ବଜେଟ ତଥାପି ଅସ୍ପଷ୍ଟ: ଓଡ଼ିଶାର ଭାଗ ନେଇ ଦ୍ୱନ୍ଦ୍ୱ

୧୪ଶ ଅର୍ଥ କମିସନରୁ ୫ ହଜାର କୋଟି କାଟିଲେ

ସଙ୍କଟରେ ରାଜ୍ୟ ବଜେଟ ପ୍ରସ୍ତୁତି
ବିପର୍ଯ୍ୟୟ ପାଣ୍ଠିରୁ ରାଜ୍ୟ ହରାଇବ ୧୫୦ କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବାର ଚାରିଦିନ ବିତିଗଲାଣି। ତଥାପି ଓଡ଼ିଶା ପାଇଁ କେତେ ଅର୍ଥ ବରାଦ କରାଯାଇଛି, କେତେ କେନ୍ଦ୍ରୀୟ ଅନୁଦାନ ରାଶି ମିଳିବ, ତା’ର କୂଳକିନାରା ପାଉନାହାନ୍ତି ରାଜ୍ୟ ସରକାର। ସାମଗ୍ରିକ ଭାବେ ଆପାତତଃ ଆକଳନ ଅନୁଯାୟୀ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଅନୁଦାନ ୪.୮ ପ୍ରତିଶତ ବୃଦ୍ଧି ହୋଇଛି। କିନ୍ତୁ ଓଡ଼ିଶା ପାଇଁ ଅନୁଦାନ ପ୍ରତିଶତ ଅଧିକ ନା କମ୍‌, ତା’ର କୌଣସି ସୂଚନା ନାହିଁ। ତେବେ ଦୁଃଶ୍ଚିନ୍ତାର କାରଣ ହେଉଛି ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ତୁଳନାରେ ଓଡ଼ିଶାକୁ ୧୦ ପ୍ରତିଶତ ବା ପ୍ରାୟ ୫ ହଜାର କୋଟି ଟଙ୍କା କମ୍‌ ଅର୍ଥ ବରାଦ। ଏହା ରାଜ୍ୟକୁ ଆର୍ଥିକ ସଙ୍କଟଘେରକୁ ଠେଲି ଦେବାର ଆଶଙ୍କାକୁ ଏଡ଼ାଇ ହେବନାହିଁ। ଏହି ବଜେଟରୁ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ହେଉ ବା ବୃହତ୍‌ ଯୋଜନା ବାବଦ ଅର୍ଥ ସେ ନେଇ ଓଡ଼ିଶାକୁ ଆବଣ୍ଟନ ତଥ୍ୟ ନାହିଁ। ଫଳରେ କାହା ଆଧାରରେ ରାଜ୍ୟ ସରକାର ନିଜସ୍ୱ ବଜେଟ ପ୍ରସ୍ତୁତ କରିବେ ସେ ନେଇ ଅଡ଼ୁଆରେ ପଡ଼ିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ ୩୬୦୦୫ କୋଟି ଟଙ୍କା ମିଳିବା କଥା। କିନ୍ତୁ ଏହି ରାଶି ମିଳିଲାନାହିଁ। ଆର୍ଥିକ ବର୍ଷ ସରିବାକୁ ବସିଲାଣି। ଏ ନେଇ ସଂଶୋଧିତ ରାଶି ହୋଇଛି ପ୍ରାୟ ୩୧୨୦୦ କୋଟି। ୨୦୧୮-୧୯ ନିମନ୍ତେ ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ ଅର୍ଥବରାଦ ହୋଇଛି ୪୧୬୫୮ କୋଟି। କିନ୍ତୁ ଏହି ବଜେଟରେ ୩୬୫୮୪ କୋଟି ଟଙ୍କାର ବରାଦ କରାଯାଇଛି। ସୁପାରିସ ରାଶିଠାରୁ ୫ ହଜାର କୋଟିରୁ କମ୍‌ ଅର୍ଥ ବ୍ୟବସ୍ଥା ହୋଇଥିବାରୁ ଏହା ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ଅଧିକ।

