ଭୁବନେଶ୍ବର: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇ ଦଶନ୍ଧି ଧରି କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ଅବସ୍ଥାରେ ଥିଲେ। ଏବେ କିନ୍ତୁ ଡବଲ୍‌ ଇଞ୍ଜିନ ସରକାର (କେନ୍ଦ୍ର ଓ ରାଜ୍ୟ ଉଭୟଠାରେ ବିଜେପି କ୍ଷମତାରେ)ରେ ଏହି ପ୍ରସଙ୍ଗଟି ନୂଆ ମୋ଼ଡ଼ ନେଇପାରେ। ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି। ଓଡ଼ିଶା ସମେତ ୬ଟି ରାଜ୍ୟ ଏବେ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ନିତି ଆୟୋଗ ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ଆଧାରରେ ସ୍ବତନ୍ତ୍ର ପାହ୍ୟା ଦାବି କରୁଥିବା ସବୁ ରାଜ୍ୟକୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ତେଣୁ ଅନ୍ୟ ଏକ ବାଟରେ ଏହି ରାଜ୍ୟଗୁଡ଼ିକୁ ସନ୍ତୁଷ୍ଟ କରିବା ଲାଗି ମୋଦୀ ସରକାର ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଓଡ଼ିଶା ସମେତ ଅନ୍ତତଃ ଛଅଟି ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେବା ଲାଗି ବିଚାର ଆରମ୍ଭ ହୋଇଛି। ବିକାଶର ବିଭିନ୍ନ ମାନଦଣ୍ଡରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଏସବୁ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାକେଜ୍ ଦିଆଯିବା ସମ୍ଭାବନା ଉଜ୍ଜ୍ବଳ। ବିହାର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା ଏବଂ ଜମ୍ମୁ ଓ କାଶ୍ମୀର ଏହି ସହାୟତା ପାଇପାରନ୍ତି। ଚଳିତ ମାସ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବାକୁ ଯାଉଥିବା ବଜେଟ୍‌ରେ ଏନେଇ ଘୋଷଣା ହେବାର ସମ୍ଭାବନା ରହିଛି।

Advertisment

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦେବା ଲାଗି ପୂର୍ବର ବିଜୁ ଜନତା ଦଳ (ବିଜେଡି) ସରକାର ଉଦ୍ୟମ କରୁଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର ଏହି ଦ‌ାବି ଉଠାଇଥିଲେ ମଧ୍ୟ ସେହି ମାନ୍ୟତା ରାଜ୍ୟକୁ ‌ମିଳିପାରିନଥିଲା। ଏପରିକି କେନ୍ଦ୍ରର ଏନ୍‌ଡିଏ ଓ ଉପା ସରକାର ଉଭୟ ଏଭଳି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏଇଥିପାଇଁ ଯେ ପୂର୍ବରୁ ଏଭଳି କିଛି ନିୟମ ରହିଥିଲା ଯାହା ଏହି ମାନ୍ୟତା ହାସଲ କରିବା‌ରେ ପ୍ରତିବନ୍ଧକ ହୋଇରହିଥିଲା। ଏବେ କିନ୍ତୁ କେନ୍ଦ୍ର ସରକାର ସଂଖ୍ୟା ଦୃଷ୍ଟିରୁ ଭୀଷଣ ଚାପରେ ଅଛନ୍ତି। ବିଶେଷକରି ବିହାରର ଜେଡି(ୟୁ) ନେତା ନୀତୀଶ କୁମାର ଏବଂ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡ଼ୁ ମୋଦୀ ସରକାରକୁ କ୍ଷମତାଚ୍ୟୁତ କରିଦେବାର ସାମର୍ଥ୍ୟ ରଖନ୍ତି। ଯେହେତୁ ଉଭୟ ରାଜ୍ୟ ଏହି ପ୍ରସଙ୍ଗକୁ ଆଗରେ ରଖିଛନ୍ତି, ଏଣୁ ଏହି ପ୍ରସଙ୍ଗର ପୁନର୍ବିଚାର ଲାଗି କେନ୍ଦ୍ର ସରକାର ଏକପ୍ରକାର ବାଧ୍ୟ ହେଉଛନ୍ତି। ଏହି ସମୀକରଣରେ ଓଡ଼ିଶା ଲାଭବାନ ହେବାକୁ ଯାଉଛି। କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପଛରେ ଓଡ଼ିଶା ଭୋଟରଙ୍କର ଅବଦାନ ମଧ୍ୟ କିଛି କମ୍ ନାହିଁ। ଏମିତିରେ ବି ନୂଆକରି ଓଡ଼ିଶାରେ ବିଜେପି ଶାସନକୁ ଆସିଛି। ଏଣୁ ଓଡ଼ିଶାକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ନେଇ ମଧ୍ୟ ବିଚାର ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳୁଛି।