କେନ୍ଦ୍ରର ନୂଆ ନୀତି: ଖଣି ମାଲିକଙ୍କୁ କୋରଡ଼ା ମାଡ଼!
ଭୁବନେଶ୍ବର : ସବୁ ପ୍ରକାର ଲୁହାପଥର ଉପରେ କେନ୍ଦ୍ର ସରକାର ଗତ ମେ’ ୨୨ ତାରିଖରେ ୫୦% ରପ୍ତାନୀ ଟିକସ ଲାଗୁ କରିବା ପରେ ମୁଖ୍ୟତଃ ଓଡ଼ିଶା ଖଣି ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଏଭଳି ଅତିରିକ୍ତ ଟିକସ ଯୋଗୁଁ ଦେଶରେ ବ୍ୟବହୃତ ହୋଇପାରୁ ନଥିବା ୫୮% ଗ୍ରେଡ୍ ପର୍ଯ୍ୟନ୍ତ ନିମ୍ନ ମାନର ଲୁହାପଥରର ରପ୍ତାନୀ ୩ ମାସ ଧରି ବନ୍ଦ ଥିବାରୁ ରାଜ୍ୟ ସରକାର ଏଥିରୁ ପାଉଥିବା ଅଣଟିକସ ରାଜସ୍ବ ହରାଉଛନ୍ତି। ସେପଟେ ଏହି ନିମ୍ନ ମାନର ଲୁହାପଥର ଗଦା ବଢ଼ୁଥିବାରୁ ସ୍ବାଭାବିକ ଉତ୍ତୋଳନ ବାଧାପ୍ରାପ୍ତ ହେଉଛି। ଫଳରେ ରାଜ୍ୟର ଖଣିଜ ରାଜସ୍ବ ଆୟ ସମେତ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ପାଣ୍ଠି ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ନିମ୍ନମାନର ଲୁହାପଥର ବିଶୋଧନ ଲକ୍ଷ୍ୟରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଯେଉଁ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି, ତଦ୍ଦ୍ବାରା ମୁଖ୍ୟତଃ ଓଡ଼ିଶାର ଖଣି କାର୍ଯ୍ୟକଳାପକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଏବେଠୁ ଆଶଙ୍କା ଘନୀଭୂତ ହେଲାଣି। କାରଣ ପ୍ରସ୍ତାବିତ ନୀତିରେ ଖଣି ଲିଜଧାରୀମାନେ କେବଳ ଯେ ନୂଆ ଜରିମାନା ବୋଝରେ ଅଧିକ ଭାରାକ୍ରାନ୍ତ ହେବେ ତାହା ନୁହେଁ, ବରଂ ଖଣି ଅଞ୍ଚଳରେ ନିମ୍ନ ମାନର ଲୁହାପଥର ଗଦା ବୃଦ୍ଧି ପାଇ ଉତ୍ତୋଳନକୁ ଯଥେଷ୍ଟ ପ୍ରଭାବିତ କରିବ। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ନିମ୍ନମାନର ଲୁହାପଥରକୁ ପୂର୍ବ ପରି ରପ୍ତାନୀ ଟିକସ ମୁକ୍ତ ରଖିବା ନିମନ୍ତେ ଭାରତୀୟ ଶିଳ୍ପ ମହାସଂଘ ନିବେଦନ କରିଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ ନକରି ବରଂ ଉପରୋକ୍ତ ନୂଆ ନୀତି ପ୍ରଣୟନ କରିବାକୁ ଅଗ୍ରସର ହେଉଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୫୮% ଗ୍ରେଡ୍ ପର୍ଯ୍ୟନ୍ତ ନିମ୍ନମାନର ଲୁହାପଥରରୁ ଲୌହ-ଇସ୍ପାତ ଉତ୍ପାଦନ ସକାଶେ ଦେଶରେ ଏ ପର୍ଯ୍ୟନ୍ତ ଜ୍ଞାନ କୌଶଳ ଉପଲବ୍ଧ ନାହିଁ। ତେଣୁ ଖଣିଜ ଉତ୍ତୋଳନରେ ବାଧା ସୃଷ୍ଟି କରୁଥିବା ନିମ୍ନମାନର ଲୁହାପଥର ଗଦାକୁ ଲିଜ୍ଧାରୀମାନେ ପୂର୍ବରୁ ରାସ୍ତା ମରାମତି ଭଳି କାମରେ ବ୍ୟବହାର କରୁଥିଲେ। ତେବେ ନିମ୍ନ ମାନର ଲୁହାପଥରରୁ ଧାତବ ଉତ୍ପାଦନ କୌଶଳ ହାସଲ କରିଥିବା ଚୀନ୍ ୨୦୦୮ ଅଲିମ୍ପିକ୍ସ ଆୟୋଜନର ୪ ବର୍ଷ ପୂର୍ବରୁ ଏହାକୁ ଆଖିବୁଜା ଆମଦାନୀ କରିଥିଲା। ଫଳରେ ବର୍ଷ ବର୍ଷ ଧରି ଅବ୍ୟବହୃତ ନିମ୍ନମାନର ଲୁହାପଥରରୁ ଓଡ଼ିଶା ଏବଂ ଗୋଆର ଖଣି ବ୍ୟବସାୟୀମାନେ ଅଭୂତପୂର୍ବ ଲାଭ କରିଥିଲେ ଓ ରାଜ୍ୟ ସରକାର ମଧ୍ୟ ଏହି ସୂତ୍ରରୁ ବ୍ୟାପକ ରାଜସ୍ବ ଆୟ କରିଥିଲେ। ଏହାକୁ ଦେଖି ୨୦୧୪ରେ କ୍ଷମତାସୀନ ଏନ୍ଡ଼ିଏ ସରକାର ଟନ୍ ପିଛା ୨୦୦ ଟଙ୍କା ହିସାବରେ ରପ୍ତାନୀ ଟିକସ ଲାଗୁ କରିଥିଲେ। ମାତ୍ର ଗୋଆ ଖଣି ବ୍ୟବସାୟୀଙ୍କ ଲବିରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ନିମ୍ନମାନର ଲୁହାପଥରକୁ ରପ୍ତାନୀ ଟିକସରୁ ମୁକ୍ତ ରଖିବା ଲାଗି ତତ୍କାଳୀନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଅନୁରୋଧ କରିବା ପରେ ତାହକୁ ଛାଡ଼ କରାଯାଇଥିଲା। ପରେ ଆମଦାନିକାରୀ ଦେଶଗୁଡ଼ିକ ଦର ହ୍ରାସ କରିଥିଲେ ମଧ୍ୟ ଗତ ମେ’ ମାସ ପର୍ଯ୍ୟନ୍ତ ୫୮% ଗ୍ରେଡ୍ ପର୍ଯ୍ୟନ୍ତ ଲୁହାପଥର ରପ୍ତାନୀ ଯଥାକଥା ଅବ୍ୟାହତ ଥିଲା। ସୂଚନାଯୋଗ୍ୟ, ଦେଶରେ ଉତ୍ତୋଳିତ ମୋଟ ଲୁହାପଥରର ୫୧ ଭାଗରୁ ଅଧିକ କେବଳ ଓଡ଼ିଶାରୁ ହୋଇଥାଏ। ପୁଣି ମୋଟ ଉତ୍ତୋଳିତ ଲୁହାପଥରର ପ୍ରାୟ ୮୦ ଭାଗ ନିମ୍ନ ମାନର ହୋଇଥିବାରୁ ଅବ୍ୟବହୃତ ନିମ୍ନ ମାନର ଲୁହାପଥର ଗଦା ରାଜ୍ୟର ପ୍ରମୁଖ ଖଣି ମଣ୍ଡଳ ଯୋଡ଼ା ଓ କୋଇଡ଼ାରେ ଦୈନନ୍ଦିନ ବଢ଼ିଚାଲିଛି। ଏହାର ରପ୍ତାନୀ ବନ୍ଦ ରହିଥିବାରୁ ଓଡ଼ିଶାରେ ଲୁହାପଥର ଉତ୍ତୋଳନ ବାଧାପ୍ରାପ୍ତ ହେବାରେ ଲାଗିଛି।
ଠିକ୍ ଏହି ସମୟରେ ବିଶୋଧନ ପ୍ରକ୍ରିୟାରେ ନିମ୍ନମାନର ଲୁହାପଥରର ମାନ ବୃଦ୍ଧି ନାମରେ ନୂଆ ନୀତି ଲାଗୁ କରିବାକୁ କେନ୍ଦ୍ର ସରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପ୍ରସ୍ତାବିତ ନୀତି ଅନୁସାରେ ଇ-ନିଲାମରେ ଖଣି ପାଇଥିବା ଲିଜଧାରୀଙ୍କ ଖଣିରୁ ଉତ୍ତୋଳିତ ନିମ୍ନ ମାନର ଲୁହାପଥରରରୁ ଅତିକମ୍ରେ ୮୦%କୁ ସେମାନେ ବିଶୋଧନ କରିବାକୁ ବାଧ୍ୟ। ଏଥିରେ ଖିଲାପ ହେଲେ ସେମାନଙ୍କୁ ୬୨%ରୁ ୬୫% ଗ୍ରେଡ୍ ଲୁହାପଥର ପାଇଁ ଧାର୍ଯ୍ୟ ରୟାଲ୍ଟି ଓ ପ୍ରମିୟମ ହିସାବରେ ଜରିମାନା ଦେବାକୁ ପଡ଼ିବ। ସେଥିରେ ଖିଲାପ ହେଲେ ସେମାନଙ୍କ ଲିଜ୍ ବାତିଲ କରାଯିବ। ନିଲାମ ହୋଇନଥିବା ଖଣିର ଲିଜ୍ଧାରୀଙ୍କ ପାଇଁ ଉପରୋକ୍ତ ଜରିମାନା ଦେୟ ୪ ଗୁଣ ହେବ ବୋଲି ପ୍ରସ୍ତାବିତ ନିୟମରେ ବ୍ୟବସ୍ଥା ଅଛି। ସୁତରାଂ ସଂଶୋଧିତ ଖଣି ଆଇନ ଲାଗୁ ପରେ ବର୍ଦ୍ଧିତ ପ୍ରମିୟମ୍ ଓ ରୟାଲ୍ଟି ସହିତ ଜିଲ୍ଲା ଖଣିଜ ଫାଉଣ୍ଡେସନକୁ ରୟାଲ୍ଟିର ୩୦% ଗଣି ଭାରାକ୍ରାନ୍ତ ହେଉଥିବା ଏହି ଲିଜଧାରୀଙ୍କୁ ପ୍ରସ୍ତାବିତ ଜରିମାନାରୁ ବର୍ତ୍ତିବା ପାଇଁ ପୁଣି ବିଶୋଧନ ପ୍ଲାଣ୍ଟ ସ୍ଥାପନ ବାବଦରେ ମୋଟା ପୁଞ୍ଜି ନିବେଶ କରିବାକୁ ପଡ଼ିବ। ପୁଣି ପ୍ଲାଣ୍ଟ ପାଇଁ ବିଭିନ୍ନ ବୈଧାନିକ ଅନୁମତି ଆଣିବା ମଧ୍ୟ ଉଭୟ ସମୟ ଓ ବ୍ୟୟସାପେକ୍ଷ। ମୋଟାମୋଟି ଭାବେ ନୂଆ ନୀତି ଲାଗୁ ହେବା ଦ୍ବାରା ସେମାନଙ୍କୁ ବୋଝ ଉପରେ କରୋଡ଼ା ମାଡ଼ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।