ଏହି ବଜେଟରେ ରାଜ୍ୟମାନଙ୍କ ପାଇଁ କେନ୍ଦ୍ରୀୟ ଅନୁଦାନ ଅଂଶ କେତେ, ସେ ନେଇ ସୂଚନା ନାହିଁ। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ନୀତି ଆୟୋଗ ଗଠନ ହେବା ପରଠାରୁ କେନ୍ଦ୍ର ସରକାର ଏଭଳି ପନ୍ଥା ଅବଲମ୍ବନ କରୁଛନ୍ତି। ନିର୍ଦିଷ୍ଟ ସଂସ୍ଥା ବା ସୂତ୍ର ନାହିଁ, ଯେଉଁଠାରୁ ରାଜ୍ୟ ସଠିକ୍‌ ତଥ୍ୟ ପାଇପାରିବ। ଏହା ଫଳରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ କରିବା କାଠିକର ପାଠ ହେଉଛି। ସମସ୍ତ ରାଜ୍ୟଙ୍କୁ ଆବଣ୍ଟିତ କେନ୍ଦ୍ରୀୟ ଅନୁଦାନ ୪.୮ ପ୍ରତିଶତ ବଢ଼ିଛି। ତେବେ ଓଡ଼ିଶା ପାଇଁ ଅନୁଦାନ ବଢ଼ିଛି କି କମିଛି ତାହା କହିବା ମୁସ୍କିଲ। ସାମଗ୍ରିକ ଭାବେ ଦେଖିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଗତ ବର୍ଷ ୨୯ ହଜାର କୋଟି ଦିଆଯାଇଥିଲା। ଏଥର ଏହା ୨୭ ହଜାର କୋଟିକୁ କମିଛି। ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା, ମନ୍‌ରେଗା, ସର୍ବଶିକ୍ଷା ଯୋଜନା ଆଦି ବଡ଼ ଯୋଜନାଗୁଡ଼ିକରେ ରାଜ୍ୟମାନଙ୍କୁ ଅନୁଦାନ ପରିମାଣ ପ୍ରାୟ ସ୍ଥିର ରହିଛି।

କିନ୍ତୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି କ୍ଷେତ୍ରରେ ଓଡ଼ିଶା ପ୍ରାୟ ୧୫୦ କୋଟି ଟଙ୍କା ହରାଇବାର ଆଶଙ୍କା ରହିଛି। ଗତବର୍ଷ ଜୁଲାଇ ମାସରୁ ଦ୍ରବ୍ୟ ସେବା ଟିକସ(ଜିଏସ୍‌ଟି) ପ୍ରଚଳନ ହେଉଛି। ୨୦୧୮-୧୯ ଆର୍ଥିକ ବର୍ଷରୁ ଜିଏସ୍‌ଟି ପ୍ରସଙ୍ଗରେ ରାଜ୍ୟମାନଙ୍କୁ ୯୦:୧୦ ଅନୁପାତରେ ଅନୁଦାନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର। କିନ୍ତୁ ବଜେଟ୍‌ରେ ଏ ନେଇ କିଛି ପରିବର୍ତନ ପ୍ରତିଫଳିତ ହେଲାନାହିଁ। ଫଳରେ ଗତବର୍ଷ ଭଳି ୭୫:୨୫ ଅନୁପାତରେ ରାଜ୍ୟକୁ ଅର୍ଥ ମିଳିବ ବୋଲି କୁହାଯାଇଛି। ଗତବର୍ଷ ଓଡ଼ିଶା ଏ ବାବଦରେ ପାଇଥିଲା ୮୨୪ କୋଟି। ଏଥର ୮୬୫ କୋଟି ଟଙ୍କା ପାଇଥିଲେ ବି ଅନୁପାତିକ ଅନୁଦାନରେ ପରିବର୍ତନ ହୋଇନଥିବା ଯୋଗୁଁ ରାଜ୍ୟର କ୍ଷତି ସଂଘଟିତ ହେଉଛି।

ସମ୍ବନ୍ଧିତ ଖବର