୀକ୍ଷା ଆଇସିଏମ୍‌ଆର ଗାଇଡଲାଇନ୍ ଅନୁଯାୟୀ ହୋଇପାରିବ। ତେଣୁ ରାଜ୍ୟ ସରକାର କ୍ୟାମ୍ପ/ମୋବାଇଲ ଭ୍ୟାନ୍ ଜରିଆରେ ଯେଉଁ ଅଞ୍ଚଳରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେଠାରେ ସମସ୍ତ ଲକ୍ଷଣଧାରୀ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯିବା ଦରକାର ବୋଲି ଚିଠିରେ ଉଲ୍ଲେଖ ରହିଛି।

ଉଲ୍ଲେଖ ଯେ, ଓଡ଼ିଶାରେ ସମୁଦାୟ ୨୨ଟି କୋଭିଡ୍‌ ପରୀକ୍ଷାଗାରକୁ ଆଇସିଏମ୍‌ଆର ପକ୍ଷରୁ ଅନୁମୋଦନ ମିଳିଛି। ତହିଁରେ ୧୬ଟି ସରକାରୀ ପରୀକ୍ଷାଗାର ଥିବା ବେଳେ ୬ଟି ଘରୋଇ ପରୀକ୍ଷାଗାର ରହିଛି। ଏଥିରେ ଆରଟି-ପିସିଆର ପାଇଁ ୧୫ଟି କେନ୍ଦ୍ର, ଟ୍ରୁନାଟ୍ ପାଇଁ ୫ଟି ଓ ସିବିନାଟ୍ ପାଇଁ ୨ଟି କେନ୍ଦ୍ରକୁ ଅନୁମତି ଦିଆଯାଇଛି। ମାତ୍ର ରାଜ୍ୟରେ ସେହି ଅନୁଯାୟୀ କୋଭିଡ୍‌ ପରୀକ୍ଷା ହେଉନାହିଁ। ଏପରିକି ବହୁତ କମ୍ ଦିନ ରାଜ୍ୟରେ କୋଭିଡ୍‌ ପରୀକ୍ଷା ୫ ହଜାର ଟପୁଛି। ଆଇସିଏମ୍‌ଆର ନିର୍ଦେଶାବଳୀ ଅନୁଯାୟୀ କେବଳ ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା କରାଯାଉଥିବାରୁ ଏଭଳି ପରିସ୍ଥିତି ସୃ‌ଷ୍ଟି ହୋଇଛି ବୋଲି ସରକାରୀ ଅଧିକାରୀ କହୁଛନ୍ତି।

ସମ୍ବନ୍ଧିତ ଖବର