ଧାରାବାହିକ ଭାବେ କମି ଚାଲିଛି କେନ୍ଦ୍ରୀୟ ସହାୟତା: କଂଗ୍ରେସ

ଲୋକଦେଖାଣିଆ ବିରୋଧ କରୁଛି ବିଜେଡି

ଭୁବନେଶ୍ବର : ଲଗାତାର ଭାବେ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ସହାୟତା ରାଶି କମି କମି ଚାଲିଛି। ୨୦୨୪ ମସିହାରେ ମୋଦୀ ସରକାର ଆସିବା ପରେ ରାଜ୍ୟମାନଙ୍କୁ ମିଳିଥିବା କେନ୍ଦ୍ରୀୟ ରାଶି ଅର୍ଥ କମିସନଙ୍କ ସୁପାରିସ୍ ତୁଳନାରେ ୩୭ ପ୍ରତିଶତ ହ୍ରାସ ପାଇଛି। ହେଲେ ରାଜ୍ୟର ବିଜେଡି ସରକାର କେନ୍ଦ୍ରର ଅବହେଳାକୁ ନିରବରେ ସହି ଚାଲିଛନ୍ତି। କେବଳ ଲୋକଦେଖାଣିଆ ଭାବେ ବିରୋଧ କରି ଦଳ ଚୁପ୍ ହୋଇଯାଉଛି ବୋଲି କହିଛନ୍ତି ପିସିସି ମିଡିଆ ବିଭାଗର ଅଧ୍ୟକ୍ଷ ଗଣେଶ୍ବର ବେହେରା।

ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଲେ, ଉପା ସରକାର ଅମଳରେ ୨୦୧୪ ମସିହା ପର୍ଯ୍ୟନ୍ତ ଅର୍ଥ କମିସନ କରିଥିବା ସୁପାରିସ୍ ଆଧାରରେ ରାଜ୍ୟମାନଙ୍କୁ ନିୟମିତ ଭାବେ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଥିଲା। ମାତ୍ର ମୋଦୀ ସରକାର ଆସିବା ପରେ ଏହାର ବିପରୀତ ଗତି‌ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ସେସ୍ ଓ ସରଚାର୍ଜ ପରିମାଣ ବୃଦ୍ଧି କରି ରାଜ୍ୟମାନଙ୍କୁ ତାଙ୍କ ପ୍ରାପ୍ୟରୁ ବଞ୍ଚିତ କରିଛନ୍ତି। ସେସ୍ ଓ ସରଚାର୍ଜ ବାବାଦରେ ୭ ବର୍ଷ ଭିତରେ ଆଦାୟ ହୋଇଥିବା ଆୟ ସମୁଦାୟ ରାଜସ୍ବ ଆୟର ୭.୫ ପ୍ରତିଶତ ଅଧିକ। ପେଟ୍ରୋଲ ଉପରେ ଲିଟର ପିଛା ଆଦାୟ ହେଉଥିବା ୩୨.୯୦ ଟଙ୍କା ଟିକସରୁ ୨୦.୫୦ ଟଙ୍କା ସେସ୍ ଓ ସରଚାର୍ଜ ବାବଦରେ ନିଜସ୍ବ ଆୟ ଆଦାୟ କରୁଛନ୍ତି। ମାତ୍ର ୧୨.୪୦ ଟଙ୍କା କେନ୍ଦ୍ର ଓ ରାଜ୍ୟ ଭିତରେ ବଣ୍ଟନ କରୁଛନ୍ତି। ଖଣି ରୟାଲିଟି ସଂଶୋଧନ ପାଇଁ କେନ୍ଦ୍ର ସରକାର ଅମଙ୍ଗ ହେବାରୁ ଓଡ଼ିଶା କ୍ଷତି ସହୁଛି। ଗତ ୭ବର୍ଷ ଧରି ଧାରାବାହିକ ଭାବେ କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରି ଚାଲିଥିବା ବେଳେ ବିଜେଡି ପାଟି ଫିଟାଉ ନାହିଁ। ବିଜେପି ଓ ବିଜେଡି ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ବ। ତେଣୁ ରାଜ୍ୟବାସୀ ଏହାର ଠିକ୍ ସମୟରେ ଜବାବ ଦେବେ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ମନୋରଂଜନ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର