ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ତରଭା ବ୍ରାଞ୍ଚରେ ଋଣ ଘୋଟାଲା : ମନଇଚ୍ଛା ବାଣ୍ଟିଛନ୍ତି ୧.୨୪ କୋଟି

୬୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ

ବଲାଙ୍ଗୀର : ନୀତି ନିୟମ କିଛି ମାନିଲେନି। କାଗଜପତ୍ର ବି ଦେଖିଲେନି। ଆଖି ବୁଜି ନିଜ ଲୋକଙ୍କୁ ବାଣ୍ଟି ଦେଲେ କୋଟିଏରୁ ଅଧିକ ଟଙ୍କା। ଭିଜିଲାନ୍ସ ଖୋଳତାଡ଼ରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ତରଭା ବ୍ରାଞ୍ଚରେ ହୋଇଛି ଏହି ଋଣ ଘୋଟାଲା। ସବିଶେଷ ପ୍ରମାଣ ପାଇବା ପରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ରାମକୃଷ୍ଣ ସାହୁ, ସୁଧିର ଚନ୍ଦ୍ର ମହାନ୍ତି, ସୁପରଭାଇଜର ଏସ୍‌ ସାହୁ ଓ ଋଣ ନେଇଥିବା ୬୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସମୁଦାୟ ୬୯ ଜଣଙ୍କ ନାଁରେ ୧୦ଟି ମାମଲା ରୁଜୁ ହୋଇଥିବା ସୂଚନା ଦେଇଛି ବଲାଙ୍ଗୀର ଭିଜିଲାନ୍ସ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ରହିଛି ‌ସୋନପୁର ଜିଲ୍ଲାର ତରଭା ବ୍ରାଞ୍ଚ। ଏହି ବ୍ରାଞ୍ଚରେ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଋଣ ଘୋଟାଲା ନେଇ ଭିଜିଲାନ୍ସ ନିକଟକୁ ଅଭିଯୋଗ ଆସିଥିଲା। ୨୦୧୮ ମେ ମାସରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଜଣାପଡ଼ିଥିଲା ଯେ ତତ୍କାଳୀନ ବ୍ୟାଙ୍କ ଅଧିକାରୀମାନେ ବିଭିନ୍ନ ଲୋକଙ୍କୁ ମନଇଚ୍ଛା ୧କୋଟି୨୪ ଲକ୍ଷ ୨୮ହଜାର ଟଙ୍କା ଋଣ ଦେଇଛନ୍ତି। ଋଣ ଦେବା ପାଇଁ ଯାହା ନିୟମ ରହିଛି ତାହାର ପାଳନ କରାଯାଇ ନାହିଁ।

ସେପଟେ ଋଣ ନେବା ପାଇଁ ନୋ ଡିଉ, ଆଇଟି ରିଟର୍ଣ୍ଣ, ଇନ୍‌କମ୍‌ ସାର୍ଟିଫିକେଟ, ଇସି, ଆରଓଆର ଆଦିର ପ୍ରମାଣପତ୍ର କେହି ଦାଖଲ କରି ନାହାନ୍ତି। ଅରିଜିନାଲ ଡକ୍ୟୁମେଣ୍ଟ ନଦେଇ ନକଲ କାଗଜପତ୍ରରେ ଋଣ ମଂଜୁର କରାଯାଇଛି। ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜରମାନେ ତରଭା ବ୍ଲକ ଅନ୍ତର୍ଗତ ୧୦ଟି ପଂଚାୟତ ବଡଭଏଁରୋ, ମୁରାଡୋଗୁଛା, ତରଭା, ସରଗଜ, ଝାରତରଭା, ଶିବତଲା, ଦୁବଲା, ମେଣ୍ଡା, ପୁଆ, ଦେଉଲପଦର ଓ ବଲାଙ୍ଗୀର ସହରର ମୋଟ ୬୬ ଜଣଙ୍କୁ ଏଭଳି ଆଖିବୁଜି ଟର୍ମ ଲୋନ ଓ କ୍ୟାସ୍ କ୍ରେଡିଟ ଲୋନ୍‌ ଦେଇଛନ୍ତି। ଋଣ ଟଙ୍କା କେହି ଫେରସ୍ତ କରିନାହାନ୍ତି।

ଯେହେତୁ କୌଣସି ଅରିଜିନାଲ ଡକ୍ୟୁମେଣ୍ଟ କେହି ଦେଇନାହାନ୍ତି, ସବୁ ଟଙ୍କା ହଡପ କରିବାକୁ ଯୋଜନା ହୋଇଥିବା ସନ୍ଦେହ ହୋଇଛି। ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଚାଲିଥିବା ବେଳେ ଇତିମଧ୍ୟରେ କେସ ନଂ-୮୪, ୮୫, ୮୬, ୮୭, ୮୮, ୮୯, ୯୦, ୯୧, ୯୨, ୯୩ରେ ମୋଟ ୧୦ଟି ମାମଲା ରୁଜୁ କରାଯାଇଛି। ଏ ନେଇ ତଦନ୍ତକାରୀ ଅଧିକାରୀ ସଦାନନ୍ଦ ପାଣି କହିଛନ୍ତି, ବ୍ୟାଙ୍କର ତତ୍କାଳୀନ କର୍ମଚାରୀମାନେ ଚିହ୍ନା ପରିଚିତ ଲୋକ ଦେଖି ଋଣ ଦେଇଥିଲେ। ନିୟମ କାନୁନକୁ ନ ମାନି ମନଇଚ୍ଛା କାରବାର କରାଯାଇଥିଲା। ଏବେ ୬୯ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ପାଣି କହିଛନ୍ତି।

ସମ୍ବନ୍ଧିତ ଖବର