କଟକ : ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍‌(ସ୍ୟାଟ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ମନମୋହନ ପ୍ରହରାଜ ଅବସର ଗ୍ରହଣ କରିଛନ୍ତି। ଫେବ୍ରୁଆରି ୨୮ରୁ ସ୍ୟାଟରେ କେବଳ ଜଣେ ସଦସ୍ୟ ମାମଲା ଗୁଡିକର ବିଚାର କରିବେ। ସ୍ୟାଟର ଏକ ମାତ୍ର ବିଚାରବିଭାଗୀୟ ସଦସ୍ୟ ଜ୍ଞାନରଂଜନ ପୁରୋହିତଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ଦିଆଯାଇଛି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ୨୦୧୯, ଜାନୁଆରି ୧୦ର ନିର୍ଦ୍ଦେଶ ଅନୁସାରେ ଏ ପର୍ଯ୍ୟନ୍ତ ଖାଲି ପଡିଥିବା ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦରେ ଆଡ୍‌-ହକ୍ ନିଯୁକ୍ତି ଦିଆଯାଇ ନାହିଁ। ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦରେ ଏକ ବର୍ଷ ପାଇଁ କିମ୍ବା ଏ ସଂପର୍କିରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ଆଡ୍-ହକ୍ ନିଯୁକ୍ତି ପ୍ରଦାନ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ସରକାରଙ୍କୁ ଆଦେଶ ଦିଆଯାଇଥିଲା। କିନ୍ତୁ ସରକାର ନିର୍ଦ୍ଧାରିତ ସମୟସୀମା ଭିତରେ ହାଇକୋର୍ଟଙ୍କ ଜାନୁଆରି ୧୦ର ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିଲେ। ୨୦୧୯, ଫେବ୍ରୁଆରି ୧୪ରେ ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରଂସଗକୁ ନେଇ ବିଚାରାଧୀନ ମାମଲାର ଶୁଣାଣି ସମୟରେ ହାଇକେର୍ଟ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍ୟାଟ୍ ସଂପର୍କିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରସଂଗରେ ହାଇକୋର୍ଟଙ୍କ ଅନୁମତି ମିଳିଛି। ହାଇକୋର୍ଟ ରେଜିଷ୍ଟ୍ରାର ୨୦୧୯, ଫେବ୍ରୁଆରି ୮ରେ ଜାରି କରିଥିବା ଚିଠିରେ ଏ ନେଇ ଉଲ୍ଲେଖ କରାଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଡିଓପିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବକୁ ଦୃଷ୍ଟିରେ ରଖି ସରକାର ସ୍ୟାଟ୍‌ରେ ଦୁଇ ଜଣ ଜିଲ୍ଲା ଜଜ୍ କ୍ୟାଡରର ବିଚାରବିଭାଗୀୟ ଅଧିକାରୀଙ୍କୁ ବିଚାରବିଭାଗୀୟ ସଦସ୍ୟ ଏବଂ ଅତିରିକ୍ତ ସଚିବ ପାହ୍ୟାର ଦୁଇ ଜଣ ଆଏଏଏସ୍/ଓଏଏସ୍ ଅଧିକାରୀଙ୍କୁ ପ୍ରଶାସନିକ ସଦସ୍ୟ ଭାବେ ଆଡ୍‌-ହକ୍ ନିଯୁକ୍ତି ଦେବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ। ସ୍ୟାଟ୍ ଉଚ୍ଛେଦ ସଂପର୍କିତ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ବିଭାଗକୁ ଫେରାଇ ନିଆଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏ ସଂପର୍କିରେ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ଆଡଭୋକେଟ ଜେନେରାଲଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ। ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସ୍ୟାଟ୍ ଅଧ୍ୟକ୍ଷ ଓ ସଦସ୍ୟ ପଦ ଅସ୍ଥାୟୀ ଭାବେ ପୂରଣ ପ୍ରସଂଗରେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି କେତେ ଦୂର ଗ୍ରହଣୀୟ ହେଉଛି ତାହା ସମୟ କହିବ। କିନ୍ତୁ ଫେବ୍ରୁଆରି ୨୮ରୁ ସ୍ୟାଟରେ ଦେଖା ଦେବାକୁ ଥିବା ଅଚଳାବସ୍ଥାକୁ ନେଇ ଆଇନଜୀବୀ ଓ ମହକିଲଙ୍କ ଚିନ୍ତା ବଢି ଯାଇଛି।

Advertisment

ଉଲ୍ଲେଖ ଯୋଗ୍ୟ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଥିବା ବେଳେ ଏ ନେଇ ସେତେବେଳ ଆଇନଜୀବୀ ଓ ସରକାରୀ କର୍ମଚାରୀଙ୍କ ମଧୢରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୦୧୪ ଜୁନ୍‌ରୁ ସ୍ୟାଟରେ ସ୍ଥାୟୀ ଅଧୢକ୍ଷ ନାହାନ୍ତି। ଅଧୢକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ରହିବା କଥା ସ୍ୟାଟ୍‌ରେ। କିନ୍ତୁ ଏବେ ମାତ୍ର ଜଣେ ସଦସ୍ୟ। କ୍ୟାବିନେଟର ଉଚ୍ଛେଦ ନିଷ୍ପତ୍ତି ପରଠାରୁ ସ୍ୟାଟ୍ ପ୍ରତି ସରକାରୀ ଅବହେଳା ବଢି ଯାଇଥିବା ବେଳେ ଏ ନେଇ କଟକ ଓ ଭୁବେନଶ୍ବର ସ୍ୟାଟ୍ ବାର୍ ଆସୋସିଏସନ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଭୁବନେଶ୍ବରର ପ୍ରମୁଖ ବେଞ୍ଚ୍‌ ସହିତ କଟକ ବେଞ୍ଚ୍‌, ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ ବେଞ୍ଚ୍‌ରେ ମାମଲା ଗୁଡିକର ଶୁଣାଣି ପାଇଁ ‌ଏବେ ମାତ୍ର ଜଣେ ସଦସ୍ୟ ଅଛନ୍ତି।