ସୁନ୍ଦରଗଡ଼: ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ପଦକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ୯ ମାସ ଧରି ତାଲା ପଡ଼ିଥିବା ଅଧିକାରୀ ଓ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତିଙ୍କ କାର୍ଯ୍ୟାଳୟକୁ ଶୁକ୍ରବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯାଇଛି। ୨୦୨୨ ଜାନୁଆରି ୩୧ରୁ ଅପ୍ରେଲ ୨୭ ଯାଏ ଏହି ପଦର ଭାରପ୍ରାପ୍ତ ଦାୟିତ୍ବରେ ଥିବା ବହୁ ଦୁର୍ନୀତି ଅଭିଯୁକ୍ତ ବ୍ୟାଙ୍କ ସହପ୍ରବନ୍ଧକ ରଞ୍ଜନ ପଟେଲ ସେଠାରୁ ହଟିବା ପରେ ତାଲା ପକାଇ ଦେଇଥିଲେ। ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ସେ ଚାବି ହସ୍ତାନ୍ତର କରି ନଥିଲେ। ଫଳରେ ବ୍ୟାଙ୍କ କାର୍ଯ୍ୟ ଏକ ପ୍ରକାର ବାଧାପ୍ରାପ୍ତ ହୋଇଥିଲା। ବ୍ୟାଙ୍କର ନୂଆ ପରିଚାଳନା ପରିଷଦ ନିର୍ବାଚିତ ହୋଇଆସିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଶୁକ୍ରବାର ମାଜିଷ୍ଟ୍ରେଟ ସୁନୀଳ କୁମାର ମିଶ୍ରଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା।
ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ ବ୍ୟାଙ୍କରେ ରଂଜନ ପଟେଲ ପୂର୍ବରୁ ୩ ମାସ ପାଇଁ ମୁଖ୍ୟ ନିର୍ବାହୀ ଅଧିକାରୀ ପଦରେ ରହିଥିଲେ। ସେହି ସମୟରେ ସେ ଓଡ଼ିଶା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀମାନଙ୍କ ମାନବ ସମ୍ବଳ ନୀତି-୨୦୧୧ର ସମସ୍ତ ନିୟମ ଓ ଧାରାକୁ ଅବମାନନା କରି ନିଜେ ନିଜକୁ ପ୍ରବନ୍ଧକରୁ ଉପମହାପ୍ରବନ୍ଧକକୁ ପଦୋନ୍ନତି କରାଇବା ସହ ଏକାଦିକ୍ରମେ ୮ ଶହ ଦିନର ଛୁଟି ମଞ୍ଜୁର କରାଇନେଇଥିଲେ। ସେହିପରି ସର୍ଗିପାଲି ବ୍ୟାଙ୍କ ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ତାଙ୍କ ପତ୍ନୀ କନକ ପଟେଲଙ୍କୁ ପ୍ରବନ୍ଧକ ଭାବେ ପଦୋନ୍ନତି ଦେଇ ସୁନ୍ଦରଗଡ଼ ବସଷ୍ଟାଣ୍ଟ ବ୍ୟାଙ୍କ ଶାଖାକୁ ବଦଳି କରି ନେଇ ଆସିଥିଲେ। ସେହି ସମୟରେ କ୍ଷମତାର ଦୁରୁପଯୋଗ କରି ପତିପତ୍ନୀଙ୍କ ବକେୟା ଦରମା ୩୩.୨୨ ଲକ୍ଷ ଉଠାଇ ନେଇଥିବା ଓ ଏହାକୁ ଉପନିବନ୍ଧକ ଅନୁମୋଦନ କରିଥିବା ମହାସଂଘ ଅଭିଯୋଗ କରିଥିଲା। ତାଙ୍କ ସ୍ବଳ୍ପ ସମୟର କାର୍ଯ୍ୟକାଳ ମଧ୍ୟରେ ସିଇଓଙ୍କ ନିଜସ୍ବ ନିଯୁକ୍ତି ଓ ବ୍ୟାଙ୍କକୁ ପୁନଃ ଋଣ ପ୍ରଦାନ ପ୍ରସଙ୍ଗ ଉପରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହ ଲାଗିଥିବା ବିବାଦ ବିଷୟ ସେ ଓ ଉପ ନିବନ୍ଧକ ଅବଗତ ଥାଇ ମଧ୍ୟ ୧୭ କୋଟି ଟଙ୍କାର ଦଣ୍ଡସୁଧ ପ୍ରଦାନ କରି ବ୍ୟାଙ୍କକୁ କ୍ଷତିରେ ପକାଇଥିବା ଅଭିଯୋଗ ହୋଇଥିଲା।
ଶ୍ରୀ ପଟେଲଙ୍କ ବେଆଇନ କାର୍ଯ୍ୟ ତଥା ଅନିୟମିତତାକୁ ବ୍ୟାଙ୍କ ପରିଚାଳନା ଦାୟିତ୍ବରେ ଥିବା ତତ୍କାଳୀନ ସମବାୟ ଉପନିବନ୍ଧକ (ଡିଆରସିଏସ) ଅନୁମୋଦନ କରି ଚାଲିଥିଲେ। ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଆଦେଶକ୍ରମେ, ସୁରେଶଚନ୍ଦ୍ର ଦାସ ବ୍ୟାଙ୍କର ମୁଖ୍ୟ ନିର୍ବାଏହୀ ଅଧିକାରୀ ଭାଇବେ ଯୋଗ ଦେଇଥିଲେ। କିନ୍ତୁ ରଞ୍ଜନ ପଟେଲ ଦାୟିତ୍ବ ହସ୍ତାନ୍ତର ନକରି ଅଫିସ ଆସି ନଥିଲେ। ଏହି କାରଣରୁ ସେପ୍ଟେମ୍ବର ୨୨ରେ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାସ ରଞ୍ଜନ ପଟେଲଙ୍କୁ ନିଲମ୍ବିତ କରିଥିଲେ। କିନ୍ତୁ ନିଲମ୍ବନ ଆଦେଶକୁ ଡିଆରସିଏସ ଖାରଜ କରିବା ସହ ଶ୍ରୀ ଦାସଙ୍କୁ ମୁଖ୍ୟ ନିର୍ବାହୀ ଅଧିକାରୀ ପଦରୁ ବହିଷ୍କୃତ କରି ରଞ୍ଜନ ପଟେଲଙ୍କୁ ଭାରପ୍ରାପ୍ତ ଅଧିକାରୀ ଦାୟିତ୍ବ ଦେଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।