ଜୁଲାଇରେ ମାତ୍ର ୫% ଟିକା ଉଠାଇଛନ୍ତି ଘରୋଇ ହସ୍ପିଟାଲ
ପରଚେଜ୍ ଅର୍ଡର ଦେଇଥିଲେ ୨୪ ହସ୍ପିଟାଲ
ଘରୋଇ ହସ୍ପିଟାଲରେ ଟିକାକରଣ ନୈରାଶ୍ୟଜନକ
ଭୁବନେଶ୍ବର : ଓଡ଼ିଶାକୁ ସୁହାଉନି କେନ୍ଦ୍ର ସରକାରଙ୍କ ୭୫-୨୫ ପ୍ରତିଶତ ଟିକା ନୀତି। ରାଜ୍ୟରେ ଘରୋଇ ହସ୍ପିଟାଲମାନେ ଆବଣ୍ଟିତ ଟିକାର ଶତ ପ୍ରତିଶତ ଟିକା ଉଠାଇବାରେ ବିଫଳ ହୋଇଛନ୍ତି। ଗତ ଜୁଲାଇ ମାସରେ ଆବଣ୍ଟିତ ହୋଇଥିବା ଟିକାର ମାତ୍ର ୫ ପ୍ରତିଶତ ରାଜ୍ୟ ଘରୋଇ ହସ୍ପିଟାଲ ଉଠାଇବାରେ ସକ୍ଷମ ହୋଇଛନ୍ତି। ଯାହାଫଳରେ ରାଜ୍ୟର ଘରୋଇ ହସ୍ପିଟାଲ ପାଇଁ ରହିଥିବା ଆବଣ୍ଟିତ ଟିକାକୁ ସଂପୂର୍ଣ୍ଣ ପାଇବା ସମ୍ଭବ ହୋଇନାହିଁ। ଏଭଳି ପରିସ୍ଥିତିରେ ଅଗଷ୍ଟ ମାସରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ରାଜ୍ୟ ସରକାର ମଧ୍ୟ ଏଭଳି ଆଶଙ୍କା କରି ଏଥିରେ ସଂଶୋଧନ କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିଥିଲେ। ମାତ୍ର କେନ୍ଦ୍ର ଏଥିପାଇଁ କିଛି ନିଷ୍ପତ୍ତି ନେଇନାହିଁ। ଜୁନ୍ ୨୧ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଟିକା ନୀତି ଲାଗୁ ହୋଇଛି। ଏଥିରେ କେନ୍ଦ୍ର ସରକାର ଟିକା ପ୍ରସ୍ତୁତକାରୀ କମ୍ପାନିଙ୍କଠାରରୁ ସିଧାସଳଖ ୭୫ ପ୍ରତିଶତ ଟିକା କିଣିବା ସହିତ ରାଜ୍ୟମାନଙ୍କୁ ବଣ୍ଟନ କରିବେ। ବଳକା ୨୫ ପ୍ରତିଶତ ଘରୋଇ ହସ୍ପିଟାଲମାନେ କମ୍ପାନିଠାରୁ କିଣିପାରିବେ। ଦେଶରେ ଏବେ ସରକାରୀ ସ୍ତରରେ ଦୁଇଟି ଟିକା ଦିଆଯାଉଥିବା ବେଳେ ସରକାର ଘରୋଇ ହସ୍ପିଟାଲ ପାଇଁ ଦର ଧାର୍ଯ୍ୟ କରିଛନ୍ତି। ଏହାସହ ଘରୋଇ ହସ୍ପିଟାଲମାନେ କେଉଁଭଳି ଢଙ୍ଗରେ ଟିକା ପାଇଁ ଆବେଦନ କରିବେ ତାହାର ମଧ୍ୟ ଏକ ଫର୍ମୁଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ଏସବୁ ସତ୍ବେ ରାଜ୍ୟରେ ଘରୋଇ ହସ୍ପିଟାଲରେ ଟିକାକରଣ ଆଖିଦୃଶିଆ ହୋଇପାରି ନାହିଁ।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଘରୋଇ ହସ୍ପିଟାଲ ପାଇଁ ୮,୪୩,୯୩୦ ଡୋଜ୍ କୋଭିସିଲ୍ଡ ଓ ୧,୭୩୦୪୦ ଡୋଜ୍ କୋଭାକ୍ସିନ୍ ଡୋଜ୍କୁ ମିଶାଇ ସମୁଦାୟ ୧୦,୧୬,୯୭୦ ଡୋଜ୍ ଆବଣ୍ଟନ କରିଥିଲେ। ହେଲେ ରାଜ୍ୟର ଘରୋଇ ହସ୍ପିଟାଲମାନଙ୍କ ମଧ୍ୟରୁ କୋଭିସିଲ୍ଡ ୫୦ହଜାର ୫ଶହ ଓ ୪୮୦ ଡୋଜ୍ର କୋଭାକ୍ସିନ୍ ପାଇଁ ପରଚେଜ୍ ଅର୍ଡର ଦିଆଯାଇଥିଲା। ତହିଁରୁ ୪୮,୫୦୦ କୋଭିସିଲ୍ଡ ଘରୋଇ ହସ୍ପିଟାଲ ପାଇଥିବା ବେଳେ ଆଉ ୨ହଜାର ଡୋଜ୍ ବାକି ରହିଛି। ସେହିପରି ପରଚେଜ୍ ଅର୍ଡରର ୪୮୦ ଡୋଜ୍ କୋଭାକ୍ସିନ୍ ଏ ପର୍ଯ୍ୟନ୍ତ ଆସିନାହିଁ। ତେଣୁ ଆବଣ୍ଟିତ ଟିକାର ମାତ୍ର ୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ଉଠାଇବାରେ ସକ୍ଷମ ହୋଇଛନ୍ତି। ଜୁଲାଇ ମାସ ପାଇଁ ରାଜ୍ୟର ୮ଟି ଜିଲ୍ଲାରେ ୨୪ଟି ଘରୋଇ ହସ୍ପିଟାଲ କୋ-ୱିନ୍ ଆପ୍ରେ ଟିକା ପାଇଁ ଆବେଦନ କରିଥିଲେ। ଏଥିରେ କଟକରେ ସର୍ବାଧିକ ୭ଟି ଥିବା ବେଳେ ଅନୁଗୁଳ ୫, ସୁନ୍ଦରଗଡ଼ ୪, ଖୋର୍ଧା, ଢେଙ୍କାନାଳରେ ୨, ବାଲେଶ୍ବର, ଭଦ୍ରକ, ବରଗଡ଼ ଓ ରାୟଗଡ଼ାର ଗୋଟିଏ ଲେଖାଏଁ ହସ୍ପିଟାଲ ପରଚେଜ୍ ଅର୍ଡର ଦେଇଥିଲେ। ସୁନ୍ଦରଗଡ଼ର ଦୁଇଟି ହସ୍ପିଟାଲ କେବଳ କୋଭାକ୍ସିନ୍ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।
ଚଳିତ ଅଗଷ୍ଟ ମାସରେ କେନ୍ଦ୍ର ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ୯ଲକ୍ଷ ୭୬ହଜାର ୨୯୦ ଡୋଜ୍ ଟିକା ଆବଣ୍ଟନ କରାଯାଇଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଘରୋଇ ହସ୍ପିଟାଲର ଟିକା ଚାହିଦା ହ୍ରାସ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଘରୋଇ ହସ୍ପିଟାଲ ପାଇଁ ଆବଣ୍ଟିତ ୨୫ ପ୍ରତିଶତକୁ ୫ ପ୍ରତିଶତକୁ ହ୍ରାସ କରିବା ଲାଗି କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି। ରାଜ୍ୟ ସରକାରଙ୍କ ମତରେ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାର ଘରୋଇ ହସ୍ପିଟାଲ ମାତ୍ର ୫ ପ୍ରତିଶତ। ତେଣୁ ୨୫ ପ୍ରତିଶତ କୋଟାରେ ହ୍ରାସ କରିବା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ କେନ୍ଦ୍ରକୁ ଚିଠି ମଧ୍ୟ ଦିଆଯାଇଛି। ମାତ୍ର ଏହି ନୀତିରେ କୌଣସି ପରିବର୍ତନ ହୋଇନାହିଁ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ୭୫-୨୫ ଟିକା ନୀତିରେ ସଂଶୋଧନ ନ ହେଲେ ରାଜ୍ୟ ଏଭଳି ଟିକା ହରାଇବ।