ଭୁବନେଶ୍ୱର: ଓଡ଼ିଶାରେ ବିଜେଡି ସରକାରକୁ ହଟାଇ ସରକାର ଗଢ଼ିବାକୁ ବିଜେପି ସବୁ ପ୍ରକାରର ଉଦ୍ୟମ ଲଗାଇ ଦେଇଛି। ପ୍ରଚାରରେ ଯେପରି ଉଣା ନହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଘନଘନ ଓଡ଼ିଶା ଗସ୍ତ କରି ସଭା କରୁଛନ୍ତି। ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଅାଉ ତିନିଟି ପର୍ଯ୍ୟାୟ ମତଦାନ ବାକି ଅଛି। ତେଣୁ ଓଡ଼ିଶାବାସୀଙ୍କୁ ବିଜେପି ଆଡ଼କୁ ଆକର୍ଷିତ କରିବା ପାଇଁ ବିଜେପି ଏବେ ପ୍ରଚାରକୁ ଆହୁରି ବ୍ୟାପକ କରିବାକୁ ଯାଉଛି। ଏଥିରେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀଙ୍କୁ ବିେଜପି ପ୍ରଚାର ମଇଦାନକୁ ଓହ୍ଲାଇବ। ହେମାମାଳିନୀ ୧୭ତାରିଖରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲିଆସାହି ନିକଟରେ ଜନସଭାରେ ଅପରାଜିତା ଓ ଭୁବନେଶ୍ବରର ତିନି ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହାପରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗର, ପିପିଲିଠାରେ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ପାଇଁ ଭୋଟ୍ ମାଗିବେ।
ବିଜେପିରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ରୋଡ୍ ସୋ’ କରିବା ପରେ କଟକ ଓ ଅନୁଗୁଳରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ଆଜି କଟକରେ ରୋଡ୍ ସୋ’ ଏବଂ ସୋରଡ଼ାରେ ଜନସଭାକୁ ସମ୍ବୋଧନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିପରି ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ୧୬ତାରିଖରେ ପୁରୁଣା ଭୁବନେଶ୍ବରରେ ରୋଡ୍ ସୋ’ କରିବା ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ଶ୍ରୀ ନଡ୍ଡା ବରଗଡ଼ର ପଦ୍ମପୁର ଏବଂ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।
ଏବେ ଓଡ଼ିଶା ଗସ୍ତରେ ଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ୧୬ତାରିଖରେ ଝାରସୁଗୁଡ଼ା ଏବଂ ସମ୍ବଲପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ। ଏହାସହ ଆସନ୍ତା ତିନି ଦିନ ମଧ୍ୟରେ ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
୧୭ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ହେମାମାଳିନୀ
ଆସାମ, ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ
ଆଜି ପୁରୁଣା ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ’
୧୭ରୁ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଚାର
ଗତ ୧୪ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଫେରିଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପୁଣି ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିରେ ସେ ବ୍ରଜରାଜନଗର, ବଣାଇ , ବରଗଡ଼ର ଅତାବିରା ଏବଂ ସଂଧ୍ୟାରେ ଜଟଣୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ୧୮ରେ କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଂହା ଏବଂ ସଂଧ୍ୟାରେ ଡେଲାଙ୍ଗ-କଣାସଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ୧୬ରେ ବିଜେପୁର, ବୀରମହାରାଜପୁର, ୧୭ରେ ତଳସରା, ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ୧୭ତାରିଖରେ ସାନଖେମୁଣ୍ଡି, ଦଶପଲ୍ଲା ଏବଂ ଜି. ଉଦୟଗିରି ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ଗତ କିଛି ଦିନ ହେଲା ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ୧୬ରେ ହିଞ୍ଜିଳିଠାରେ ଜନସଭାକୁ ସମ୍ବୋଧନ କରିବେ। ଅପରପକ୍ଷେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ୧୭ତାରିଖରୁ ଓଡ଼ିଶାରେ ଜୋରଦାର୍ ପ୍ରଚାର କରିବେ। ସେହିଦିନ କଟକର ନରସିଂହପୁର ଓ ଆଠଗଡ଼ରେ, ୧୮ରେ ବଣାଇ ଓ ସୁନ୍ଦରଗଡ଼ରେ ଜନସଭାରେ ଯୋଗଦେବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/fhhsfshhffh.jpg)