ଆଜି ନୂଆଦିଲ୍ଲୀରେ ସିଏବିଇ ବୈଠକ, ସାମିଲ ହେବେ ଓଡ଼ିଶାର ୩ ମନ୍ତ୍ରୀ

ଭୁବନେଶ୍ବର : ଶନିବାର ନୂଆଦିଲ୍ଲୀରେ ବସିବାକୁ ଥିବା ସେଣ୍ଟ୍ରାଲ ଆଡଭାଇଜରି ବୋର୍ଡ ଅଫ୍‌ ଏଜୁକେସନ(ସିଏବିଇ) ବୈଠକରେ ସାମିଲ ହେବ ଓଡ଼ିଶା। ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେ‌ବେ ବୋଲି ଜଣାପଡ଼ିଛି। ଆସିବାକୁ ଥିବା ନୂଆ ଶିକ୍ଷା ନୀତିରେ ଯେଉଁ ପ୍ରସ୍ତାବ ରହିଛି ସେଥିରେ କିଛି ପରିବର୍ତନର ଆବଶ୍ୟକତା ରହିଛି କି ନାହିଁ, ରାଜ୍ୟଗୁଡ଼ିକ ଆଉ କ’ଣ ଚାହୁଁଛନ୍ତି ସେନେଇ ବିଚାର ଆଲୋଚନା କରାଯିବ।

ବୈଠକରେ ଯୋଗଦେବା ପୂର୍ବରୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଆଜି କହିଛନ୍ତି ଯେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉଠାଯିବ। ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ ରାଜ୍ୟ ଆର୍ଥିକ ଭାର କେନ୍ଦ୍ର ସରକାର ଗ୍ରହଣ କରନ୍ତୁ ବୋଲି ଦାବି ରହିବ। ଅଙ୍ଗନବାଡ଼ି ବା ପ୍ରି-ସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ମିଶାଇବା ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି ସେଥିପାଇଁ ଯେଉଁ ଭିତ୍ତିଭୂମି ଦରକାର ସେ ବାବଦ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରନ୍ତୁ। ସେହିଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ ଦ୍ୱାରା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ପୁନଃବିଚାର କରିବାକୁ ରାଜ୍ୟ ଦାବି ରଖିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ରାଜ୍ୟ ସରକାର ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ବଜେଟ୍‌ରେ ୧୭ ପ୍ରତିଶତ ବ୍ୟବସ୍ଥା କରିଥିବା ବେଳେ କେନ୍ଦ୍ର ସରକାର ୪ ପ୍ରତିଶତରୁ କମ୍‌ ଅର୍ଥ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ବଜେଟରେ ଶିକ୍ଷା ପାଇଁ ଅଧିକ ବ୍ୟୟ ବରାଦ କରିବା ଲାଗି ଆମେ ପ୍ରସ୍ତାବ ଦେବୁ। ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଛି। ଏଥିପାଇଁ କେନ୍ଦ୍ର ଆର୍ଥିକ ଭାର ବହନ କରିବା ପାଇଁ ଦାବି ରଖାଯିବ।

ସମ୍ବନ୍ଧିତ ଖବର