କେନ୍ଦ୍ର ବଜେଟରେ ନବନିର୍ମାଣର ସଂକଳ୍ପ ପ୍ରତିଫଳିତ ହୋଇଛି: ପ୍ରତାପ ଷଡ଼ଙ୍ଗୀ

୧୩୦ କୋଟି ଲୋକଙ୍କ ଗଭୀର ଆତ୍ମବିଶ୍ୱାସରେ ଏହି ବଜେଟ ଆଲୋକିତ

ଭୁବନେଶ୍ୱର : ଚଳିତ ବର୍ଷର କେନ୍ଦ୍ର ବଜେଟ ହେଉଛି ଐତିହାସିକ ଏବଂ କ୍ରାନ୍ତିକାରୀ ବଜେଟ। କରୋନାରେ ସାରା ବିଶ୍ୱ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ସମୟରେ ଏହି ବଜେଟ ଅମୃତ କଳସ ପରି ଉପସ୍ଥାପିତ କରାଯାଇଛି। ଏଥିରେ ଦୃଢ଼ ଇଚ୍ଛା ଶକ୍ତି, ଗଭୀର ସମ୍ବେଦନଶୀଳତା, ପ୍ରଚଣ୍ଡ ଆତ୍ମବିଶ୍ୱାସ ଏବଂ ଦୁର୍ବାର ସାହସିକତାର ପ୍ରତିଫଳନ ହୋଇଛି। ୧୩୦ କୋଟି ଲୋକଙ୍କ ଗଭୀର ଆତ୍ମବିଶ୍ୱାସରେ ଏହି ବଜେଟ ଆଲୋକିତ। ଏହା କେବଳ ଏକ ହିସାବର ଫର୍ଦ୍ଦ ନୁହେଁ, ଏହା ରାଷ୍ଟ୍ର ନବଜାଗରଣ ସଂକଳ୍ପର ଏକ ଦଲିଲ। କରୋନାର ଧ୍ୱଂସ ସ୍ତୁପରୁ ନବ ନିର୍ମାଣର ଏକ ସଂକଳ୍ପ ସ୍ଥିତି ଏହି ବଜେଟରେ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି।

ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ନୀତିରେ ବଜେଟ ପ୍ରସ୍ତୁତ ହୋଇଛି। ବଜେଟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଭିତ୍ତିଭୂମିକୁ ସୁଦୃଢ଼ କରିବା, ମହିଳା ସଶକ୍ତୀକରଣ, ସାମୂହିକ ବିକାଶ ଆଦି ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇଛି। ଏହି ବଜେଟ୍ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ତଥା ଭିତ୍ତିଭୂମି କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତନ ଆଣିବ। ୨୦୨୧-୨୨ କେନ୍ଦ୍ର ବଜେଟ ୬ଟି ସ୍ତମ୍ଭ ଉପରେ ଆଧାରିତ ହୋଇଛି। ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟ ଓ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷୀ ଭାରତ ପାଇଁ ସାମୂହିକ ବିକାଶ, ମାନବ ସମ୍ବଳର ଉପଯୁକ୍ତ ବିକାଶ ଓ ବିନିଯୋଗ, ନବସୃଜନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ। କରୋନା ସମୟରେ ଅର୍ଥନୀତି ଅପେକ୍ଷା ମାନବ ଜୀବନକୁ ଅଧିକ ଗୁରୁତ୍ୱ ଏହି ବଜେଟରେ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ୨,୨୩,୮୪୬ କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟବରାଦ ୯୪,୪୫୨ କୋଟି ଟଙ୍କା ଠାରୁ ୧୩୭% ଅଧିକ। ତିନିଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୬,୯୯୫.୫୮ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ୨୦୨୦-୨୧ ବଜେଟରେ ୪.୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିବା ବେଳେ ଏହି ବର୍ଷ ବାସ୍ତବ ବ୍ୟୟ ୪.୩୯ ଲକ୍ଷ କୋଟି ଟଙ୍କା ହୋଇଥିବାରୁ ବ୍ୟୟର ଗୁଣବତା ବଜାୟ ରଖାଯାଇପାରିଛି । ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ ୨୦୨୩-୨୪ ସୁଦ୍ଧା ରାଜ୍ୟଗୁଡିକର ରାଜସ୍ୱ ନିଅଂଟ ଜିଏସଡିପିର ୩ ପ୍ରତିଶତ ପର୍ଯ୍ୟନ୍ତ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ଟିକସଦାତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ସହିତ ଦେଶରେ ଏକ ନିବେଶ ଏବଂ ନିଯୁକ୍ତି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକ ପାରଦର୍ଶୀ, ଦକ୍ଷ ଟିକସ ବ୍ୟବସ୍ଥା ନିମନ୍ତେ ସଂକଳ୍ପ କରାଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ‘ଉତ୍କଳ ଚେୟାର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’ ସଭାଗୃହ ଠାରେ ବିଜେପି ବୁଦ୍ଧିଜୀବୀ ସେଲ୍ ପକ୍ଷରୁ ଆୟୋଜିତ ବଜେଟ ସଂପର୍କିତ ଆଲୋଚନାଚକ୍ରରେ ସାମିଲ ହୋଇ ବଜେଟର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଆଲୋଚନାଚକ୍ରରେ ବୁଦ୍ଧିଜୀବୀ ସେଲ୍‌ ରାଜ୍ୟ ଆବାହକ ସୁଦର୍ଶନ ନାୟକ ଏବଂ ବିନୋଦ ଦାସଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର